ନ୍ୟୁଜ୍ 365(ବ୍ୟୁରୋ): ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ମହାନଦୀରେ ମଧ୍ୟମଧରଣର ବନ୍ୟା ଆସିଛି । ଫଳରେ ଆସନ୍ତା ଦିନ ୩ଟା ସୁଦ୍ଧା ମୁଣ୍ଡଳୀରେ ସର୍ବାଧିକ ବନ୍ୟାଜଳ ପ୍ରବାହିତ ହେବ । ତଳମୁଣ୍ଡ ଜିଲ୍ଲାରେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ବନ୍ୟାଜଳ ପହଞ୍ଚିଯିବ । ମହାନଦୀରେ ମଧ୍ୟମଧରଣର ବନ୍ୟା ହେବାକୁ ଥିବାବେଳେ ୬ଟି ଜିଲ୍ଲାରେ ଏହାର ପ୍ରଭାବ ପଡ଼ିବ । ଏହି ୬ଟି ଜିଲ୍ଲା ହେଉଛି ନୟାଗଡ, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ।
ତେବେ ଏହି ୬ଟି ଜିଲ୍ଲାରେ ଯେଭଳି ଉଦ୍ଧାର କାର୍ଯ୍ୟ ସୁରୁଖୁରୁରେ ହୋଇପାରିବ ସେଥିପାଇଁ ୮ଟି ଏନଡିଆରଏଫ ଟିମ, ୧୩ଟି ଓଡ୍ରାଫ ଟିମ ଓ ୬୨ଟି ଅତିରିକ୍ତ ଦମକଳ ବାହିନୀଙ୍କୁ ମୁତୟନ କରାଯାଇଛି । କେନ୍ଦ୍ରାପଡାରେ ୧୦ଟି, କଟକ ସଦରରେ ୧୦, ଆଠଗଡ଼ରେ ୮, ଜଗତସିଂହପୁରରେ ୯, ଖୋର୍ଦ୍ଧାରେ ୫, ନୟାଗଡରେ ୮ ଓ ପୁରୀରେ ୧୨ଟି ଅଗ୍ନିଶମ ଓ ଜରୁରୀକାଳୀନ ଟିମଙ୍କୁ ମୁତୟନ କରାଯାଇଛି । ସେହିପରି ନୟାଗଡ ବ୍ୟତୀତ ଅନ୍ୟ ୫ଟି ଜିଲ୍ଲାରେ ଗୋଟିଏ ଲେଖାଏଁ ଏନଡିଆରଏଫ ଓ ଓଡ୍ରାଫ ଟିମ ମୁତୟନ କରାଯାଇଛି । ଏଣୁ ବନ୍ୟାକୁ ନେଇ ଏହି ସବୁ ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ଜିଲ୍ଲାପାଳ।