ନ୍ୟୁଜ୍ 365(ବ୍ୟୁରୋ): ବର୍ତ୍ତମାନ ଦେଶର ବିଧାୟକଙ୍କ ସମ୍ପତ୍ତିକୁ ନେଇ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ ବା ଏଡିଆର ରିପୋର୍ଟ ଜାରି କରିଛି । ରିପୋର୍ଟ ଅନୁସାରେ, ମୋଟ ୪ହଜାର ୧ ବିଧାୟକଙ୍କ ମୋଟ ସମ୍ପତ୍ତି ହେଉଛି ୫୪ହଜାର ୫୪୫ କୋଟି ଟଙ୍କା । ଯାହା ଉତ୍ତରପୂର୍ବାଞ୍ଚଳର ତିନି ରାଜ୍ୟ ନାଗାଲାଣ୍ଡ, ମିଜୋରାମ ଓ ସିକ୍କିମର ୨୦୨୩-୨୪ ମିଳିତ ବଜେଟ୍ ଠାରୁ ବି ଅଧିକ । ଏହି ତିନି ରାଜ୍ୟର ମୋଟ ବଜେଟ୍ ପରିମାଣ ହେଉଛି ୪୯ ହଜାର ୧୦୩ କୋଟି ଟଙ୍କା । ରିପୋର୍ଟରେ କୁହାଯାଇଛି ନାଗାଲାଣ୍ଡର ୨୦୨୩-୨୪ ଆର୍ଥିକ ବର୍ଷର ମୋଟ ବଜେଟ ପରିମାଣ ହେଉଛି ୨୩ ହଜାର ୮୬ କୋଟି ।
ସେହିଭଳି ମିଜୋରାମର ମୋଚ ବଜେଟ ପରିମାଣ ୧୪ ହଜାର ୨୧୦ କୋଟି ଓ ସିକ୍କିମର ବଜେଟ ପରିମାଣ ୧୧ ହଜାର ୮୦୭ କୋଟି ଟଙ୍କା । ଜେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ବିଧାୟକମାନେ ନିର୍ବାଚିତ କମିଶନଙ୍କ ନିକଟରେ ଦାଖଲ କରିଥିବା ସତ୍ୟପାଠକୁ ସମୀକ୍ଷା କରିବା ପରେ ଏଡିଆର ଏହି ରିପୋର୍ଟ ଜାରି କରିଛି । ରିପୋର୍ଟରେ ୮୪ଟି ବିଭିନ୍ନ ଦଳ ଓ ନିର୍ଦ୍ଦଳୀୟ ବିଧାୟକଙ୍କୁ ମିଶାଇ ମୋଟ ୪ ହଜାର ୧ ବିଧାୟକଙ୍କ ସମ୍ପତ୍ତି ତାଲିକାକୁ ସାମିଲ କରାଯାଇଛି । ରିପୋର୍ଟ ଅନୁସାରେ ବିଧାୟକଙ୍କ ହାରାହାରି ସମ୍ପତ୍ତିର ପରିମାଣ ରହିଛି ୧୩ କୋଟି ୬୩ ଲକ୍ଷ ଟଙ୍କା ।
ବିଜେପିର ୧ ହଜାର ୩୫୬ ଜଣ ବିଧାୟକଙ୍କ ପାଖରେ ରହିଛି ମୋଟ ୧୬ ହଜାର ୨୩୪ କୋଟି ଟଙ୍କା। ସେହିପରି ୭୧୯ ଜଣ କଂଗ୍ରେସ ବିଧାୟକଙ୍କ ସମ୍ପତ୍ତି ହେଉଛି ୧୫ ହଜାର ୭୯୮ କୋଟି ଟଙ୍କା । ରିପୋର୍ଟରେ କୁହାଯାଇଛି, ମୋଟ ୪ହଜାର ୩୩ଜଣ ବିଧାୟକଙ୍କ ମଧ୍ୟରୁ ୪ହଜାର ୧ ଜଣଙ୍କ ସମ୍ପତ୍ତି ତାଲିକାକୁ ସାମିଲ କରାଯାଇଛି। ୱାଇଏସଆର କଂଗ୍ରେସ ଦଳର ୧୪୬ ବିଧାୟକଙ୍କ ସମ୍ପତ୍ତି ୩ହଜାର ୩୭୯ କୋଟି ଟଙ୍କା।
ସେହିପରି ଡିଏମକେର ୧୩୧ ବିଧାୟକଙ୍କ ପାଖରେ ୧ହଜାର ୬୬୩ କୋଟି ଟଙ୍କାର ସମ୍ପତ୍ତି, ଆମ୍ ଆଦମୀ ପାର୍ଟିର ୧୬୧ ବିଧାୟକଙ୍କ ପାଖରେ ୧ହଜାର ୬୪୨ କୋଟି ଟଙ୍କାର ସମ୍ପତ୍ତି ରହିଛି । ରିପୋର୍ଟରେ ୮୪ ରାଜନୈତିକ ଦଳ ଓ ସ୍ୱାଧୀନ ବିଧାୟକଙ୍କର ସମ୍ପତ୍ତି ଉଲ୍ଲେଖ ହୋଇଛି ।