ନ୍ୟୁଜ 365 (ବ୍ୟୁରୋ): ଲଗାଣ ବର୍ଷାରେ ବେହାଲ ପୁରା ଓଡିଶା । ଗତ ଦୁଇ ଦିନର ବର୍ଷା କରିସାରିଲାଣି ନାକେଦମ୍ । ଆହୁରି ୨ଦିନ ଜାରି ରହିବ ବର୍ଷା , ଫଳରେ ସହରବାସୀଙ୍କ ଚିନ୍ତା ବଢ଼ିଲାଣଇ । ତେବେ ପ୍ରବଳ ବର୍ଷାକୁ ଆଖି ଆଗରେ ରଖି ୧୩ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । କେନ୍ଦୁଝର, ବଲାଙ୍ଗିର, କଳାହାଣ୍ଡି, ନୂଆପଡା, ସୁବର୍ଣ୍ଣପୁର, ସମ୍ବଲପୁର, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, ମୟୂରଭଞ୍ଜ, କନ୍ଧମାଳ,ବାଲେଶ୍ବର ଓ ନୟାଗଡ଼ ଆଦି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି ।
ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାର ସମସ୍ତ ବିଡିଓଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତଳିଆ ଅଞ୍ଚଳରେ ବର୍ଷା ସ୍ଥିତି ଦେଖି ଲୋକଙ୍କୁ ସ୍ଥାନାନ୍ତର କରାଯିବ । ମାଟି ଘରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନାକୁ ସ୍ଥାନାନ୍ତର କରାଯିବ । ସେହିପରି ବର୍ଷା ସ୍ଥିତିକୁ ଦେଖି ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ କରାଯାଇଛି । ବିନା ଅନୁମତିରେ ଜିଲ୍ଲା ମୁଖ୍ୟାଳୟ ଛାଡ଼ି ନଯିବାଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।