ନ୍ୟୁଜ୍ 365(ବ୍ୟୁରୋ): ବାରାଣସୀର ଜ୍ଞାନବାପୀ ମସଜିଦକୁ ନେଇ ଆଜି ଆହ୍ଲାବାଦ ହାଇକୋର୍ଟ ବଡ଼ ରାୟ ଶୁଣାଇଛନ୍ତି । ଅଞ୍ଜୁମାନ ଇନ୍ତଜାମିଆ ମସଜିଦ କମିଟିର ଆବେଦନକୁ ଖାରଜ କରି ଜ୍ଞାନବାପୀ ମସଜିଦର ASI ସର୍ଭେ ଜାରି ରଖିବା ବୋଲି ସବୁଜ ସଙ୍କେତ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। ଜୁଲାଇ ୨୧ରେ ବାରାଣସୀ ଜିଲ୍ଲା ଜଜ୍ ଜ୍ଞାନବାପୀର ASI ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଥିଲେ, ମାତ୍ର ଏହାକୁ ବିରୋଧ କରି ମୁସଲିମ ପକ୍ଷ ପ୍ରଥମେ ସୁପ୍ରିମକୋର୍ଟ ଏବଂ ପରେ ହାଇକୋର୍ଟରେ ASI ସର୍ଭେ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ। ବର୍ତ୍ତମାନ ଏହି ଆବେଦନକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ। ନ୍ୟାୟ ହିତରେ ଏଏସଆଇ ସର୍ଭେର ଆବଶ୍ୟକତା ରହିଥିବା କହିଛନ୍ତି କୋର୍ଟ। ଅନ୍ୟପଟେ ଏହାକୁ କେତେକ ସର୍ତ୍ତରେ କାର୍ଯ୍ୟକାରୀ କରାଯିବା ଆବଶ୍ୟକ ବୋଲି ମଧ୍ୟ ମତ ଦେଇଛନ୍ତି ।
ତେବେ ଶୁକ୍ରବାର ଦିନ ମସଜିଦ ପରିସରର ବୈଜ୍ଞାନିକ ସର୍ଭେ କରିବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲା ଜଜ୍ ଏ.କେ ବିଶ୍ୱାଶ। ଏଏସଆଇକୁ ୪ ଅଗଷ୍ଟ ମଧ୍ୟରେ ସର୍ଭେ ରିପୋର୍ଟ ବାରାଣାସୀ ଜିଲ୍ଲା କୋର୍ଟରେ ଦାଖଲ କରିବାର ଥିଲା। କୋର୍ଟଙ୍କ ନିର୍ଦ୍ଦେଶକ ପରେ ଏଏସଆଇ ଟିମ୍ ସୋମବାର ସର୍ଭେ କରିବା ପାଇଁ ଜ୍ଞାନବାପୀ ମସଜିଦ୍ରେ ପହଞ୍ଚିଥିଲା । କିନ୍ତୁ ମୁସଲିମ ପକ୍ଷ ଏହି ସର୍ଭେ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ଦୁଇ ଦିନ ପାଇଁ ସର୍ଭେ ଉପରେ ରୋକ ଲଗାଇଥିବା ବେଳେ ମସଜିଦ କମିଟିକୁ ହାଇକୋର୍ଟଙ୍କ ନିକଟକୁ ଯିବାକୁ କହିଥିଲେ । ପରେ ମୁସଲିମ ପକ୍ଷ ହାଇକୋର୍ଟରେ ମାମଲା ନେଇ ଆବେଦନ କରିଥିଲେ । ଶୁଣାଣି ପରେ ହାଇକୋର୍ଟ ମୁସଲିମ ପକ୍ଷର ଆବେଦନକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।
ହାଇକୋର୍ଟଙ୍କ ଏହି ରାୟ ପରେ ବିଭିନ୍ନ ମତ ପ୍ରକାଶ ପାଇଛି । ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି, ମୁଁ କୋର୍ଟଙ୍କ ନିର୍ଦ୍ଦେଶକୁ ସ୍ୱାଗତ କରୁଛି । ଏଏସଆଇ ସର୍ବେକ୍ଷଣରେ ସତ ସାମ୍ନାକୁ ଆସିବା ସହ ବିବାଦର ଅବସାନ ଘଟିବ ବୋଲି ମୋର ବିଶ୍ୱାସ ଅଛି। ହିନ୍ଦୁ ପକ୍ଷର ଓକିଲ ବିଷ୍ଣୁଶଙ୍କର ଜୈନ କହିଛନ୍ତି, ହାଇକୋର୍ଟ ମୁସଲିମ ପକ୍ଷର ଆବେଦନକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ଏଏସଆଇ ସର୍ଭେ ଆରମ୍ଭ ହେବା ଉଚିତ୍। କୋର୍ଟ ଆମର ଦାବିକୁ ଗ୍ରହଣ କରିଛନ୍ତି । କୌଣସି କ୍ଷତି ନକରି ଏହି ସର୍ଭେ କରାଯିବ। ଏଏସଆଇ କୋର୍ଟରେ ଏକ ଆଫିଡେଭିଟ୍ ମଧ୍ୟ ଉପସ୍ଥାପନ କରିଛି । କୋର୍ଟ କହିଛନ୍ତି, ଏଏସଆଇର ଆଫିଡେଭିଟ୍ ଗ୍ରହଣ ନକରିବାର କୌଣସି କାରଣ ନାହିଁ । ଏଥିରେ ଉଲ୍ଲେଖ କରାଯାଇଥିବା ସର୍ତ୍ତ ଅନୁଯାୟୀ ସର୍ଭେ କରାଯିବା ଉଚିତ୍ । ମୋ ମତରେ ଏହି ସର୍ଭେ ହେବା ଉଚିତ ।