ନ୍ୟୁଜ୍ 365(ବ୍ୟୁରୋ): ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ। ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ତଳ ମୁଣ୍ଡରେ ବନ୍ୟା ପାଣି ଲହଡ଼ି ଭାଙ୍ଗୁଛି । ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଚଉକିନାଳରେ ବନ୍ୟାଜଳ ପ୍ରବାହିତ ହେଉଛି । ବିନିକା ତେଳିପାଲି ରାସ୍ତା ଉପରେ ୪ଫୁଟର ପାଣି ପ୍ରବାହିତ ହେଉଛି । ବିନିକା ଖଇରମାଳରେ ଥିବା ଶ୍ରୀ ଶ୍ରୀ ହରିଶଙ୍କର ବାବାଙ୍କ ମନ୍ଦିରରେ ପଶିଛି ପାଣି ।
ଚଉକି ନାଳରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଏହି ନାଳର ଉଭୟ ପାଶ୍ୱର୍ରେ ଚାଷ ଜମି ପାଣି ଘେରରେ ବୁଡ଼ି ରହିଛି । ଲୀଳା ସାହାଜୀ ବିଦ୍ୟା ମନ୍ଦିର ପାଖରେ ଥିବା ପୋଲ ଉପରେ ମଧ୍ୟ ୪ଫୁଟର ପାଣି ରହିଥିବାରୁ ସିଲାଟି, ଭଣ୍ଡାର,ମେଘେଳା, କୁହିବାହାଳ, ଯୁଲୁଣ୍ଡା, ଭିମଟିକିରା, ପଞ୍ଚାୟତମାନଙ୍କର ଅନେକ ଗାଁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି । ସାଧାରଣ ଲୋକ, ବ୍ୟବସାୟୀ ବିନିକାକୁ ଯିବା ଆସିବା କରିପାରୁ ନାହାଁନ୍ତି ।