ନ୍ୟୁଜ ୩୬୫ (ବ୍ୟୁରୋ): ଫେରିଲେ ବୁମରା ବଢିଲା ଭାରତ ବଳ । ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଅଧିନାୟକ ଦାୟିତ୍ବ ସମ୍ଭାଳିବେ ଟିମ୍ ଇଣ୍ଡିଆର ସଫଳ ଦ୍ରୁତ୍ ବୋଲର ଯଶପ୍ରୀତ ବୁମରା । ପାଖାପାଖି ୧୦ ମାସରୁ ଅଧିକ ସମୟ ଧରି ଆହତ କାରଣରୁ କ୍ରିକେଟରୁ ଦୂରେଇ ରହିଥିଲେ ଟିମ୍ ଇଣ୍ଡିଆର ଷ୍ଟାର ବୋଲର। ଗତବର୍ଷ ସେପ୍ଟମ୍ବର ୨୫ରେ ଅଷ୍ଟ୍ରେଲିଆ ବିପକ୍ଷରେ ବୁମରା ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ଆଗକୁ ଦିନିକିଆ ବିଶ୍ବକପ ଥିବାରୁ ଯଶପ୍ରୀତ ବୁମରାଙ୍କ ପ୍ରତ୍ୟାବର୍ତ୍ତନ ଭାରତୀୟ ଦଳକୁ ବଳ ଯୋଗାଇଛି। ଆୟରଲାଣ୍ଡ ଗସ୍ତ ପାଇଁ ଋତୁରାଜ ଗାଏକ୍ୱାଡଙ୍କୁ ଉପଅଧିନାୟକ ଦାୟିତ୍ବ ମିଳିଛି। ଦଳରେ ଏକାଧିକ ନୂଆ ମୁହଁ ଦେଖିବାକୁ ମିଳିଛି। ଅଗଷ୍ଟ ୧୮ରୁ ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜ ଆରମ୍ଭ ହେବ। ୨୦ରେ ଦ୍ୱିତୀୟ ଓ ୨୩ରେ ତୃତୀୟ ମ୍ୟାଚ୍ ଖେଳାଯିବ । ବୁମ୍ ବୁମ୍ ବୁମରା କମବ୍ୟାକ୍ ଭାରତୀୟ ଦଳର ବୋଲିଂ ବିଭାଗକୁ ଶକ୍ତିଶାଳୀ କରିବ । ଦୂର ହେବ ଟିମ୍ ଇଣ୍ଡିଆର ଟେନସନ୍। ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଜବରଦସ୍ତ ପ୍ରଦର୍ଶନ କରି ବିଶ୍ବକପ ଦଳରେ ବୁମରା ସ୍ଥାନ ପାଆନ୍ତୁ ବୋଲି ଆଶା ରଖିଛନ୍ତି କ୍ରିକେଟ୍ ପ୍ରେମୀ।