ନ୍ୟୁଜ 365 (ବ୍ୟୁରୋ): ବିପଦ ସଂକେତରେ ବୈତରଣୀ । ତିନି ଦିନର ଲଗାଣ ବର୍ଷାରେ ଉବୁଟୁବୁ ଅଧା ଓଡିଶା । ବର୍ଷା ଯୋଗୁ ବୈତରଣୀରେ ଦେଖା ଦେଲାଣି ବନ୍ୟା ସ୍ଥିତି । ନଦୀରେ ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ ଏବେ ୧୯.୮୮ ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ଏତିକିରେ ଭଦ୍ରକରୁ ଯାଜପୁର ଟାଉନକୁ ଯୋଗାଯୋଗ ହୋଇଛି ବିଛିନ୍ନ । ସେପଟେ ଷୋଳମପୁର ପଞ୍ଚାୟତ ଖପୁରିଆପଦା ମୁଖ୍ୟ ରାସ୍ତା ରେ ୩ ଫୁଟ ବନ୍ୟାଜଳ । ସେହିପରି ଆନନ୍ଦପୁରରେ ବୈତରଣୀର ବିପଦ ସଂକେତ ୩୮.୩୬ମିଟର ଥିବାବେଳେ ଏବେ ୪୦ମିଟର ଉପରେ ପାଣି ବହୁଛି। ଏବେବି ଉପରମୁଣ୍ଡରେ ବର୍ଷା ଯୋଗୁ ନଦୀର ଜଳସ୍ତର ବଢ଼ୁଛି ।
ସେହିପରି ପ୍ରବଳ ବର୍ଷା ନେଇ ୧୦ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣଂ ଜାରି କରାଯାଇଛି । ଆସନ୍ତା ୨୪ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଥିବା ବେଳେ ବର୍ଷା ବିତ୍ପାତର ମୁକାବିଲା ପାଇଁ ରାଜ୍ୟ ସରକାର ୯ଟି ଜିଲ୍ଲାରେ ୧୦ଟି ଓଡ୍ରାଫ ଓ ଏନଡିଆରଏଫ୍ ଟିମ୍ ମୁତୟନ କରିଛନ୍ତି । ତେବେ ରାଜ୍ୟର ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଅଫିସରଙ୍କ ମୁତାବକ ନଦୀର ଜଳସ୍ତର କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ପରିସ୍ଥିତିକୁ ଦେଖି କେନ୍ଦୁଝର , ସମ୍ବଲପୁର, ରେଢ଼ାଖୋଲ, ଭଦ୍ରକ, ଯାଜପୁର, ମୟୁରଭଞ୍ଜ, ଅନୁଗୋଳ, ବୌଦ୍ଧ ଓ ବାଲେଶ୍ବର ଜିଲ୍ଲାରେ ମୋଟ ୮ଟି ଓଡ୍ରାଫ୍ ଟିମ୍ ମୁତୟନ ହୋଇଥିବା ବେଳେ ଭଦ୍ରକ ଓ ଯାଜପୁରରେ ଗୋଟିଏ ଲେଖାଏଁ ଏନଡିଆରଏଫ୍ ଟିମ୍ ମୁତୟନ କରାଯାଇଛି । ସେହିଭଳି ଭଦ୍ରକ ଓ ଯାଜୁପୁରରେ ୩ଟି ଲେଖାଏଁ ଅଗ୍ନିଶମ ବାହିନୀ ଟିମ ସମେତ ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ସୋନପୁର, ବୌଦ୍ଧ, କନ୍ଧମାଳ ଓ ବାଲେଶ୍ବରର ଜିଲ୍ଲାରେ ୧୩ଟି ଟିମ୍ ମୁତୟନ ଅଛନ୍ତି ।