365 (ବ୍ୟୁରୋ): ଥମିବାର ନାଁ ଧରୁନି ମଣିପୁର ହିଂସା ମଇ ୩ ତାରିଖ ୨୦୨୩ ରେ ଆରମ୍ଭ ହୋଇଥିବା ଏହି ହିଂସା ଏବେ ପୁରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଭାରତର ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ଇମ୍ଫାଲ ଉପତ୍ୟକାରେ ରହୁଥିବା ଅଧିକାଂଶ ଲୋକ ଏବଂ ଆଖପାଖ ପାହାଡରୁ କୁକି ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଜାତି-ଧର୍ମ ହିଂସା ଆରମ୍ଭ ହୋଇଥିଲା । ୨୯ ଜୁଲାଇ ସୁଦ୍ଧା ଏହି ହିଂସାରେ ୧୮୧ ଜଣଙ୍କର ମୃତ୍ୟୁ ମଧ୍ୟ ଘଟିଛି । ଏଥି ମଧ୍ୟରେ ଏକ ସମ୍ବେଦନ ଶୀଳ ଭିଡିଓ ସାମ୍ନାକୁ ଆସିବା ପରେ କିଛି କର୍ମକର୍ତ୍ତା, ରାଜନେତା ଓ କିଛି ବୁଦ୍ଧିଜୀବି ଏହାକୁ ନେଇ ମୁହଁ ଖୋଲିବା ଆରମ୍ଭ କରିଥିଲେ । ଏଥିରେ କୈାଣସି ସନ୍ଦେହ ନାହିଁ କି ତିନି ଜଣ ମହିଳାଙ୍କ ଭିତରୁ ଜଣଙ୍କୁ ସାମୂହିକ ବଳତ୍କାର ଓ ଦୁଇଜଣଙ୍କୁ ନଗ୍ନ କରାଇ ରାସ୍ତା ଉପରେ ଚଲାଇବା ଇଏ କିଛି ମଣିଷ ସମାଜର ହିନ ମାନସିକତାକୁ ଦର୍ଶାଉଛି । କିନ୍ତୁ ବାସ୍ତବରେ କେବଳ ଏହି ସମସ୍ୟାକକୁ ଭିତ୍ତି କରି ଯଦି ରାଜନୀତି ତାର ପଷା ଖେଳେ ତ ସେଥି ପାଇଁ ମଣିପୁରର ମୂଳ ମଞ୍ଜି ଭିତରକୁ ଯିବାର ନିହାତି ଆବଶ୍ୟକତା ରହିଛି । ତେବେ ବାସ୍ତବରେ ତିନି କାରଣ ପାଇଁ ମଣିପୁରରେ ମୁଣ୍ଡ ଟେକିଲା ଏତେ ବଡ ହିଂସା ।
ମଣିପୁରର ମୁଖ୍ୟ ସମୁଦାୟଗୁଡିକ ହେଲେ ମୈତେଇ, କୁକି ଓ ନାଗା । ମୈତେଇ ଲୋକ ସଂଖ୍ୟା ୫୩ ପ୍ରତିଶତ ତଥା ଏମାନେ ବୈଷ୍ଣବ ଅଟନ୍ତି ଏବଂ ନାଗା ତଥା କୁକିମାନେ ଜନଜାତି ସମ୍ପ୍ରଦାୟର । ସେହିପରି ୬୦ ଆସନ ଭିତରୁ ମୈତେଇମାନେ ୪୦ଟି ଆସନରୁ ନିର୍ବାଚିତ ହୋଇଥାନ୍ତି ତେବେ ନାଗା ଓ କୁକୁ ମାନେ ୧୦ଟି ଲେଖାଏଁ ଆସନରୁ ପ୍ରତିନିଧିତ୍ବ କରିଥାନ୍ତି । ତେବେ ଏହି ରାଜ୍ୟ ଅଧିକାଅଂଶ ପାହାଡିଆ ଅଞ୍ଚ ହୋଇଥିବାରୁ ୫୩ ପ୍ରତିଶତ ମୈତେଇମାନେ ରାଜ୍ୟର ମାତ୍ର ୮ ପ୍ରତିଶତ ସମତଳ ଅଞ୍ଚଳରେ ବସବାସ କରନ୍ତି । ଆଉ ୯୨ ପ୍ରତିଶତ ଅଞ୍ଚଳରେ କୁକି ବା ନାଗା ସମ୍ପ୍ରଦାୟର ଲୋକେ ବସବାସ କରିଥାନ୍ତି ଯାହା ପାହାଡିଆ ଅଞ୍ଚଳ ରହିଛି । ମୈତେଇ, କୁକି ଓ ନାଗା ଜନଜାତି ସମଧ୍ୟରେ ରହିଛି ଜମିଜମା ବିବାଦ । ମୈତେଇ ମାନେ ମଣିପୁରର ମୂଳ ବାସିନ୍ଦା ହୋଇଥିବା ବେଳେ କୁକି ଓ ନାଗାମାନେ ବ୍ରିଟିଶ ଶାସନ କାଳରୁ ପାହାଡିଆ ଅଞ୍ଚଳରେ ରହିବା ଆରମ୍ଭ ହୋଇଥିଲା । କିନ୍ତୁ କୈାଣସି ମୈତେଇ ସମ୍ପ୍ରଦାୟର ବ୍ୟକ୍ତି ପାର୍ବତ୍ୟାଞ୍ଚଳର ଜମି କିଣିବା ଆଇନ ଗତ ନିଷିଦ୍ଧ ହୋଇଥିବା ବେଳେ କୁକି ଓ ନାଗାମାନେ ଇମ୍ଫାଲ ଘାଟି ଏବଂ ସମତଳ ଅଞ୍ଚଳରୁ ଜମି କିଣିବା ଉପରେ କୌଣସି ଆଇନ୍ ଗତ ପ୍ରତିବନ୍ଧକ ନାହିଁ । ଯାହା ଉଭୟଙ୍କ ମଧ୍ୟରେ ଅବିଶ୍ବାସର ପ୍ରଥମ କାରଣ ।
ତେବେ ୨୦୨୨ ମସିହାରେ ମଣିପୁର ରାଜ୍ୟ ସରକାରଙ୍କ ଦ୍ବାରା ଜଙ୍ଗଲ ଓ ଆର୍ଦ୍ରଭୂମି ଉପରେ ଏ ଭୂମିଗତ ସର୍ଭେ ଆରମ୍ଭ ହୋଇଥିଲା । ଯାହା ପୂର୍ବରୁ ମଣିପୁର ମିଆଁମାର ସୀମାବର୍ତ୍ତୀ ରାଜ୍ୟ, ଅନେକ ଅବୈଧ ଅନୁପ୍ରବେଶକାରୀ ବେଆଇନ ଭାବେ ଜଙ୍ଗଲ ଅଞ୍ଚଳକୁ ଦଖଲ କରୁଥିବା ଅଭିଯୋଗ ହୋଇଆସୁଥିଲା । ଖାଲିସେତିକି ନୁହେଁ ଏହି ଅନୁପ୍ରବେଶକାରୀ ମାନେ ମଧ୍ୟ ଚୋରା ଗଞ୍ଜେଇ ଚାଷ ଓ ନିଶାଦ୍ରବ୍ୟ ଚାଲଣ ଆଦିରେ ସମ୍ପୃକ୍ତ ଥିବା ଅଭିଯୋଗ ଆସୁଥିଲା । ତେବେ ଏହି ସର୍ଭେ ପରେ ଅନୁପ୍ରବେଶ କାରୀଙ୍କୁ ମିଆଁମାର ପଠାଇଦିଆଯିବାର ଯୋଜନା ରହିଥିଲା । ତେବେ ଏହି ସର୍ଭେକୁ କୁକି ଜନଜାତିର ଲୋକେ ସେମାନଙ୍କ ଜମି ହଡ଼ପ ନିମନ୍ତେ ଏକ ଚେଷ୍ଟା ବୋଲି ଧରି ନେଇଥିଲେ । ଆଉ ଯାହା ହେଲା ବିବାଦର ମୁଖ୍ୟ ଦ୍ବିତୀୟ କାରଣ ।
ତେବେ ଚଳିତ ବର୍ଷ ଏପ୍ରିଲ ୧୪ ତାରିଖରେ ମଣିପୁର ହାଇକୋର୍ଟ ମୈତେଇମାନଙ୍କୁ ଜନଜାତି ଯୋଗ୍ୟତା ଦେବା ନେଇ ରାଜ୍ୟସରକାରଙ୍କୁ ୪ସପ୍ତାହର ସମୟ ଦେଇଥିଲେ । ଏହା ସପକ୍ଷରେ ମେ ୨ ତାରିଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ଏହା ବିରୋଧରେ ମେ ୩ ତାରିଖ ଦିନ ଅଖିଳ ମଣିପୁର ଜନଜାତି ଛାତ୍ର ସଂଘ ପ୍ରଦର୍ଶନ କରିଥିଲେ । ଯହା ଉତ୍ତେଜନାତ୍ମକ ପରିସ୍ଥିତି ସୃଷ୍ଟି କଲା । ହିଂସାର ମୂଳକେନ୍ଦ୍ର ଚୁରାଚାନ୍ଦପୁର ହୋଇଛି । କାରଣ ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂହଙ୍କ କାର୍ଯ୍ୟକ୍ରମ ପୂର୍ବରୁ କାର୍ଯ୍ୟକ୍ରମ ସ୍ଥଳୀକୁ ନିଆଁ ଲଗାଇ ଜାଳିଦିଆଯାଇଥିଲା । କାରଣ ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂହ ନିଜେ ମୈତେଇ ସମୁଦାୟରୁ ଆସିଛନ୍ତି ଆଉ ଯାହାଙ୍କୁ କୁକିମାନେ ବିଶ୍ବାସ କରନ୍ତି ନାହିଁ । ତେବେ ଏହି ବିଶେଷ କାରଣ ହେଉଛି ମଣିପୁର ହିଂସାର କାରଣ ।