365 (ବ୍ୟୁରୋ): ରାଜ୍ୟରେ ୭ରୁ ୮ଟି ମହାବଳ ଶାବକ ଥିବା ନେଇ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶୀଲ କୁମାର ପୋପଲି। ୨୦୨୧-୨୨ରେ ବୟସ ଏକ ବର୍ଷରୁ କମ୍ ଥିବା ଯୋଗୁଁ ବାଘ ଗଣାନାରେ ଏମାନଙ୍କୁ ସାମିଲ କରାଯାଇପାରିନଥିଲା। ଏବେ ରାଜ୍ୟ ସରକାରଙ୍କ ଗଣନାରେ ବାଘ ଶାବକ ସାମିଲ ହେବେ। ଫଳରେ ରାଜ୍ୟରେ ବାଘସଂଖ୍ୟା ବଢ଼ିଥିବା ଜଣାପଡ଼ିବ। ଆସନ୍ତା ଅକ୍ଟୋବରରେ ଗଣନା କରାଯାଇ ୨୦୨୪ ଜାନୁଆରିରେ ତଥ୍ୟ ପ୍ରକାଶ କରାଯିବ। ବାଘ ସଂଖ୍ୟା ବୃଦ୍ଧି ବା ହ୍ରାସ ନେଇ ପ୍ରକାଶିତ ତଥ୍ୟ କେବଳ ଆକଳନ ଭିତ୍ତିକ ବୋଲି ପିସିସିଏଫ୍ କହିଛନ୍ତି। ଅନ୍ୟପଟେ ସାତକୋଶିଆରେ କୌଣସି ବାଘ ନାହାନ୍ତି, ଶିମିଳିପାଳରେ ବାଘ ସଂଖ୍ୟା ୮ରୁ ୧୬କୁ ବଢ଼ିଥିବା କହିଛନ୍ତି ପିସିସିଏଫ ।
ବାଘ ସଂଖ୍ୟା କମିଥିବା ନେଇ ଗତ ୨୯ ତାରିଖ ବ୍ୟାଘ୍ର ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଥିଲା। ରିପୋର୍ଟ ଅନୁସାରେ ଶିମିଳିପାଳରେ ବାଘ ସଂଖ୍ୟା ୮ରୁ ୧୬କୁ ବୃଦ୍ଧି ପାଇଛି। ୨୦୧୮ରେ ଶିମିଳିପାଳରେ ୮ଟି ବାଘ ଥିବା ବେଳେ ବର୍ତ୍ତମାନ ତାହା ୧୬କୁ ବୃଦ୍ଧି ପାଇଛି। ୨୦୧୮ରେ ରାଜ୍ୟରେ ୨୮ଟି ବାଘ ଥିବା ବେଳେ ଏ ବର୍ଷ ତାହା ୨୦କୁ ଖସି ଆସିଛି। ଏହି ବାଘ ଗଣନା ୨୦୨୧-୨୨ରେ କରାଯାଇଥିଲା। ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ରିପୋର୍ଟ ଅନୁସାରେ, ୨୦୦୬ରେ ରାଜ୍ୟରେ ୪୫ଟି ବାଘ ଥିଲା ବେଳେ ୨୦୧୦ରେ ଏହି ସଂଖ୍ୟା ୩୨କୁ ଖସିଥିଲା। ୨୦୧୪ ଓ ୨୦୧୮ରେ ବାଘ ସଂଖ୍ୟା ୨୮କୁ ହ୍ରାସ ପାଇଥିଲା।
ସେହିପରି ରାଜ୍ୟ ସରକାରଙ୍କ ନିଜସ୍ଵ ବାଘ ଗଣନା ଅନୁଯାୟୀ, ୨୦୦୪ରେ ରାଜ୍ୟରେ ୧୯୨ଟି ବାଘ ଥିଲା ବେଳେ ୨୦୧୬ରେ ଏହି ସଂଖ୍ୟା ୪୦କୁ ଖସି ଆସିଥିଲା। ୨୦୧୮ରେ ଏନଟିସିଏ ରିପୋର୍ଟ ଅନୁସାରେ, ପୂର୍ବରୁ ଦେଶରେ ମୋଟ ୧୨ ହଜାର ୮୫୨ଟି କଲରାପତରିଆ ଥିବାବେଳେ କେବଳ ଓଡ଼ିଶାରେ ଥିଲେ ୭୬୦ । ହେଲେ ଶିକାରୀଙ୍କ ପ୍ରାଦୁର୍ଭାବ ଫଳରେ ଦ୍ରୁତ ଗତିରେ କମୁଛି ଏମାନଙ୍କ ବଂଶ।
ଗତ ୩ ବର୍ଷରେ ରାଜ୍ୟରେ ବନବିଭାଗ ଓ ଏସଟିଏଫ୍ ଜବତ କଲାଣି ୬୮ଟି କଲରାପତରିଆ ବାଘ ଛାଲ। ଯେଉଁଥିରୁ କେବଳ ୨୦୨୩ର ପ୍ରଥମ ୭ ମାସ ଭିତରେ ୧୯ଟି କଲରାପତରିଆ ବାଘ ଚମଡ଼ା ଧରା ପଡ଼ିଥିଲା। ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ମତରେ, ରାଜ୍ୟରେ କଲରାପତରିଆ ବାଘ ଶିକାର ପଛରେ କାମ କରୁଛି ଆନ୍ତର୍ଜାତିକ ରାକେଟ୍। ଯେତିକି କଲରାପତରିଆ ବାଘ ଛାଲ ଜବତ ହେଉଛି, ତାହା ତୁଳନାରେ ଶିକାର ହେଉଥିବା କଲରାପତରିଆଙ୍କ ସଂଖ୍ୟା ବହୁତ ଅଧିକ । ସରକାର ଏବେଠୁ ଏହା ଉପରେ ନଜର ନ ରଖିଲେ, ଆଗକୁ ଏ ବାଘଙ୍କ ସଂଖ୍ୟା ବି ଲୋପ ପାଇଯିବ।