365 (ବ୍ୟୁରୋ): ତ୍ରିରଙ୍ଗା ହେଉଛି ସବୁ ଭାରତୀୟଙ୍କ ପରିଚୟ । ପ୍ରତିଟି ଭାରତୀୟଙ୍କ ସମ୍ମାନ, ସ୍ବାଭିମାନ ଓ ବୀରତ୍ବର ପ୍ରତୀକ। ଫରଫର ହୋଇ ତ୍ରିରଙ୍ଗା ଉଡିଲେ ଗର୍ବରେ ଫୁଲି ଉଠେ ଛାତି । ଭାରତବର୍ଷକୁ ସମଗ୍ର ବିଶ୍ବ ନିକଟରେ ପ୍ରତିନିଧିତ୍ବ କରେ ତ୍ରିରଙ୍ଗା ପତାକା। ତ୍ରିରଙ୍ଗାକୁ ପୂର୍ଣ୍ଣ ରୂପ ଦେଇଥିବା ମହାନ ବ୍ୟକ୍ତିତ୍ବ ଆନ୍ଧ୍ର ପ୍ରଦେଶରର ପିଙ୍ଗଳି ଭେଙ୍କୟା ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ। ୧୯୪୭ ମସିହା ଜୁଲାଇ ୨୨ ତାରିଖରେ ଭେଙ୍କୟାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିଲା ଜାତୀୟ ପତାକା । ପତାକାଟି ଏକ ନିର୍ଦ୍ଧିଷ୍ଟ ଶୈଳୀରେ ନିର୍ମିତ, ଯାହାର ପ୍ରତିଟି ଅଂଶର ରହିଛି କିଛି ଅର୍ଥ। ପିଙ୍ଗଳି ଭେଙ୍କୟା ଏହି ଜାତୀୟ ପତାକାର ଡିଜାଇନ ପ୍ରସ୍ତୁତ କରି ପ୍ରଥମେ ମହାତ୍ମା ଗାନ୍ଧୀଙ୍କୁ ପ୍ରଦାନ କରିଥିଲେ। ଏହି ପତାକାରେ ଲାଲ ଓ ସବୁଜ ରଙ୍ଗ ଥିଲା। ଏହି ଦୁଇ ରଙ୍ଗ ହିନ୍ଦୁ ଓ ମୁସଲମାନ୍ ଦୁଇ ପ୍ରମୁଖ ଧର୍ମର ପ୍ରତୀକ ଥିଲା ।
ତେବେ ଏହି ଦୁଇ ସମ୍ପ୍ରଦାୟକୁ ଛାଡି ଅନ୍ୟ ଧର୍ମାବଲମ୍ବୀଙ୍କ ପାଇଁ ମଝିରେ ଧଳା ରଙ୍ଗ ଦେବାକୁ ଗାନ୍ଧିଜୀ ପ୍ରସ୍ତାବ ଦେଇଥିଲେ। ୧୯୩୧ରେ କେଶରୀ, ଧଳା ଓ ସବୁଜ ରଙ୍ଗରେ ଜାତୀୟ ପତାକା ତିଆରି କରାଯାଇଥିଲା । ପତାକାର ମଝିରେ ଅରଟ ଚିହ୍ନ ଥିଲା। ପରେ ଏହି ପତାକାର ପରିବର୍ତ୍ତନ କରାଯାଇଥିଲା। ଶେଷରେ ପତାକାର ଶୀର୍ଷ ଭାଗରେ କେଶରୀ, ମଝିରେ ଧଳା ଓ ନିମ୍ନ ଭାଗ ଘନ ସବୁଜ ରଙ୍ଗ ଓ ସମସ୍ତ ରଙ୍ଗ ସମାନ ପ୍ରକାର ଆୟତନରେ ସଜ୍ଜିତ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା । ତେବେ ପରେ ପତାକାର ମଝିରେ ୨୪ଟି ଅର ବିଶିଷ୍ଟ ନୀଳ ରଙ୍ଗର ଚକ୍ର ରଖାଯାଇଥିଲା। ଏହି ଆକୃତିର ପତାକାକୁ ୨୨ ଜୁଲାଇ ୧୯୪୭ରେ ସାମ୍ବିଧାନିକ କମିଟି ଗ୍ରହଣ କରିଥିଲା । ସେହିଦିନଠାରୁ ଭାରତର ଜାତୀୟ ପତାକାକୁ ତ୍ରିରଙ୍ଗା କୁହାଯାଉଛି।
ଏହି ପତାକାର ଉପର ଭାଗରେ ନାରଙ୍ଗୀ, ମଝିରେ ଧଳା ଓ ତଳେ ସବୁଜ ରଙ୍ଗ ରହିଛି । ମଝିରେ ଥିବା ଧଳା ରଙ୍ଗ ଉପରେ ୨୪ ଅଖ ଥିବା ଅଶୋକ ଚକ୍ର ମଧ୍ୟ ରହିଛି । ପତାକାର ଉପରେ ଥିବା କେଶରୀ ରଙ୍ଗ ଦେଶବାସୀଙ୍କ ସାହସ ଓ ବୀରତ୍ୱକୁ ସୂଚାଉଛି । ସେହିପରି ମଝିରେ ଥିବା ଧଳା ରଙ୍ଗ ସତ୍ୟ ଓ ଶାନ୍ତିର ପ୍ରତୀକ ଏବଂ ନିମ୍ନରେ ଥିବା ଘନ ସବୁଜ ରଙ୍ଗ ଭ୍ରାତୃତ୍ୱର ପ୍ରତୀକ ବହନ କରୁଛି । ମଝିରେ ଥିବା ଅଶୋକ ଚକ୍ର ଦେଶର ପ୍ରଗତିକୁ ସୂଚାଉଛି। ୧୯୪୭ ମସିହା ନଭେମ୍ବର ୨୧ ତାରିଖରେ ସ୍ୱାଧୀନ ଭାରତର ପ୍ରଥମ ଷ୍ଟାମ୍ପରୂପେ ଭାରତୀୟ ଜାତୀୟ ପତାକା ବ୍ୟବହୃତ କରାଯାଇଥିଲା।
ଭାରତୀୟ ସ୍ୱାଧୀନତାକ୍ରାନ୍ତି ସମୟ ମଧ୍ୟରେ ଭାରତୀୟ ପତାକାର ନକ୍ସା ପରିବର୍ତ୍ତନ ହୋଇଥିଲା। ୧୮୫୭ ମସିହା ବିଦ୍ରୋହ ସମୟରେ ପ୍ରଥମେ ଜଣେ ଇଂରେଜ ଶାସକଙ୍କଦ୍ୱାରା ଭାରତର ଏକକୀୟ ପତାକା ନିର୍ମାଣର ପ୍ରସ୍ତାବ ଆସିଥିଲା। ତେବେ ଅନେକ ପରିବର୍ତ୍ତନ ପରେ ଶେଷରେ ସ୍ୱାଧୀନ ଭାରତର ଜାତୀୟ ପତାକା ଭାବେ ତ୍ରିରଙ୍ଗାକୁ ଗ୍ରହଣ କରାଯାଇଛି । ପିଙ୍ଗଳି ଭେଙ୍କୟାଙ୍କ ତ୍ରିରଙ୍ଗାର ପରିକଳ୍ପନା ଆଜି ପ୍ରତିଟି ଭାରତୀୟଙ୍କ ମନରେ ଶାନ୍ତି,ମୈତ୍ରୀ ଓ ପ୍ରଗତିର ବାର୍ତ୍ତା ଦେଉଛି। ଯେବେ ଫରଫର ହୋଇ ଏହି ତ୍ରିରଙ୍ଗା ଉଡୁଛି ସେବେ ପ୍ରତିଟି ଭାରତୀୟଙ୍କ ଛାତି ଗର୍ବରେ କୁଣ୍ଢେମୋଟ ହୋଇଯାଉଛି ।