365 (ବ୍ୟୁରୋ): ବେଙ୍ଗ ମୁତିଲେ ରାଜଧାନୀରେ ପାଣି । ଏ କଥା ଆମେ ନୁହେଁ, ଏମିତି ଏବେ କହୁଛନ୍ତି ଭୁବନେଶ୍ୱରବାସୀ। କାରଣ ଅସରାଏ ବର୍ଷାରେ ବେହାଲ ହୋଇଯାଉଛି ରାଜଧାନୀ ଭୁବନେଶ୍ୱର । ଓଡ଼ିଶାର ପ୍ରାଣକେନ୍ଦ୍ର ବୋଲି କୁହାଯାଉଥିବା ଏ ସହର ସାମାନ୍ୟ ବର୍ଷାରେ ହେଉଛି ଉବୁଟୁବୁ । ଖଣ୍ଡଗିରିଠାରୁ ରସୁଲଗଡ଼, ଜୟଦେବବିହାର ଠାରୁ ନନ୍ଦନକାନନ, ଫାୟାରଷ୍ଟେସନ ଛକରୁ ଓଲ୍ଡଟାଉନ ଏବଂ ବମିଖାଲରୁ ଗ୍ୟାରେଜ ଛକ, ଯେଉଁଆଡ଼େ ଦେଖିବ ଖାଲି ପାଣି ଆଉ ପାଣି । କେଇଘଣ୍ଟାର ବର୍ଷାରେ ସହରରେ ଲହଡ଼ି ଭାଙ୍ଗୁଛି ବର୍ଷା ଜଳ । ନୟାପଲ୍ଲୀରେ ଥିବା ଇସ୍କନ ମନ୍ଦିର ଆଗରେ ଡଙ୍ଗା ଚାଲୁଛି । ଅନେକ ରାସ୍ତାରେ ଅଣ୍ଟେ ଉଚ୍ଚର ପାଣି । ରାସ୍ତାରେ ଭାସୁଛି କାର ଆଉ ବାଇକ୍ ।
୨୩ ବର୍ଷ ଧରି ଶାସନ ଚଳାଇଥିବା ବିଜେଡି ସରକାରର ପାରିବାପଣିଆ ଓ ଅପରାଗତାକୁ ଏହା ହିଁ ଦର୍ଶାଉଛି । ମିଛରେ ଯେତେ ବାହାବା ନେଲେ ଗୋଟିଏ ଦିନର ବର୍ଷା କହିଦେଉଛି କେତେ ସଫଳ ନବୀନ ସରକାର । କାରଣ ଏକାମ୍ର ପ୍ରକଳ୍ପ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ କିଛି ଘଣ୍ଟାର ବର୍ଷାରେ ବୁଡ଼ିଯାଉଛନ୍ତି ପ୍ରଭୁ ଶ୍ରୀଲିଙ୍ଗରାଜ । ମହାଦେବଙ୍କ ସିଂହଦ୍ୱାରଠୁ ପାହଚ ପର୍ଯ୍ୟନ୍ତ ପାଖାପାଖି ଅଣ୍ଟାଏ ପାଣି ଜମି ରହିଛି । ହେଲେ କୌଣସି ଅଧିକାରୀଙ୍କର ଟିକେ ହେଲେ ବି ନିଘା ନାହିଁ । କେବଳ ଲିଙ୍ଗରାଜ ନୁହଁନ୍ତି, ଅଧିକାଂଶ ମନ୍ଦିରରେ ପାଣି ଜମି ରହିଖିବା ବେଳେ ଠାକୁର ବୁଡ଼ି ରହିଛନ୍ତି । ବାସୁଆ ବଳଦ ମନ୍ଦିର, ମା ଭୁବନେଶ୍ୱରୀ ଓ ପାର୍ବତୀ ମନ୍ଦିରରୁ ବି ପାଣି ଗଳୁଛି ।
ପ୍ରତିବର୍ଷ ଏ ଜଳବନ୍ଦୀ ସମସ୍ୟା ଦେଖାଦେଉଥିଲେ ବି ଏହାର ସ୍ଥାୟୀ ସମାଧାନ ପାଇଁ କାହାର ଆନ୍ତରିକତା ନାହିଁ । ଅଧିକାରୀ ଓ ଜନପ୍ରତିନିଧି ବେପରଓ୍ୱା ହୋଇଯାଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବାତ୍ୟା ହେଉ କି ବନ୍ୟା ରାଜ୍ୟ ସରକାର ଜିରୋ କାଜୁଆଲିଟିର ଡେଙ୍ଗୁରା ପିଟୁଛନ୍ତି । ଏପରିକି ଏହାକ ଜାତୀୟ ସ୍ତରରେ ଖୁବ୍ ପ୍ରଚାର କରାଯାଉଛି । ମାତ୍ର ବର୍ଷା ପବନରେ ଲୋକଙ୍କର ଜୀବନ ଯାଉଥିବା ବେଳେ ଏ ଜିରୋ କାଜୁଆଲିଟିର କଥା କେଉଁଠି ରହୁଛି । ବିଏମସି ମେୟର ଓ ଅଧିକାରୀ କେଉଁଆଡ଼େ ଯାଇଛନ୍ତି ।
ସରକାରଙ୍କ ଗେହ୍ଲାପୁଅ ସାଜିଥିବା କିଛି ଅଧିକାରୀ ଓ ଜନପ୍ରତିନିଧିଙ୍କ ପାଇଁ ଏ ସମସ୍ୟା ହିଁ ସୃଷ୍ଟି ହେଉଛି । କାରଣ ଯେଉଣ ନାଳ ଦେଇ ଆପେ ଆପେ ପାଣି ବୋହିଯାଉଥିଲା ତାହାକୁ ବନ୍ଦ କରିଦିଆଯାଇଛି । ପ୍ରାକୃତିକ ନାଳକୁ ପୋତି ଆପାର୍ଟମେଣ୍ଟ ଛିଡ଼ା କରାଯାଇଛି । ଧାନ ଜମିର କିସମକୁ ବଦଳାଇ ଘରବାରି କରିଦିଆଯାଇଛି । ସହର ଚାରି ପାର୍ଶ୍ୱରେ ଥିବା ବିସ୍ତୀର୍ଣ୍ଣ ଖୋଲା ଜମିରେ ମାଟି ପକାଇ ଘର ତିଆରି କରାଯଆଇଛି । ଏ ସବୁ ବ୍ୟତୀତ ଚଉଡ଼ା ଡ୍ରେନକୁ ପୋତି ବସ୍ତି , ବଜାର କରିଦିଆଯଆଇଛି । ଫଳରେ ପାଣି ଆସି ଏବେ ଘରେ ଲହଡ଼ି ମାରୁଛି । ମାତ୍ର ସରକାରଙ୍କ ମେଗା ଡ୍ରେନେଜ ଯୋଜନା ଘୋଷଣା ଘୋଷଣାରେ ହିଁ ରହିଛି । ଜମି ଅଧିଗ୍ରହଣ କରି ନୂଆ ଡ୍ରେନ ହେବ, ସବୁ ପ୍ରାକୃତିକ ନାଳର ପୁନରୁଦ୍ଧାର ହେବ, ଗଙ୍ଗୁଆ ନାଳକୁ ବିଏମସି ଅଧୀନକୁ ଆଣି ଏହାର ପୁନରୁଦ୍ଧାର କରାଯିବା ପାଇଁ ପ୍ରତିଶ୍ରୁତି ଦେଇ ମେୟର ଓ କର୍ପୋରେଟର ଲୋକଙ୍କ ମନ ଜିଣିଥିଲେ । ମାତ୍ର ଏ ପ୍ରତିଶ୍ରୁତି ପରାପୁରି ଫୁସ୍ ।
ତେବେ ଏହାର ସ୍ଥାୟୀ ସମାଧାନ କଥା ଚିନ୍ତା ନ କରି କେବଳ ରାଜନୀତି ଚାଲିଛି। ଫଳରେ ଭୁବନେଶ୍ୱରରେ ରହିବା ଏବେ ବଡ଼ କଷ୍ଟକର ହୋଇପଡ଼ିଛି । ସୋମବାର ବର୍ଷାରେ ଆଇଗିଣିଆ ରାଜୀବନଗରର ୨୦୦ରୁ ଅଧିକ ପରିବାରର ପ୍ରାୟ ୫୦୦ ଲୋକ ଉପାସରେ ରହିଛନ୍ତି । କାରଣ ଘରୁ ବାହାରିବା ସମ୍ଭବପର ହେଉନି । ସେହିପରି ଘରେ ବର୍ଷା ପାଣି ଜମିରହିଥିବାରୁ ଅନେକ ଲୋକ ଭଡ଼ାଘର ଛାଡ଼ି ଗାଁକୁ ଚାଲିଯାଇଛନ୍ତି । ତେବେ କେବଳ ଭୁବନେଶ୍ୱର ନୁହେଁ ରାଜ୍ୟର ସମସ୍ତ ସହରରେ ପ୍ରାୟ ସମାନ ଅବସ୍ଥା । ତେଣୁ ସରକାର ଏ ଦିଗରେ ଧ୍ୟାନ ଦେବା ନିହାତି ଦରକାର । କେବଳ ବାହାସ୍ପଟ ମାରି ନିଜକୁ ଭଲ ବୋଲି ଦେଖାଇହେଲେ କିଛି ଲାଭ ନାହିଁ। ଲୋକଙ୍କ ସମସ୍ୟା ବୁଝିବା ଓ ସମାଧାନ କରିବା ହିଁ ସରକାରଙ୍କ କାମ ।