ପ୍ରତିଦିନ ସାଇବର କ୍ରାଇମ ସର୍ମ୍ପକିତ ନୂଆ ନୂଆ ଖବର ସାମ୍ନାକୁ ଆସୁଛି । ସାଇବର ଠକ ମାନେ ବିଭିନ୍ନ ଉପାୟ ଆପଣେଇ ଲୋକଙ୍କୁ ଚୂନା ଲଗାଉଛନ୍ତି । ଗରୀବ ଧନି ହୁଅନ୍ତୁ ଅବା ଶିକ୍ଷିତ ଅଶିକ୍ଷିତ, କେହି ବ ଲୁଟେରାଙ୍କ କବଳରୁ ବର୍ତ୍ତି ପାରୁ ନାହାନ୍ତି । ନିକଟରେ ଦିଲ୍ଲୀର ମାଳବୀୟ ନଗରରୁ ସାଇବର ଠକେଇର ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।
ଦିଲ୍ଲୀ ମାଳବୀୟ ନଗରରେ ରହୁଥିବା ଗୃହ ମନ୍ତ୍ରାଳୟର ଅବସରପ୍ରାପ୍ତ ଅଧିକାରୀ ଦେବେନ୍ଦ୍ର କୁମାର ଠାକୁର ସାଇବର ଠକେଇର ଶିକାର ହୋଇଛନ୍ତି । ସାଇବର ଲୁଟେରା ଅଧିକାରୀଙ୍କ ଠାରୁ ୪୮ ଲକ୍ଷ ଟଙ୍କା ଗାୟବ କରିଦେଇଛନ୍ତି । ଲୁଟେରା ମାନେ ମ୍ୟାଜିକ ନାମକ ଏକ ମୋବାଇଲ ଆପ ବ୍ୟବହାର କରିଛନ୍ତି । ଆପ ସାହାଯ୍ୟରେ ଝିଅ ସ୍ୱର ବାହାର କରି ସମ୍ପୃକ୍ତ ଅଧିକାରୀଙ୍କୁ କଲ କରି ଲୁଟ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ଜଣେ ଲୁଟେରା ଝିଅ ସ୍ୱରରେ କଲ କରି ନିଜକୁ ଜଣେ ଅଧିକାରୀଙ୍କ ସହପାଠୀଙ୍କ ଝିଅ ବୋଲି ପରିଚୟ ଦେଇଥିଲା । ସେ ଅନେକ ସମସ୍ୟାରେ ଥିବା କହି ସାହାଯ୍ୟ ମଗିଥିଲା ଚାଲାକ ଲୁଟେରା। ଏବଂ ସାତିର ଲୁଟେରାଙ୍କ କଥାରେ ପଡି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇ ଦେଇଥିଲେ ଠକେଇର ଶିକାର ହୋଇଥିବା ଅଧିକାରୀ । ଦେଖୁ ଦେଖୁ କିଛି ସମୟ ମଧ୍ୟରେ ତାଙ୍କ ଆକାଉଣ୍ଟ ଖାଲି ହୋଇ ଯାଇଥିଲା । କେଇ ସେକେଣ୍ଡ ମଧ୍ୟରେ ଆକାଉଣ୍ଟରୁ କଟିଯାଇଥିଲା ୪୮ ଲକ୍ଷ ଟଙ୍କା ।
ତେବେ ଘଟଣାକୁ ନେଇ ସାଇବର ସେଲ ଥାନାରେ ଅଭିଯୋଗ ହେବାପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ପୁଲିସ ଘଟଣାର ପର୍ଦାଫାସ କରିବା ସହ ମୁଖ୍ୟ ଅଭିଯୁକ୍ତ ସମେତ ୫ ଜଣଙ୍କୁ ଗିରଫ କରିଛି । ତେବେ ଗିରଫ ଅଭିଯୁକ୍ତ ପୂର୍ବରୁ ମଧ୍ୟ ଅନେକ ଘଟଣାରେ ସମୃକ୍ତ ଥିବା ଜଣାପଡିଛି । ଡାଓ୍ୱର କମ୍ପାନିର ନିର୍ଦ୍ଦେଶକଙ୍କ ଠାରୁ ମଧ୍ୟ ଏହି ଲୁଟେରା ମାନେ ୧୧ କୋଟି ଟଙ୍କା ଲୁଟ କରିଥିବା ପୁଲିସ କହିଛି । ଆଖି ପିଚୁଳାକେ ଖାଲି ହେଉଯାଉଛି ଆକାଉଣ୍ଟ । ବର୍ଷ ବର୍ଷ ଧରି କଷ୍ଟ କରି ସଂଚୟ କରିଥିବା ଧନକୁ ମିନିଟରୁ ବି କମ ସମୟ ଭିତରେ ଲୁଟି ନେଉଛନ୍ତି । ତେବେ ଅଜଣା ନମ୍ବରରୁ କଲ ନ ରିସିଭ କରିବା ସହ ନିଜର ବ୍ୟକ୍ତିଗତ ତଥ୍ୟ କାହା ସହ ସେୟାର ନ କରିବାକୁ ସରକାର ନିବେଦନ କରୁଛନ୍ତି । କିନ୍ତୁ ସଚେତନତାର ଅଭାବ କାରଣରୁ ଦିନକୁ ଦିନକ ସାଇବର ଅପରାଧ ବଢ଼ିବାରେ ଲାଗିଛି ।