ନ୍ୟୁଜ୍ 365(ବ୍ୟୁରୋ): ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତର ରୂପ ନେଇଛି । ଫଳରେ ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା । ଏଣୁ ପ୍ରବଳ ବର୍ଷା ଦୃଷ୍ଟିରେ ରଖି ୧୧ ଜିଲ୍ଲାରେ ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି । ବଲାଙ୍ଗୀର, କେନ୍ଦୁଝର, ନୂଆପଡ଼ା, କଳାହାଣ୍ଡି, ସମ୍ବଲପୁର, ଅନୁଗୁଳ, ଢ଼େଙ୍କାନାଳ, ମୟୂରଭଞ୍ଜ, ବୌଦ୍ଧ, ନୟାଗଡ଼, କନ୍ଧମାଳ ଜିଲ୍ଲାରେ ବନ୍ଦ ରହିବ ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ର । ଅବପାତ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ସେହିପରି ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି କେନ୍ଦୁଝର, ଦେଓଗଡ଼, ଅନୁଗୁଳ, ସୋନପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଗଭୀର ଅବପାତ ପ୍ରଭାବରେ ଓଡ଼ିଶା ଉପକୂଳରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ମତ୍ସ୍ୟଜୀବୀଙ୍କୁ ପାଣି ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି ।