ନ୍ୟୁଜ ୩୬୫ (ବ୍ୟୁରୋ): ଆଜକୁ ୬୦ ବର୍ଷ ତଳେ ମହାକାଶକୁ ମଣିଷଙ୍କୁ ପଠାଇବାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହାରି ଭିତରେ ପାଖାପାଖି ୨୦ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ସୂଚନା ଅନୁଯାୟୀ, ୧୯୮୬ ଓ ୨୦୦୩ରେ ନାସା ମହାକାଶଯାନ ଦୁର୍ଘଟଣାରେ ୧୪ ଜଣ ମହାକାଶଚାରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯୭୧ ସୋୟୁଜ-୧୧ ମିସନରେ ୩ ଓ ୧୯୬୭ରେ ଆପୋଲୋ-୧ ଲଞ୍ଚ ପ୍ୟାଡ୍ ଅଗ୍ନିକାଣ୍ଡରେ ୩ ଜଣ ମହାକାଶଚାରୀଙ୍କର ମୃତ୍ୟୁ ହୋଇଥିଲା। ଏହାରି ଭିତରେ ନାସା ୨୦୨୫ରେ ଚନ୍ଦ୍ରକୁ ଓ ଆଗାମୀ ଦଶନ୍ଧିରେ ମଣିଷକୁ ମଙ୍ଗଳ ଗ୍ରହକୁ ପଠାଇବାକୁ ଚିନ୍ତା କରୁଛି ।
ଆଜିକାଲି ମହାକାଶଯାତ୍ରା ଏକ ସାଧାରଣ କଥା ହୋଇଗଲାଣି । ହେଲେ ଆପଣ ଜାଣନ୍ତି କି, ଯଦି ମହାକାଶରେ କାହାର ମୃତ୍ୟୁ ହୋଇଯାଏ, ତେବେ ସେହି ଶବର କ’ଣ ହୁଏ ? କେମିତି ଏବଂ କେତେ ସମୟ ଭିତରେ ସେହି ଶବ ପୃଥିବୀ ପୃଷ୍ଠରେ ପହଞ୍ଚିଥାଏ ? ସୂଚନାଅନୁଯାୟୀ, ଯଦି ନିମ୍ନ ପୃଥିବୀ-କକ୍ଷ ମିସନରେ କାହାର ମୃତ୍ୟୁ ହୋଇଯାଏ, ତେବେ ତାଙ୍କ ସାଙ୍ଗରେ ଯାଇଥିବା ଅନ୍ୟ ସହଯାତ୍ରୀମାନେ କିଛି ଘଣ୍ଟା ଭିତରେ ଶବକୁ ପୃଥିବୀକୁ ଆଣିପାରିବେ। ସେହିପରି ଯଦି ଚନ୍ଦ୍ରରେ କାହାରି ମୃତ୍ୟୁ ହୁଏ, ତେବେ ଶବକୁ କିଛିଦିନ ଭିତରେ ପୃଥିବୀକୁ ଅଣାଯାଇପାରିବ। ଏପରି ପରିସ୍ଥିତି ପାଇଁ ନାସା ଆଗରୁ ପୁଙ୍ଖାନୁପୁଙ୍ଖ ପ୍ରୋଟୋକଲ ତିଆରି କରିସାରିଛି।