ନ୍ୟୁଜ୍ 365(ବ୍ୟୁରୋ): ଏବେ ସ୍ୱାଭାବିକ ବର୍ଷା ହେଉଛି। ଗାଁରେ ଜୋରସୋରରେ ଆରମ୍ଭ ହୋଇଯାଇଛି ଚାଷ କାମ । ଗ୍ରାମାଞ୍ଚଳରେ ବଢ଼ିଛି କୃଷି ଶ୍ରମିକଙ୍କ ଚାହିଦା । ଏହାର ପ୍ରଭାବରେ ଜୁଲାଇ ମାସରେ ଭାରତର ହାରାହାରି ବେକାରି ସଂଖ୍ୟା କମିଥିବା ଦେଖିବାକୁ ମିଳିଛି । ଜୁନ୍ ମାସରେ ଦେଶରେ ମୋଟ ବେକାରି ହାର ଥିଲା ୮.୪୫ ପ୍ରତିଶତ । ଏହା ଜୁଲାଇରେ ୭.୯୫ ପ୍ରତିଶତକୁ ହ୍ରାସ ପାଇଛି । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନୋମି ବା ସିଏମଆଇଇ ଏହାର ରିପୋର୍ଟରେ ଏହି ତଥ୍ୟ ଦେଇଛି ।
ସିଏମଆଇଇ ତଥ୍ୟ ଅନୁସାରେ, ଜୁନରେ ଗ୍ରାମୀଣ ବେକାରି ହାର ୮.୭୩ ଥିବା ବେଳେ ଏହା ଜୁଲାଇରେ ୭.୮୯ ପ୍ରତିଶତକୁ ହ୍ରାସ ପାଇଛି । ଅପରପକ୍ଷେ, ସହରାଞ୍ଚଳରେ ବୋକାରି ହାର ୭.୮୭ ପ୍ରତିଶତରୁ ୮.୦୬ ପ୍ରତିଶତକୁ ବୃଦ୍ଧି ପାଇଛି । ସାଧାରଣତଃ ପ୍ରତିବର୍ଷ ଜୁଲାଇରେ ଚାଷକାମ ଅଧିକ ହେଉଥିବା କାରଣରୁ ଗ୍ରାମାଞ୍ଚଳ ବେକାରି ହାର ଏହି ମାସରେ ହ୍ରାସ ପାଇଥାଏ । ଅଗଷ୍ଟ ପରେ ଚାଷ କାମ ପ୍ରାୟ ସରିଯାଉଥିବାରୁ ବେକାରି ସଂଖ୍ୟା ପୁନର୍ବାର ବୃଦ୍ଧିପାଏ । ବର୍ଷା ପରିମାଣ ବୃଦ୍ଧି ସହ କୃଷି କାର୍ଯ୍ୟ ଆଗେଇ ଚାଲିଛି । କୃଷି ଶ୍ରମିକଙ୍କ ଚାହିଦା ବଢିଥିବା ବେଳେ ଅଣ-କୃଷି କ୍ଷେତ୍ରରେ ଶ୍ରମିକଙ୍କ ଚାହିଦା ହ୍ରାସ ପାଇଥିବା କହିଛନ୍ତି ସିଏମଆଇଇର ପରିଚାଳନା ନିର୍ଦ୍ଦେଶକ ମହେଶ ବ୍ୟାସ।