ନ୍ୟୁଜ୍ 365(ବ୍ୟୁରୋ): ଆକାଶରୁ ଖସୁଛି ମୃତ୍ୟୁ । ଚାହୁଁ ଚାହୁଁ ଚାଲିଯାଉଛି ଜୀବନ । କିଛି ବୁଝିବା ଆଗରୁ ଲିଭି ଯାଉଛି ଜୀବନ ଦୀପ । ଛାରଖାର ହୋଇଯାଉଛି ଗୋଟିଏ ପରିବାର । ରାଜ୍ୟରେ ୩ଦିନ ହେବ ବର୍ଷା ଲାଗିରହିଥିବା ବେଳେ ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ମଙ୍ଗଳବାର ମଧ୍ୟ ବଜ୍ରପାତରେ ୩ ଜଣଙ୍କ ପ୍ରାଣ ଯାଇଛି । ଚଳିତ ବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୧୫୩ ଜଣଙ୍କର ବଜ୍ରପାତରେ ମୃତ୍ୟୁ ହେଲାଣି ।ପ୍ରତି ବର୍ଷ ଓଡ଼ିଶାରେ ବଜ୍ରପାତରେ ଶତାଧିକ ଲୋକଙ୍କର ମୃତ୍ୟୁ ହେଉଛି । ୨୦୦୦ ରୁ ୨୦୨୨ ମସିହା ଭିତରେ ରାଜ୍ୟରେ ୬ ହଜାର ୭୫ଜଣ ଲୋକଙ୍କ ଜୀବନ ନେଇଛି ବଜ୍ରପାତ । ସେହିପରି ୧୯୬୭ ମସିହାରୁ ୨୦୨୨ ମସିହା ଭିତରେ ଦେଶରେ ପ୍ରାୟ ଏକ ଲକ୍ଷ ତେରଶହ ଲୋକ ହରାଇଛନ୍ତି । ତେବେ ବଜ୍ରପାତଜନିତ ମୃତ୍ୟୁରେ ଓଡ଼ିଶା ଦେଶର ଚତୁର୍ଥ ସ୍ଥାନରେ ରହିଛି ।
୨୦୧୧-୨୦୧୨ରୁ ୨୦୧୯-୨୦୨୦ ମଧ୍ୟରେ ରାଜ୍ୟରେ ୩ ହଜାର ୨୧୮ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୩୪୦ ଜଣଙ୍କ ଜୀବନ ଯାଇଛି । କେନ୍ଦୁଝର ଓ ଗଞ୍ଜାମରେ ୨୦୯ ଜଣ ଲେଖାଏଁ ଲୋକଙ୍କ ପ୍ରାଣ ଯାଇଛି । ସେହିପରି ସୁନ୍ଦରଗଡ଼ରେ ୧୯୧, ବାଲେଶ୍ୱରରେ ୧୮୫, କଟକରେ ୧୭୭, ଢେଙ୍କାନାଳରେ ୧୫୪ ଓ ନବରଙ୍ଗପୁରରେ ୧୩୩ ଲୋକଙ୍କ ମୃତ୍ୟୁ ହୋଇଛି ।
ଖରାଦିନେ କାଳବୈଶାଖୀ ସମୟରେ ଗଛତଳେ ଲୋକମାନେ ଆଶ୍ରୟ ନେଇଥାନ୍ତି । ଏହି ସମୟରେ ଆଶ୍ରୟ ନେଇଥିବା ପ୍ରାୟ ୮୫ ପ୍ରତିଶତ ଲୋକଙ୍କର ବଜ୍ରାଘାତରେ ମୃତ୍ୟୁ ହୋଇଥାଏ । ସେହିପରି ମୌସୁମୀ ସମୟରେ ଚାଷ ଜମିରେ କାମ କରୁଥିବା ବେଳେ ବଜ୍ରପାତରେ ଅଧିକ ଲୋକଙ୍କ ମୃତ୍ୟୁ ହୁଏ । ଅଧିକାଂଶ ବଜ୍ରପାତ ମୃତ୍ୟୁ ଦିନ ୧୨ଟାରୁ ରାତି ୮ଟା ମଧ୍ୟରେ ହିଁ ହୋଇଥାଏ । ଏହାକୁ ବତ୍ରପାତର ପିକ୍ ସମୟ ବୋଲି କୁହାଯାଏ । ବଜ୍ରପାତ ମୃତ୍ୟୁରେ ଓଡ଼ିଆ ଚତୁର୍ଥ ସ୍ଥାନରେ ରହିବା ଅଧିକ ଚିନ୍ତାଜନକ । ବଜ୍ରପାତ ମୃତ୍ୟୁରୁ ବର୍ତ୍ତିବା ପାଇଁ ସୂଚନା, ସଚେତନତା ଓ ସତର୍କତା ହିଁ ହେଉଛି ଏକମାତ୍ର ଉପାୟ ।
ବଜ୍ରପାତ ନେଇ ଗ୍ରାମାଞ୍ଚଳରେ ମଧ୍ୟ ୨୪ ଘଣ୍ଟିଆ ସୂଚନା ମିଳିବା ଆବଶ୍ୟକ । ବଜ୍ରପାତ ସମୟରେ ଖୋଲା ଆକାଶ ତଳେ , ପାଣିରେ, ଗଛମୂଳେ ରହିବା ଉଚିତ୍ ନୁହେଁ । ଦୁଇ ଚକିଆ ଯାନରେ ବି ଯାତାୟାତ ବିପଦଜନକ ହୋଇଥାଏ । ତେଣୁ ବଜ୍ରପାତଜନିତ ମୃତ୍ୟୁ ରୋକିବା ପାଇଁ ଅଧିକ ମାତ୍ରାରେ ସଚେତନତାର ଆବଶ୍ୟକତା ରହିଛି ।