ନ୍ୟୁଜ 365 (ବ୍ୟୁରୋ): ୧୮ ବର୍ଷର ବୈବାହିକ ଜୀବନ ପରେ ଅଲଗା ହେବାକୁ ଯାଉଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୁ । ପ୍ରଧାନମନ୍ତ୍ରୀ ଟ୍ରୁଡୁ ତାଙ୍କ ସ୍ତ୍ରୀ ସୋଫି ଗ୍ରେଗୋଆର୍ ଟ୍ରୁଡୁଙ୍କ ଠାରୁ ଅଲଗା ହେବାକୁ ନିଷ୍ପତି ନେଇଛନ୍ତି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଘୋଷଣା କରାଯାଇଛି । ୧୮ ବର୍ଷର ବୈବାହିକ ଜୀବନର ଅବସାନ ଘଟାଇ ପରସ୍ପରଠାରୁ ଅଲଗା ହେବେ ଜଷ୍ଟିନ୍ ଟ୍ରୁଡୁ ଓ ସୋଫି ଗ୍ରେଗୋଆର୍ ଟ୍ରୁଡୁ । ‘ଇନ୍ଷ୍ଟାଗ୍ରାମ୍’ରେ ପୋଷ୍ଟ୍ କରାଯାଇଥିବା ବିବୃତିରେ ଦୁହେଁ କହିଛନ୍ତି, ଅନେକ ଆଲୋଚନା ପରେ ସେମାନେ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ବର୍ତ୍ତମାନ ଏହି ଘଟଣାକୁ ନେଇ କାନାଡାରେ ଚର୍ଚ୍ଚା ଜୋର ଧରିଛି ।
ସୂଚନା ଅନୁସାରେ, ୨୦୦୩ରେ ଗ୍ରେଗୋଆର୍ ଟେଲିଭିଜନ୍ ଉପସ୍ଥାପିକା ଭାବେ କାର୍ଯ୍ୟ କରୁଥିବା ବେଳେ ଦୁହିଁଙ୍କର ‘ଡେଟିଙ୍ଗ୍’ ଆରମ୍ଭ ହୋଇଥିଲା । ୨୦୦୫ ମସିହାରେ ସୋଫି ଗ୍ରେଗୋଆର୍ଙ୍କୁ ଜଷ୍ଟିନ୍ ଟ୍ରୁଡୁ ବିବାହ କରିଥିଲେ । ସେମାନଙ୍କର ୩ଟି ସନ୍ତାନ ଥିବା ଜଣାପଡିଛି । ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୁଙ୍କୁ ୫୧ ବର୍ଷ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ସୋଫି ଗ୍ରେଗୋଆର୍ ଟ୍ରୁଡୁଙ୍କ ବୟସ ୪୮ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି କରାଯାଇଥିବା ବିବୃତିରେ ଉଲ୍ଲେଖ ଅଛି ଯେ, ଦୁହେଁ ଆଇନଗତ ପୃଥକ୍-ରାଜିନାମାରେ ସ୍ବାକ୍ଷର କରିଛନ୍ତି। ସେମାନଙ୍କ ଗୋପନୀୟତା ପ୍ରତି ସମ୍ମାନ ଦେବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁରୋଧ କରିଛି ।