ନ୍ୟୁଜ୍ 365(ବ୍ୟୁରୋ): ଭାରତୀୟ ଖେଳାଳିଙ୍କର ଅହଂକାର ବଢିଯାଇଥିବା ନେଇ କପିଳ ଦେବଙ୍କ ଟିପ୍ପଣୀର ଜବାବ ରଖିଲେ ରବିନ୍ଦ୍ର ଜାଡେଜା। କହିଲେ ‘ଦଳ ହାରିଲେ ସମାଲୋଚନା ଶୁଣିବାକୁ ମିଳେ’। ତୃତୀୟ ଦିନିକିଆ ଆରମ୍ଭ ହେବା ପୂର୍ବରୁ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥା ହେଉଥିବା ବେଳେ ଜାଦେଜା କହିଛନ୍ତି ଯେ, ଦଳର ଏକମାତ୍ର ଲକ୍ଷ୍ୟ ହେଉଛି ଭାରତକୁ ଜିତାଇବା। ଏଥିରେ କାହାର ବ୍ୟକ୍ତିଗତ ଏଜେଣ୍ଡା ନାହିଁ। ବିଜୟ ପାଇବା ଏବଂ ଦେଶ ପାଇଁ ଗୌରବ ଆଣିବା ଦିଗରେ ଖେଳାଳିମାନେ ସମର୍ପିତ ଏବଂ ଦୃଢ ସଂକଳ୍ପବଦ୍ଧ। ପ୍ରତି ବ୍ୟକ୍ତିଙ୍କର ମତାମତ ଦେବା ଅଧିକାର ରହିଛି। ପୂର୍ବତନ ଖେଳାଳିମାନେ ସେମାନଙ୍କ ଭାବନାକୁ ବାଣ୍ଟିପାରିବେ। କିନ୍ତୁ ଖେଳାଳିଙ୍କ ଭିତରେ କୌଣସି ଅହଂକାର ଭାବନା ନଥିବା ଜାଦେଜା କହିଛନ୍ତି। ପ୍ରତ୍ୟେକ ଖେଳାଳି କ୍ରିକେଟ୍କୁ ଉପଭୋଗ କରୁଛନ୍ତି ଏବଂ ସମସ୍ତେ କଠିନ ପରିଶ୍ରମୀ।
ମ୍ୟାଚ୍ରେ ସମସ୍ତେ ନିଜର ଶତପ୍ରତିଶତ ଚେଷ୍ଟା କରୁଛନ୍ତି। ହେଲେ ଯେତେବେଳେ ଭାରତ କୌଣସି ମ୍ୟାଚ୍ ହାରିଯାଏ, ସେତେବେଳେ ଏଭଳି ସମାଲୋଚନା ଶୁଣିବାକୁ ମିଳିଥାଏ ବୋଲି ଜାଦେଜା କହିଛନ୍ତି। ଦିନିକିଆ ଶୃଙ୍ଖଳାରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯିବା ପଛରେ ମହତ୍ ଉଦ୍ଦେଶ୍ୟ ରହିଛି। ଏସିଆ କପ୍ ଓ ବିଶ୍ବକପ୍ରେ ଦଳର ଗଠନ କିପରି ହେବ ତାହାକୁ ଦୃଷ୍ଟିରେ ରଖି ଏଭଳି ପରୀକ୍ଷାନିରୀକ୍ଷା କରାଯାଉଛି। କିଏ କେଉଁସ୍ଥାନରେ ଖେଳିବାକୁ ଫିଟ୍ ହେଉଛି, ତାହା ଏହିଠାରୁ ଜଣାପଡ଼ିଯିବ। ଅଧିନାୟକ ଓ ଦଳୀୟ ପରିଚାଳନା ମଣ୍ଡଳୀ ଚୂଡ଼ାନ୍ତ ଏକାଦଶ ସଂପର୍କରେ ଭଲଭାବେ ଜାଣିଛନ୍ତି। ତେଣୁ ଏଥିରେ ଦ୍ବନ୍ଦ୍ବ ରହିବା ଆବଶ୍ୟକତା ନାହିଁ। ଏପରିକି ଏସିଆ କପ୍ରେ କିଏ କେଉଁଠାରେ ଖେଳିବ ତାହା ମଧ୍ୟ ନିର୍ଦ୍ଧାରିତ ହୋଇସାରିଛି। ତଥାପି କିଛି ନିର୍ଦ୍ଧିଷ୍ଟ ଖେଳାଳିଙ୍କୁ କେଉଁସ୍ଥାନରେ ଖେଳିବା ଉପଯୁକ୍ତ ହେବ ତାହା ଏଠାରେ ଦେଖାଯାଉଥିବା ସେ ସୂଚନା ଦେଇଛନ୍ତି। ତଥାପି ଦ୍ବିତୀୟ ମ୍ୟାଚ୍ରେ ପରାଜୟ ଯୋଗୁଁ ଦଳ ଚିନ୍ତିତ ନାହିଁ। କାରଣ ପରୀକ୍ଷା କରାଯିବା ଯୋଗୁଁ ଦଳ ହାରିଛି ଭାବିବା ପରିବର୍ତ୍ତେ କିଛି ବାହ୍ୟ କାରଣ ଯୋଗୁଁ ଏପରି ହୋଇଛି। ଯୁବ ଖେଳାଳିମାନଙ୍କୁ ଆନ୍ତର୍ଜାତିକ ଅଭିଜ୍ଞତା ପାଇବା ଆବଶ୍ୟକତା ରହିଛି। ବଡ଼ ମ୍ୟାଚ୍ ପୂର୍ବରୁ ସେମାନଙ୍କୁ ସମୟ ଦିଆଯିବା ଆବଶ୍ୟକ ବୋଲି କହିଛନ୍ତି ଜାଦେଜା ।