ନ୍ୟୁଜ 365 (ବ୍ୟୁରୋ): ରାଷ୍ଟ୍ରିୟ ରାଜଧାନୀ କ୍ଷେତ୍ର ସଂସୋଧନ ବିଧେୟକକୁ ନେଇ ଚର୍ଚ୍ଚା ଜୋର ଧରିଛି । ଲୋକସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ବିଲକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ଅମିତ ଶାହା କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ମଧ୍ୟ ରାଜଧାନୀ ଦିଲ୍ଲୀକୁ ପୁର୍ଣ୍ଣ ରାଜ୍ୟର ମାନ୍ୟତା ଦେବାକୁ ବିରୋଧ କରୁଥିଲେ । ଗୃହମନ୍ତ୍ରୀ କହିଛନ୍ତି, ୧୯୯୩ ମସିହା ପରଠାରୁ ଦିଲ୍ଲୀରେ ଏହି ପ୍ରସଙ୍ଗକୁ ନେଇ କୌଣସି ଅସୁବିଧା ହୋଇନାହିଁ । କେତେବେଳେ ଦିଲ୍ଲୀର ଶାସନ କ୍ଷମତା କଂଗ୍ରେସ ହାତରେ ଥିଲା ତ ଆଉ କେଉଁ ସମୟରେ ବିଜେପି ହାତରେ । କେନ୍ଦ୍ର ଓ ଦିଲ୍ଲୀରେ ଭିନ୍ନ ଭିନ୍ନ ସରକାର ଥିଲେ । ତଥାପି ଦିଲ୍ଲୀ ସରକାରର କ୍ଷମତାକୁ ନେଇ କେବେ କୌଣସି ସମସ୍ୟ ଉପୁଜି ନଥିଲା । କିନ୍ତୁ ୨୦୧୫ ପରଠାରୁ ଦିଲ୍ଲୀରେ ଏମିତି ଏକ ପାର୍ଟି କ୍ଷମତାକୁ ଆସିଲା ଯିଏ ଲୋକଙ୍କ ସେବା କରିବା ବଦଳରେ କେନ୍ଦ୍ର ସରକାରଙ୍କ ସହ କ୍ଷମତା ଲୋଭକୁ ନେଇ ଲଢ଼େଇ କରୁଛି ବୋଲି ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି । ଦିଲ୍ଲୀ ସରକାର ସରକାରୀ ଅଧିକାରୀଙ୍କ ପୋଷ୍ଟିଂ ଏବଂ ବଦଳି କରିବାର କ୍ଷମତା ଚାହୁଁନାହିଁ ବରଂ ନିଜ ବଙ୍ଗଳା ତିଆରୀ କରିବା ପାଇଁ ଜରୁରୀ କାଳିନ ଓ ସତର୍କତା ବିଭାଗ ଉପରେ କବଜା କରିବାକୁ ଚାହୁଁଛି । ଆମ ଆଦମି ପାର୍ଟିକୁ କଡା ସମାଲୋଚନା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ।