365 (ବ୍ୟୁରୋ): ରାଜ୍ୟର ଜୀବନରେଖା କୁହାଯାଉଥିବା ଓଡ଼ିଶାର ଚିରସ୍ରୋତା ମହାନଦୀକୁ ନେଇ ଯେତିକି ଐତିହ୍ୟ ରହିଛି, ତାଠୁ ଅଧିକ ମହାନଦୀ କୂଳରେ ରହିଥିବା ଧାର୍ମିକ ସ୍ଥଳୀ ଗୁଡିକ ନେଇ ଚର୍ଚ୍ଚା ଜାରି ରହିଛି । ବୌଦ୍ଧ ଜିଲ୍ଲାରେ ପ୍ରାୟ ୧୫୦ କିମି ଦୂରତା ପର୍ଯ୍ୟନ୍ତ ବହିଯାଇଛି ମହାନଦୀ । ବୌଦ୍ଧ ଜିଲାର ମନମୁଣ୍ଡାଠାରୁ ମାରଡ଼ା ପର୍ଯ୍ୟନ୍ତ ନଦୀ କୂଳରେ ରହିଛି ଅନେକ ଶୈବ ପୀଠ। ସେଥିମଧ୍ୟରୁ ବାଉଁଶୁଣି ସ୍ଥିତ ମହାନଦୀ କୂଳରେ ଦ୍ୱାଦଶତମ ଶତାବ୍ଦୀରେ ତତ୍କାଳୀନ ପୁରୀ ରାଜା ତୃତୀୟ ଅନଙ୍ଗ ଭୀମଦେଓଙ୍କ ଦ୍ୱାରା ନିର୍ମିତ ହୋଇଥିବା ମନ୍ଦିରରେ ପୂଜା ପାଉଛନ୍ତି ଭୁବନେଶ୍ୱର ବାବା ।
ଏହି ଶୈବ ପୀଠର ରହିଛି ଅନେକ କିମ୍ବଦନ୍ତୀ । ଚୈତ୍ର ମାସରେ ଦଣ୍ଡଯାତ୍ରା, କାର୍ତିକ ମାସରେ କାର୍ତ୍ତିକ ବ୍ରତଧାରୀ, ଶ୍ରାବଣ ମାସରେ ବୋଲବମ ଭକ୍ତଙ୍କ ଭିଡ଼, ବୈଶାଖ ମାସରେ ବ୍ରତଧାରୀ ବହୁତ ଭିଡ଼ ଜମାଉଥିବାବେଳେ ବିଭିନ୍ନ ପର୍ବପର୍ବାଣୀରେ ମଧ୍ୟ ମାନସିକଧାରୀଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ମାଲି ସେବାୟତ ମାନେ ବାବା ଭୁବନେଶ୍ୱର ଙ୍କ ପୂଜାର୍ଚ୍ଚନା କରିଥାନ୍ତି । ବାବା ଭୁବନେଶ୍ୱରଙ୍କ ନିକଟରେ ମାନସିକ କଲେ ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ମହାନଦୀ କୂଳରେ ଥିବା ଏହି ଦ୍ୱାଦଶତମ ଶତାବ୍ଦୀରେ ନିର୍ମିତ ବାବା ଭୁବନେଶ୍ୱର ଶୈବ ପୀଠ ପରିସରରେ ପ୍ରତିବର୍ଷ ବନ୍ୟା ପ୍ରଭାବରେ ମାଟି ଅତଡ଼ା ଧସିବା ଫଳରେ ମନ୍ଦିରଟି ବର୍ତ୍ତମାନ ନଦୀ ଗର୍ଭରେ ଲୀନ ହେବାକୁ ବସିଛି। ମନ୍ଦିର ପରିସର ପାଚେରି ଭାଙ୍ଗି ଗଲାଣି ।
ସୂଚନା ଥାଉ କି ଏହି ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ଅଂଚଳବାସୀ ବାରମ୍ବାର ସ୍ଥାନୀୟ ରାଜନେତା, ଜିଲ୍ଲାପ୍ରଶାସନ ଏବଂ ରାଜ୍ୟ ସରକାରଙ୍କୁ ଅବଗତ କରିଆସୁଛନ୍ତି । ମାତ୍ର ଏଥିପ୍ରତି କାହାର ଆନ୍ତରିକତା ନ ଥିବା ଜଣାପଡିଛି । ତେବେ ବୌଦ୍ଧ ଜିଲ୍ଲା ଗ୍ରସ୍ତରେ ଆସିଥିବା ରାଜ୍ୟ ସରକାରଙ୍କ ଫାଇଭ ଟି ସଚିବଙ୍କୁ ଗ୍ରାମବାସୀ ବାବା ଭୁବନେଶ୍ୱର ଶୈବ ପୀଠର ବିକାଶ ଓ ରକ୍ଷଣବେକ୍ଷଣ କରିବା ପାଇଁ ଦାବିପତ୍ର ପ୍ରଦାନ କରିଥିଲେ । ଦାବି ମୁତାବକ ସରକାରଙ୍କ ପକ୍ଷରୁ ୫ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ମଂଜୁର ହୋଇଛି। ମାତ୍ର ମନ୍ଦିରର ବର୍ତ୍ତମାନର ଅବସ୍ଥା ଯାହା ତାହା ୫ ଲକ୍ଷ ଟଙ୍କାରେ ପୁନରୁଦ୍ଧାର କରାଯିବା ସମ୍ଭବପର ନୁହେଁ।