ନ୍ୟୁଜ 365 (ବ୍ୟୁରୋ): ହରିୟାଣାର ନୁହ ଜିଲ୍ଲାରେ ସାମ୍ପ୍ରଦାୟିକ ହିଂସା ତୀବ୍ର ରୂପ ନେଇଛି। ବିଶ୍ବ ହିନ୍ଦୁ ପରିଷଦ (ଭିଏଚ୍ପି) ଦ୍ବାରା ଧାର୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ଉପୁଜିଥିବା ହିଂସା ଘଟଣାରେ ୨ ହୋମ୍ ଗାର୍ଡ, ଜଣେ ଇମାମ୍ଙ୍କ ସମେତ ମୋଟ୍ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଘଟଣା ପରେ ଆଖାପାଖ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ନୁହ ଜିଲ୍ଲାରେ ୧୪୪ ଧାରା ଜାରି ହୋଇଛି। ଘଟଣାରେ ୪୪ଟି ମାମଲା ରୁଜୁ ହୋଇଛି । ବର୍ତ୍ତମାନ ସୁଦ୍ଧା ୭୦ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ହରିୟାଣାରେ ବର୍ତ୍ତମାନ ହାଇ ଆଲର୍ଟ ଜାରି ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ଗୁରୁଗ୍ରାମ ସେକ୍ଟର ୫୭ରେ ଥିବା ଏକ ନିର୍ମାଣାଧୀନ ମସଜିଦ ଉପରେ ଆକ୍ରମଣ ହୋଇଥିଲା। ଘଟଣାରେ ଜଣେ ଇମାମଙ୍କର ମୃତ୍ୟୁ ହୋଇଛି । ଏହାର କିଛି ସମୟ ପରେ ଗୋରଖନାଥ ମନ୍ଦିରରେ ମଧ୍ୟ ଆକ୍ରମଣ ହୋଇଛି। ଆକ୍ରମଣରେ ଜଣେ ପୁରୋହିତ ଆହତ ହୋଇଛନ୍ତି। ଏହି ହିଂସାରେ ଉଭୟ ପଟୁ ଦଙ୍ଗାକାରୀମାନେ ଗୁଳି ଚାଳନା କରିଥିବା ଜଣାପଡିଛି । ଘଟଣା ପରେ ଅଂଚଳର ସମସ୍ତ ଧାର୍ମିକ ଅନୁଷ୍ଠାନରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।