ନ୍ୟୁଜ୍ 365(ବ୍ୟୁରୋ): ଆସନ୍ତାକାଲି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିପାରନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଯଦିଓ ଏ ନେଇ ସରକାରୀ ସ୍ତରରେ ବିସ୍ତୃତ ଭାବେ କୁହାଯାଇ ନାହିଁ ତେବେ ବିଶ୍ବସ୍ତ ସୂତ୍ରରୁ ସେ ଆସିବେ ବୋଲି ଜଣାପଡିଛି । ଏପରିକି ଅମିତ ଶାହ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ମଧ୍ୟ କୁହାଯାଉଛି । ତେବେ ଅମିତ ଶାହଙ୍କ ଏପରି ଓଡ଼ିଶା ଗସ୍ତକୁ ନେଇ ସବୁ ମହଲରେ ଚର୍ଚ୍ଚା ଜୋର ଧରିଛି । ଗତ ଦୁଇ ଦିନ ଧରି ବିଜେଡି-ବିଜେପି ସମ୍ପର୍କକୁ ନେଇ ଜାତୀୟ ରାଜନୀତି ଉଠୁଛି ପଡୁଛି । ଏପରି ସ୍ଥିତିରେ ଅମିତ ଶାହଙ୍କ ଅଚାନକ ଓଡ଼ିଶା ଗସ୍ତକୁ ନେଇ ରାଜନୈତିକ ମହଲରେ ଟୁପୁରୁ ଟାପୁରୁ ଆରମ୍ଭ ହୋଇଯାଇଛି। ଦିଲ୍ଲୀ ବିଲକୁ ନେଇ ଅଧିକାଂଶ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ବିରୋଧ କରୁଥିବାବେଳେ ବିଜେଡି ଏହାକୁ ସମର୍ଥନ କରିବ ବୋଲି ଘୋଷଣା କରିଛି । ସେହିପରି ମଣିପୁର ହିଂସାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ବିରୋଧୀ ଏକଜୁଟ ହେଉଥିବାବେଳେ ବିଜେଡି ଏହାକୁ ବିରୋଧ କରି କେନ୍ଦ୍ରରେ ବିଜେପି ସରକାରକୁ ସମର୍ଥନ ଦେବ ବୋଲି କିହଛି । ଏହାକୁ ନେଇ ଗତକାଲିଠାରୁ ଜାତୀୟ ସ୍ତରରେ ବିଜେଡିକୁ ଅନେକ ପ୍ରଶ୍ନବାଣର ଶୀକାର ହେବାକୁ ପଡିଲାଣି ।
ଅନ୍ୟପକ୍ଷେ ବିଜେପିକୁ ସମର୍ଥନର ହାତ ବଢେଇବା ପରେ ନିଜ ଦାବି ଦୋହରାଇଛି ବିଜେଡି । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ମିଳିବ ନାହିଁ ବୋଲି ପୂର୍ବରୁ କେନ୍ଦ୍ର କହି ସାରିଥିବାବେଳେ ଗତକାଲି ସଂସଦରେ ପୁଣି ଏହି ପୁରୁଣା ଦାବିକୁ ଦୋହରାଇଛି ବିଜେଡି । ସାଂସଦ ସସ୍ମିତ ଆଚାର୍ଯ୍ୟ ରାଜ୍ୟସଭାରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ ଦାବି କରିଛନ୍ତି । ଏପରି ଏକ ସମୟରେ କେନ୍ଦ୍ର ଗୃହ ମନ୍ତ୍ରୀ ତଥା ବିଜେପି ସରକାରର ଚାଣକ୍ୟ ଅମିତ ଶାହଙ୍କ ଅଚାନକ ଓଡ଼ିଶା ଗସ୍ତ ଆଉ ଏକ ଦିଗକୁ ମଧ୍ୟ ଇଙ୍ଗିତ କରୁଛି । ଅମିତ ଶାହ ଓଡ଼ିଶା ଗସ୍ତରେ ଆସି ବିଜେପିର ବରିଷ୍ଠ ନେତୃବୃନ୍ଦଙ୍କ ସହ କରିପାରନ୍ତି ରୁଦ୍ଧଦ୍ୱାର ବୈଠକ । ୨୪ ନିର୍ବାଚନ ପାଇଁ ଦଳୀୟ କର୍ମୀଙ୍କୁ ଦେଇପାରନ୍ତି ଗୁରୁମନ୍ତ୍ର ।