ନ୍ୟୁଜ 365 (ବ୍ୟୁରୋ): ଦିଲ୍ଲୀ ସେବା ସଂଶୋଧନ ବିଲ ଲୋକସଭାରେ ଆଗତ ହୋଇଛି । ସଂଖ୍ୟା ଅନୁସାରେ ଏଥିରେ କେନ୍ଦ୍ର ସରକାରଙ୍କ ବିଜୟ ହେବ । ତେବେ ସବୁଠୁ ବଡ଼ କଥା ହେଉଛି ଦିଲ୍ଲୀରେ କେଜରିଓ୍ବାଲଙ୍କ କ୍ଷମତା ହରଣ ହେବ । ଦିଲ୍ଲୀ ଦେଶରେ ରାଜଧାନୀ ହୋଇଥିବାରୁ ଏଥିରେ କେନ୍ଦ୍ର ସରକାରଙ୍କ ଭୂମିକାକୁ ଏଡାଇ ଦେଇହେବନାହିଁ । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସମସ୍ତ ସାଂସଦ, ଦେଶର ସୁରକ୍ଷା ସହ ଜଡିତ ବଡ଼ ବଡ଼ ଅନୁଷ୍ଠାନ ଥିବାରୁ ଏହା କେନ୍ଦ୍ରଶାସୀତ ଅଂଚଳ ଭାବେ କାର୍ଯ୍ୟକରୁଛି । ତେଣୁ ଏଠାରେ ରାଜ୍ୟ ସହ କେନ୍ଦ୍ରର କ୍ଷମତା ଭାଗବଂଟା ଦେଶ ପାଇଁ ବିପଦ ହୋଇପାରେ । ଦେଶର ଅନ୍ୟ କେନ୍ଦ୍ରଶାସିତ ଅଂଚଳ ଭଳି ଦିଲ୍ଲୀକୁ ଏବେ କେନ୍ଦ୍ର ସରକାର ନିଜ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି ଯାହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବିରୋଧ କରୁଛନ୍ତି । ଏହି ବିଲକୁ ବିରୋଧ କରିବା ପାଇଁ ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ନିଜର ଅଭିଯାଜନ ଚଲାଇଥିଲେ ମଧ୍ୟ ବିଫଳ ହୋଇଛନ୍ତି । କାରଣ ଏହି ବିଲ ତାଙ୍କର କ୍ଷମତାକୁ ସଂକୁଚିତ କରିଦେବ । ଏବେ ବିରୋଧୀ ମେଂଟ ଆଇଏନଡିଆଇଏ ସାଂସଦମାନଙ୍କ ସମେତ ଭାରତ ରାଷ୍ଟ୍ର ସମିତି(ବିଆରଏସ)ର ସମସ୍ତ ୭ଜଣ ସଦସ୍ୟଙ୍କୁ ମିଶାଇଲେ ମୋଟ ୧୦୮ଜଣ ସାଂସଦ ରାଜ୍ୟସଭାରେ ଦିଲ୍ଲୀ ବିଲ୍ ବିରୁଦ୍ଧରେ ଭୋଟ୍ ଦେବେ । ଯାହା କି କେଜରିଓ୍ବାଲଙ୍କୁ ବଳ ଯୋଗାଇପାରିବ ନାହିଁ ।
ଦିଲ୍ଲୀ ସେବା ଅଧ୍ୟାଦେଶକୁ ନେଇ ବିରୋଧୀ ମେଂଟ ଏବଂ ଏନଡିଏ ମଧ୍ୟ ଲଢ଼େଇ ଚାଲିଛି । କେଜରିଓ୍ବାଲଙ୍କ ଶତଚେଷ୍ଟା ଫଳରେ ବିଜେପି ବିଚାରାଧାରା ସହ ନଥିବା ଦଳ ମଧ୍ୟ କେଜରିଓ୍ବାଲଙ୍କୁ ସମର୍ଥନ କରୁନାହାଁନ୍ତି । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ବିରୋଧ ଏହି ବିଲକୁ ଅଟକାଇ ପାରିବନାହିଁ । ବିରୋଧୀ ସାଂସଦମାନେ ଉକ୍ତ ବିଲ୍କୁ ତୀବ୍ର ବିରୋଧ କରିଥିଲେ ମଧ୍ୟ ବିଲକୁ ରୋକିପାରିବେ ନାହିଁ । ଏହା ବିରୋଧୀ ମେଂଟର ପ୍ରଥମ ପରାଜୟ ହେବାକୁ ଯାଉଛି । ତେବେ ଏହି ବିଲକୁ ନେଇ ପୁଣି ଥରେ କେନ୍ଦ୍ର ରାଜନୀତିରେ ସଫା ଚିତ୍ର ଆସିଛି । ବିଜେଡି ଏବେ ବି ମୋଦି ସରକାରଙ୍କ ସପକ୍ଷରେ ଅଛି । ସେହିପରି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ମଧ୍ୟ ମୋଦି ସରକାରଙ୍କୁ ସମର୍ଥନ କରିଛନ୍ତି । ଏଥିରୁ ବୁଝାପଡୁଛି ନିର୍ବାଚନ ପୂର୍ବରୁ ଏହି ଦୁଇ ଦଳ ଏନଡିଏ ପ୍ରତି ନିଜର କୋହଳ ମନୋଭାବ ପ୍ରଦର୍ଶନ କରିଛନ୍ତି । ଆଉ ମୋଦି ମଧ୍ୟ ତାଙ୍କ ପ୍ରତି କୋହଳ ମନୋଭାବ ରଖିପାରନ୍ତି ।