ନ୍ୟୁଜ 365 (ବ୍ୟୁରୋ): ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ବାବୁଙ୍କ ପୁଅ ନବୀନ ପଟ୍ଟନାୟକ। ରାଜନୀତିର ମଇଦାନରେ ଜଣେ ପୋଖତ ଖେଳାଳି ଆଉ ଜଣାଶୁଣା ଚେହେରା। ସମୟ ଥିଲା ରାଜନୀତି ପ୍ରତି ତାଙ୍କର ଟିକେ ବି ରୁଚି ନଥିଲା । ରାଜନୀତିଠାରୁ ସେ ଥିଲେ ବହୁ ଦୁରରେ । ମାତ୍ର ଯେବେଠାରୁ ପାଦ ଥାପିଲେ ସେବେଠାରୁ ରାଜନୀତି ପ୍ରତି ବଢ଼ିଯାଇଛି ତାଙ୍କର ଆଗ୍ରହ। ରାଜନୀତିର ରଣାଙ୍ଗନରେ ସେ ପାଇ ଚାଲିଛନ୍ତି ବିଜୟ ପରେ ବିଜୟ । ଲଗାତାର ପଞ୍ଚମ ଥର ଲାଗି ସେ ବସିବାରେ ସଫଳ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଆସନରେ। ଓଡ଼ିଶାର ଘରେ ଘରେ ସେ ଏବେ ପରିଚିତ। ତେବେ ତାଙ୍କର ରାଜନୀତି ଯେ ସ୍ବାର୍ଥବାଦୀ ରାଜନୀତି ଏ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି। ଯୁଆଡ଼େ ଫାଇଦା ସିଆଡ଼େ ତାଙ୍କ ପାଦ ବଢ଼େ ବୋଲି ବିଭିନ୍ନ ଖଟିରେ ଶୁଣିବାକୁ ମିଳୁଛି। କିଛିଲୋକ କହୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୀତିରେ ବର୍ଷା ଯୁଆଡ଼େ ଛତା ସିଆଡ଼େ।
କେନ୍ଦ୍ରଠାରୁ ଫାଇଦା ପାଇବାର ଲୋଭ, ଆଉ ରାଜ୍ୟରେ ସରକାରରେ ରହିବାର ଆଶା ସବୁବେଳେ ନବୀନଙ୍କୁ ବିଚଳିତ କରିଛି । ୨୦୦୯ ମସିହାରେ ସରକାରରେ ନଥିବା ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ଫୋନ ଧରିବା ପାଇଁ ମନା କରିଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାତ୍ର କେନ୍ଦ୍ରରେ ବିଜେପି ସରକାରକୁ ଆସିବା ପରେ ସମର୍ଥନ ଦେବାରେ ଟିକେ ବି କୁଣ୍ଠା କରୁନାହାନ୍ତି ନବୀନ ବାବୁ। କେବଳ ସେତିକି ନୁହେଁ ଭାଜପା ରାଜ୍ୟ ପ୍ରଭାରୀ ଚନ୍ଦନ ମିତ୍ରଙ୍କୁ ନିବାସକୁ ଯିବାକୁ ହୋଇଥିଲା ମନା । ଶେଷରେ ଅପଦସ୍ତ ହୋଇ କୁଆଡ଼େ ଶ୍ରୀ ମିତ୍ରଙ୍କୁ ଫେରିବାକୁ ପଡ଼ିଥିଲା। ଏବେ କେନ୍ଦ୍ରରେ ସରକାର ବଦଳିବା ସାଙ୍ଗକୁ ବଦଳିଛି ନବୀନଙ୍କର ମତ। ବୋଧହୁଏ ନବୀନ ବାବୁ ଜାଣନ୍ତି ସରକାରରେ ରହିବାକୁ ହେଲେ କେନ୍ଦ୍ରରେ ଯିଏବି ରହୁ ଆଖିବୁଝି ନିଜର ସମର୍ଥନ ଦେବା ହିଁ ତାଙ୍କ ପାଇଁ ଲାଭଦାୟକ।
ବିଜୁ ଜନତା ଦଳ ଏନଡିଏର ଅଂଶୀଦାର ନୁହେଁ ବୋଲି ସବୁବେଳେ କହିଆସୁଛି। ୨୦୧୮ ମସିହାରେ ଅନାସ୍ଥା ପ୍ରସ୍ତାବରେ ବି ଦଳ ଆଲୋଚନା କରିଥିଲା । ହେଲେ ୨୦୨୩ ମସିହାରେ ସେହି ଦଳ ମୋଦୀ ସରକାରଙ୍କୁ ଆଖି ବନ୍ଦ କରି ସମର୍ଥନ ଦେଉଛି। ବାସ୍ତବରେ ରାଜନୀତିର ଏ ଗୋଳମାଳିଆ ଗଣିତକୁ ବୁଝିବା ବଡ଼ କଷ୍ଟର ବ୍ୟାପାର । ଏ ରାଜନୀତି କେତେବେଳେ କାହାକୁ ତଳେ ପକାଏ ତ ଆଉ କେତେବେଳେ ମୁଣ୍ଡରେ ବସି ବୁଲାଏ । ଏହି ଘଟଣାଟି ହେଉଛି ତାହାର ଜ୍ବଳନ୍ତ ଉଦାହରଣ । ତେବେ ସାଦାସିଧା ନବୀନ ବାବୁ ଯେ ରାଜନୀତିର ଗୋଟି ଚାଳନାରେ ଧୁରନ୍ଧର ଏହାକୁ ଅସ୍ୱୀକାର କରିହେବ ନାହିଁ । କେଉଁ ଧନୁ ଧରିଲେ ଆଉ କେଉଁ ତୀର ମାରିଲେ ଠିକ୍ ଶୀକାର ହେବ ସେ କଳା ତାଙ୍କୁ ଭଲ ଭାବେ ଜଣା । କେତେବେଳେ ସମର୍ଥନ ଦେବାକୁ ହୁଏ ଆଉ କେତେବେଳେ କେଉଁ ପ୍ରସଙ୍ଗରେ ନିରବ ରହିବାକୁ ହୁଏ ତାହା ବି ତାଙ୍କୁ ଜଣା । ତେବେ ଦେଖାଯାଉ କେଉଁ ପାଣି କୁଆଡ଼େ ଯାଉଛି ଆଉ ନବୀନଙ୍କ ଗୋଟି ଚାଳନା ତାଙ୍କ ସ୍ୱାର୍ଥ ହାସଲରେ କେତେ ସହାୟକ ହେଉଛି।