ନ୍ୟୁଜ୍ 365(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତର ରୂପ ନେବା ଫଳରେ ରାଜ୍ୟରେ ଜାରି ରହିଛି ବର୍ଷା ବିତ୍ପାତ । ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଆଡେ ପାଣି ଆଉ ପାଣି । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତଳିଆ ଅଞ୍ଚଳର ଲୋକଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଲାଣି । ଏହାରି ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ବୌଦ୍ଧରେ ସର୍ବାଧିକ ୩୯୦.୬ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ୨୦ଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ୫୦ଟି ସ୍ଥାନରେ ଅତିପ୍ରବଳ, ୬୧ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଥିବା କହିଛି ପାଣିପାଗ ବିଭାଗ ।
ଗତ ୨୪ ଘଣ୍ଟା ମଧ୍ୟରେ ସୋନପୁରରେ ୨୧୩.୬, ଫୁଲବାଣୀରେ ୨୦୫.୬ ମିମି ବର୍ଷା, ବଲାଙ୍ଗୀରରେ ୧୭୩ ମିମି, କେନ୍ଦୁଝରରେ ୧୫୦.୨ ମିମି, ତାଳଚେରରେ ୧୪୭ ମିମି, ଭବାନୀପାଟଣାରେ ୧୪୫ ମିମି ବର୍ଷା ରେକର୍ଡ କରାଯାଇଛି । ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ଦେଖା ଦେଇଛି । ବୈତରଣୀରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ରହିଛି । ରାଜଘାଟଠାରେ ବିପଦ ସଙ୍କେତ ୩୬.୩୬ ମିଟର ଥିବାବେଳେ ଏବେ ବନ୍ୟ ଜଳସ୍ତର ୩୯.୧୪ମି ରହିଛି । ଏପଟେ ବର୍ଷା ଯୋଗୁ ସୋରରୁ ଔପଦାକୁ ଯୋଗାଯୋଗ ହେଉଥିବା ରାସ୍ତା ବୁଦାଖୁଣ୍ଟା ନିକଟରେ ୧୫ଫୁଟର ଘାଇ ସୃଷ୍ଟି ହୋଇଛି । କଳାହାଣ୍ଡିରେ ବର୍ଷା ବିତ୍ପାତ ଯୋଗୁ ଅବସ୍ଥା ବେହାଲ ହୋଇଛି । ଏହି ଜିଲ୍ଲାରେ ୨ ଦିନ ହେଲା ଲଗାଣ ବର୍ଷା ଯୋଗୁଁ ଅନେକ ଘର ଭାଙ୍ଗି ଯାଇଛି । ସହରର ୧୮, ୧୫, ୧୩, ୧୯ ଓ ୨୩ ନମ୍ବର ୱାର୍ଡ଼ର ପ୍ରବଳ ବର୍ଷା ଯୋଗୁଁ ୧୦୦ରୁ ଉର୍ଦ୍ଧ୍ୱ ଲୋକଙ୍କ ଘରେ ପାଣି ପଶିଯାଇଛି । ବିଭିନ୍ନ ସ୍ଥାନରେ ୧୦ଟି ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି ।