ନ୍ୟୁଜ୍ 365(ବ୍ୟୁରୋ): ବୋଲ ମାନୁନି ଡେଙ୍ଗୁ । ହୁ ହୁ ହୋଇ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ସତେ ଯିମିତି ସରକାର ସାଜିଛନ୍ତି ନିରବଦ୍ରଷ୍ଟା । ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟରେ ଏବେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ବର୍ତ୍ତମାନସୁଦ୍ଧା ବେସରକାରୀ ଭାବେ ୩ଜଣ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ହୋଇସାରିଲାଣି। ପ୍ରତିବର୍ଷ ଭୁବନେଶ୍ବରରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଏହାକୁ ନିୟନ୍ତ୍ରଣ କରିବାରେ ବିଏମ୍ସି, ସ୍ବାସ୍ଥ୍ୟ ଓ ନଗର ଉନ୍ନୟନ ବିଭାଗ ବିଫଳ ହେଉଛି। କିଛିଦିନ ତଳେ ଦିଲ୍ଲୀ ସରକାର ଘରୁ ଡେଙ୍ଗୁ ଉତ୍ସ ବାହାରିଲେ ୧ହଜାର ଟଙ୍କା ଓ ଅଫିସରୁ ଡେଙ୍ଗୁ ଉତ୍ସ ଚିହ୍ନଟ ହେଲେ ୫ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ।
ପୂର୍ବରୁ ମୁମ୍ବାଇ, ମାଙ୍ଗାଲୋର ଆଦି ସହରରେ ଏହା ମଧ୍ୟ କାର୍ଯ୍ୟକାରୀ ହୋଇସାରିଛି। ମାତ୍ର ଭୁବନେଶ୍ବର ସମେତ ସହରାଞ୍ଚଳରେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସିଭିକ୍ ବାଇ ଲ’ କୌଣସି କାମରେ ଲାଗୁନି। ୨୦୧୪ ମସିହାରୁ ଏ ସଂପର୍କରେ ଆଲୋଚନା ଜାରି ରହିଛି, ମାତ୍ର ଏହା ଉପରେ ସେଭଳି ଠୋସ୍ ପଦକ୍ଷେପ ନିଆଯାଇନାହିଁ। ସିଭିକ୍ ବାଇ ଲ’ ଲାଗୁ ହୋଇଥିଲେ ହୁଏତ ସହରାଞ୍ଚଳରେ ରହୁଥିବା ଲୋକମାନେ ନିଜର କର୍ତ୍ତବ୍ୟ ସଂପର୍କରେ ନିଶ୍ଚିତ ଭାବରେ ସଚେତନ ହୋଇଥାନ୍ତେ ଏବଂ ଡେଙ୍ଗୁ ନିୟନ୍ତ୍ରଣରେ ରହିଥାନ୍ତା ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ତେବେ ଘରୋଇ କ୍ଷେତ୍ରରେ କୁକୁର ରଖିବା ପାଇଁ ବିଏମ୍ସି ନିୟମ ଆଣୁଛି, କିନ୍ତୁ ପ୍ରତିବର୍ଷ ଟେନସନ ବଢ଼ାଉଥିବା ଡେଙ୍ଗୁ ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ।
୨ ବର୍ଷ ତଳେ ରାଜଧାନୀର ଅଧିକାଂଶ ଲୋକଙ୍କ ଘରୁ ଡେଙ୍ଗୁ ମଶାର ଉତ୍ସ ଚିହ୍ନଟ ହେବା ପରେ ରାଜ୍ୟର ସହରାଞ୍ଚଳ ପାଇଁ ସିଭିକ୍ ବାଇ ଲ’ ଲାଗୁ କରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ୨୦୧୪ ଓ ୨୦୨୦ ମସିହାରେ ତତ୍କାଳୀନ ସ୍ବାସ୍ଥ୍ୟ ସଚିବ ପ୍ରଦୀପ ମହାପାତ୍ର ନଗର ଉନ୍ନୟନ ବିଭାଗକୁ ବାଇ ଲ’ଲାଗୁ କରିବା ପାଇଁ ଚିଠି ଲେଖିଥିଲେ। ଏଥିରେ ମାଙ୍ଗାଲୋର ନିଗମର ବାଇ ଲ’ ଓ ୧୯୯୫ ମସିହାରେ ଜାତୀୟ କୀଟ ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆଦି ସଂପର୍କରେ ଉଲ୍ଲେଖ କରାଯାଇଥିଲା। ଚିଠିରେ କୁହାଯାଇଥିଲା ଯେ ସହରାଞ୍ଚଳରେ ଥିବା ମଶା ଗ୍ରାମାଞ୍ଚଳର ମଶାଙ୍କଠାରୁ ଭିନ୍ନ। ତେଣୁ ଏହାର ନିୟନ୍ତ୍ରଣ ଓ ନିରାକରଣ ପାଇଁ ଭିନ୍ନ ଉପାୟ-ପଦକ୍ଷେପର ଆବଶ୍ୟକତା ରହିଛି।
ସହରାଞ୍ଚଳରେ ମଶାଙ୍କ ଲାର୍ଭା ଅବସ୍ଥାରୁ ନିୟନ୍ତ୍ରଣ କରିବାକୁ ପଡ଼ିଥାଏ। ମାତ୍ର ଗ୍ରାମାଞ୍ଚଳରେ ବୟସ୍କ ମଶାଙ୍କୁ ମାରିବା ପାଇଁ ଘର ଭିତରେ ସ୍ପ୍ରେ କରିବା, ଔଷଧୀୟ ମଶାରି ଓ ମଶା ମାରିପାରୁଥିବା ମଶାରିର ଆବଶ୍ୟକତା ପଡ଼ିଥାଏ। ସହରାଞ୍ଚଳରେ ମଶା ନିୟନ୍ତ୍ରଣ ପାଇଁ ଘର, ନିର୍ମାଣ ସ୍ଥାନ ଓ ଅନ୍ୟାନ୍ୟ ସ୍ଥାନରେ ମଶାର ଲାର୍ଭା ନିପାତ କରିବା ଜରୁରୀ। ଏଥିପାଇଁ ଜଣେ ବ୍ୟକ୍ତିଙ୍କ ଘରେ ପ୍ରବେଶ କରି ମଶାର ଉତ୍ପତ୍ତି ସ୍ଥଳର ଯାଞ୍ଚ କରିବା, ଲୋକଙ୍କୁ ସଚେତନ ଓ ନିର୍ମାଣ ସ୍ଥାନ ଆଦିରେ ରହିଥିବା ସ୍ଥିର ପାଣିକୁ ହଟାଇବା ଆବଶ୍ୟକ। ଏ ନେଇ ସଚେତନତା ସତ୍ତ୍ବେ ଯଦି କୌଣସି ବ୍ୟକ୍ତି ନିୟମର ଅବମାନନା କରୁଥାନ୍ତି ତାହାଲେ ସଂପୃକ୍ତ ବ୍ୟକ୍ତି ବିଶେଷ, ସଂସ୍ଥା ବିରୋଧରେ ଜୋରିମାନା ଆଦାୟ କରିବାର ମଧ୍ୟ ନିୟମ ରହିଛି। ଯଦି ସିଭିକ୍ ବାଇ ଲ’ ଲାଗୁ କରାଯିବ ତାହାଲେ ଲୋକମାନେ ନିଜର କର୍ତ୍ତବ୍ୟ ସଂପର୍କରେ ସଚେତନ ହେବେ ।
ନଗର ଉନ୍ନୟନ ବିଭାଗ ସିଭିକ୍ ବାଇ ଲ’ ପ୍ରଣୟନ କରିବ। ଏକାଧିକ ବିଭାଗର ସମନ୍ବୟରେ ଏହାକୁ କାର୍ଯ୍ୟକାରୀ କରାଯିବ। ମାତ୍ର ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ ସଂପର୍କରେ କୌଣସି ପଦକ୍ଷେପ ନିଆଯାଇନାହିଁ। ବିଶେଷଜ୍ଞଙ୍କ କହିବା କଥା ହେଉଛି, ଓଡ଼ିଶାରେ ଏକ ଜନସ୍ବାସ୍ଥ୍ୟ ଆଇନ ନାହିଁ। ଦେଶର ଅଧିକାଂଶ ରାଜ୍ୟରେ ଏହି ଆଇନ ଥିବା ବେଳେ ଓଡ଼ିଶାରେ ଏହାକୁ ଲାଗୁ କରିବାର ସମୟ ଆସିଛି। ଯାହାଫଳରେ ଜନସ୍ବାସ୍ଥ୍ୟକୁ ନେଇ ଉପୁଜୁଥିବା ସମସ୍ୟାର ସମାଧାନ ଦିଗରେ ଏହା ସହାୟକ ହୋଇପାରିବ। ଏହାସହ ସିଭିକ୍ ବାଇ ଲ’ ଲାଗୁ ହେଲେ ମଶା ନିୟନ୍ତ୍ରଣ କାର୍ଯ୍ୟ ତ୍ବରାନ୍ବିତ ହୋଇପାରିବ। ମନଇଚ୍ଛା କେହି ଘରେ ପାଣି ଜମା କରିପାରିବେ ନାହିଁ, ପାଣି ଟାଙ୍କି ଘୋଡ଼ାଇ ରଖିବେ, ଫୁଲ କୁଣ୍ଡରେ ଆବଶ୍ୟକତାଠାରୁ ଅଧିକ ପାଣି ଦେବେ ନାହିଁ ବୋଲି ନିୟମ ରହିଛି।
ଭୁବନେଶ୍ବରରେ ପ୍ରାୟ ଅଢ଼େଇ ଲକ୍ଷ ଘର ରହିଛି। ଏଡିସ ମଶା ଘରେ କିଛିଦିନ ଧରି ସ୍ଥିର ରହୁଥିବା ସ୍ବଚ୍ଛ ପାଣିରେ ଅଣ୍ଡା ଦେଇଥାଏ। ଏ ଦୃଷ୍ଟିରୁ ଅଧିକାଂଶ ମଶାର ଉତ୍ସ ଘରୁ ଚିହ୍ନଟ ହୋଇଥାନ୍ତି। ତେବେ ମଶା ଉତ୍ସ ନଷ୍ଟ କରିବା ପାଇଁ ଯାଉଥିବା ସରକାରୀ କର୍ମଚାରୀଙ୍କୁ ଲୋକମାନେ ଘରେ ପ୍ରବେଶର ଅନୁମତି ଦେଉନାହାନ୍ତି। ଏଥିପାଇଁ ମଶା ଉତ୍ସ ନଷ୍ଟ ପାଇଁ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀଙ୍କୁ ଆଇ-କାର୍ଡ ପ୍ରଦାନ କରିବା ଭଳି ପ୍ରସ୍ତାବ ଆସିଲାଣି। ତେଣୁ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା ଆବଶ୍ୟକ , ନଚେତ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଡେଙ୍ଗୁରେ ଏକାଧିକ ଲୋକଙ୍କ ଜୀବନ ଯିବ ।
ରାଜଧାନୀରେ ୨ ସପ୍ତାହ ତଳେ ଦିନକୁ ହାରାହାରି ୩୦ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଏବେ ଏହି ସଂଖ୍ୟା ୫୦ ଛୁଇଁବାକୁ ବସିଛି। ସୋମବାର ୪୩ ରୋଗୀ ଚିହ୍ନଟ ହୋଇଥିବା ବେଳେ ମଙ୍ଗଳବାର ୪୬ ଓ ବୁଧବାର ୪୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହିସାବକୁ ନେଲେ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୫୦ରେ ପହଞ୍ଚିଛି। ସମଗ୍ର ରାଜ୍ୟରେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୫୦% କେବଳ ଭୁବନେଶ୍ବରରୁ ଚିହ୍ନଟ ହେଉଛନ୍ତି। ଫଳରେ ବିଏମ୍ସିର ପାରିବାପଣିଆ ପୁରାପୁରି ଜଣାପଡ଼ିଯାଉଛି ।
୨୦୨୨ ମସିହା ଅଗଷ୍ଟ ମାସରେ ଭୁବନେଶ୍ବରରେ ଦୈନିକ ୫୦ରୁ ୬୦ ରୋଗୀ ଚିହ୍ନଟ ହେଉଥିଲେ । ତେଣୁ ବର୍ତ୍ତମାନର ସ୍ଥିତି ପୂର୍ବବର୍ଷର ସ୍ଥିତି ସହ ସମାନ ହେବାକୁ ଯାଉଛି। ଏଣୁ ବିଏମ୍ସି ପୂର୍ବବର୍ଷ ତୁଳନାରେ ସେଭଳି ତତ୍ପରତା ପ୍ରକାଶ କରିନଥିବା କୁହାଯାଉଛି। କାରଣ ଭୁବନେଶ୍ୱରରେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସମସ୍ତ ପ୍ରକାର ଉଦ୍ୟମ କରୁଥିବା କହିଛି ବିଏମସି । ଏପରିକି କମିସନରଙ୍କ ମାନସପୁତ୍ର କୁହାଯାଉଥିବା ‘ଘର ଘର ଅଭିଯାନ’କୁ ଗୁରୁତ୍ବର ସହ ମନିଟର କରାଯାଉଥିବା ବି କୁହାଯାଉଛି।
‘ଆଗ୍ରେସିଭ୍ ଆୱାରନେସ୍’ ଅର୍ଥାତ୍ ପ୍ରତ୍ୟେକ ଲୋକଙ୍କ ପାଖରେ ଯେଭଳି ସଚେତନତାର ବାର୍ତ୍ତା ପହଞ୍ଚିବ, ସେନେଇ ଏହି କାର୍ଯ୍ୟକ୍ରମକୁ ତୃଣମୂଳସ୍ତରରେ କରାଯାଉଛି। ମଶାଧୂଆଁ ଦେବା ପାଇଁ ପେଟ୍ରୋଲ ଏବଂ ଡିଜେଲ କିଣା ବାବଦ ଦିନକୁ ବିଏମସି ଖର୍ଚ୍ଚ କରୁଛି ୭୯ ହଜାର ଟଙ୍କା । ଏହି ହିସାବରେ ବିଏମସି ମାସକୁ ୨୩ ଲକ୍ଷ ୭୦ ହଜାର ଟଙ୍କା ଖର୍ଚ୍ଚ କରୁଛି । ମଶା ନିୟନ୍ତ୍ରଣ ପାଇଁ ଅନ୍ୟାନ୍ୟ ଖର୍ଚ୍ଚ ମିଶାଇଲେ ବିଏମସି ମାସକୁ ପ୍ରାୟ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛି । ହେଲେ ଏ ସବୁ ସତ୍ତ୍ୱେ ଡେଙ୍ଗୁ କିନ୍ତୁ ଯେମିତି ଡିଆଁ ମାରିବା କଥା ସେମିତି ମାରୁଛି । ବାସ୍ତବରେ ଟଙ୍କା ଖର୍ଚ୍ଚ ହେଉଛି ନା ଅଧିକାରୀଙ୍କ ପକେଟ ଗରମ ହେଉଛି ତାହା ବି ବୁଝିବା ବଡ଼ କଷ୍ଟକର ।