ନ୍ୟୁଜ 365 (ବ୍ୟୁରୋ): ହରିୟାଣା ହିଂସା ଘଟଣାରେ ଶୁଣାଣି କରି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କହିଛନ୍ତି, ରାଲି ହେବ କିନ୍ତୁ ଏହାର ଭିଡିଓ ରେକର୍ଡିଂ ହେବ। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଆନ୍ଦୋଳନର ସିସିଟିଭି ରେକର୍ଡ କରାଯିବ। ଆନ୍ଦୋଳନ ସମୟରେ କୌଣସି ସମ୍ପ୍ରଦାୟ ବିରୋଧରେ ଯେଭଳି କୌଣସି ପ୍ରକାର ଘୃଣା ଭାଷଣ ଦିଆନଯାଏ ତାହା ସୁନିଶ୍ଚିତ କରିବାପାଇଁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଅର୍ଦ୍ଧସାମରିକ ବାହିନୀ ସହ ଅତିରିକ୍ତ ସେନା ମୁତୟନ କରିବାପାଇଁ କୁହାଯାଇଛି। ସମ୍ବେଦନଶୀଳ ଅଞ୍ଚଳରେ ସିସିଟିଭି କ୍ୟାମେରା ବ୍ୟବହାର ସହ ସିସିଟିଭି ଫୁଟେଜ୍କୁ ସଂରକ୍ଷିତ ରଖାଯିବ। କୋର୍ଟ ଉତ୍ତରପ୍ରଦେଶ, ହରିୟାଣା ଏବଂ ଦିଲ୍ଲୀ ସରକାରଙ୍କୁ ମଧ୍ୟ ଉକ୍ତ ପ୍ରସଙ୍ଗରେ ନୋଟିସ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅଗଷ୍ଟ ୪ ତାରିଖରେ ହେବ। ହରିୟାଣା ହିଂସାକୁ ବିରୋଧ କରି ଦିଲ୍ଲୀରେ ବିଶ୍ବ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପକ୍ଷରୁ ଆନ୍ଦୋଳନ ହୋଇଥିଲା । ତେବେ ଏହି ଆନ୍ଦୋଳନ ଓ ରାଲି ବନ୍ଦ କରିବାପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା। ଜଷ୍ଟିସ ସଂଜୀବ ଖାନ୍ନା ଏବଂ ଏସ୍ଭି ଭଟ୍ଟିଙ୍କ ଖଣ୍ଡପୀଠ ଏହି ଆବେଦନର ଜରୁରୀ ଶୁଣାଣି କରିଛନ୍ତି ।