ନ୍ୟୁଜ୍ 365(ବ୍ୟୁରୋ): ଗତ କିଛିବର୍ଷ ଧରି ଶ୍ରୀମନ୍ଦିରର ରହସ୍ୟପୂର୍ଣ୍ଣ ରତ୍ନଭଣ୍ଡାରର ସୁରକ୍ଷା ଓ ଏଥିରେ ସଞ୍ଚିତ ଥିବା ସ୍ବର୍ଣ୍ଣ ଅଳଙ୍କାର ନେଇ ବାଦ ବିବାଦ ଲାଗି ରହିଛି । ପ୍ରତ୍ୟେକ ଦିନ ଏଥିପାଇଁ ଜବନ୍ନାଥ ପ୍ରେମୀ ଓ ବିରୋଧି ଦଳଙ୍କ ଦ୍ବାରା ସମାଲୋଚନାର ଶୀକାର ହେଉଛନ୍ତି। ଏହାରି ମଧ୍ୟରେ ମନ୍ଦିର ପ୍ରଶାସନ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ଶେଷଥର ପାଇଁ ଗତ ୧୯୭୮ ମସିହାରେ ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାରଗୁଡ଼ିକର ହିସାବ କରାଯାଇଥିଲା। ଏଥିରେ ପାଖାପାଖି ଦେଢ଼ କ୍ଵିଣ୍ଟାଲ ସୁନା (୧୪୯କିଲୋ ୪୬୦ ଗ୍ରାମ ) ଓ ୧୮୪ କିଲୋ ରୂପା ରହିଛି ବୋଲି ସତ୍ୟପାଠରେ ଦର୍ଶାଯାଇଛି । ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଛି ଯେ ରତ୍ନଭଣ୍ଡାରରେ ୩ଟି କକ୍ଷ ରହିଛି । ଭିତର ରତ୍ନଭଣ୍ଡାରରରେ ରହିଥିବା ଅଳଙ୍କାରଗୁଡ଼ିକ କେବେବି ବ୍ୟବହାର କରାଯାଏନାହିଁ । ବାହାର ରତ୍ନଭଣ୍ଡାରରେ ଥିବା ଅଳଙ୍କାରଗୁଡ଼ିକ ପର୍ବ ପର୍ବାଣୀରେ ବ୍ୟବହାର କରାଯାଇଥାଏ। ତେବେ ମହାପ୍ରଭୁଙ୍କ ଦୈନନ୍ଦିନ ବ୍ୟବହାର ପାଇଁ ଚଳନ୍ତି ଭଣ୍ଡାରର ଅଳଙ୍କାର ବ୍ୟବହାର ହୋଇଥାଏ ବୋଲି ସତ୍ୟପାଠରେ ଉଲ୍ଲେଖ ରହିଛି । ଭିତର ରତ୍ନଭଣ୍ଡାରରେ ୫୦ କେ ଜି ୬୦୦ ଗ୍ରାମ ସୁନା ଅଳଙ୍କାର ରହିଥିବା ବେଳେ ୧୩୪ କେଜି ୫୦ଗ୍ରାମର ରୂପା ଅଳଙ୍କାର ରହିଛି । ବାହାର ରତ୍ନଭଣ୍ଡାରରେ ୯୫ କେଜି ୩୨୦ଗ୍ରାମ ସୁନା ଏବଂ ୧୯ କେଜି ୪୮୦ଗ୍ରାମର ରୂପା ଅଳଙ୍କାର ରହିଥିବା ସତ୍ୟପାଠରେ ଦର୍ଶାଯାଇଛି ।
ସେହିପରି ମହାପ୍ରଭୁଙ୍କ ନିତିଦିନିଆ ବ୍ୟବହାର ପାଇଁ ଚଳନ୍ତି ଭଣ୍ଡାରରେ ୩ କେଜି ୪୮୦ଗ୍ରାମର ସୁନା ଏବଂ ୩୦ କେଜି ୩୫୦ ଗ୍ରାମର ରୂପା ଅଳଙ୍କାର ରହିଛି ବୋଲି ସତ୍ୟପାଠରେ ଦର୍ଶାଯାଇଛି। ରତ୍ନଭଣ୍ଡାର ସ୍ଥିତି ଭଲ ନଥିବାରୁ ଏହାକୁ ଖୋଲିବା ଲାଗି ପୁରୀ ଗଜପତି ମହାରାଜ ଓ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କ ଭଳି ପ୍ରମୁଖ ସେବାୟତ ବହୁ ପୂର୍ବରୁ ଦାବି କରି ଆସୁଥିବା ବେଳେ ରାଜ୍ୟ ସରକାର କିନ୍ତୁ ଏ ଦିଗରେ ଉଦାସୀନତା ପ୍ରକାଶ କରୁଛନ୍ତି। ରତ୍ନ ଭଣ୍ଡାର ପ୍ରସଙ୍ଗରେ ସରକାରଙ୍କ ସତ୍ୟପାଠ ଦାଖଲକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସେ କହିଛନ୍ତି, ରତ୍ନ ଭଣ୍ଡାର ନ ଖୋଲି ରାଜ୍ୟସରକାର କେମିତି ଜାଣିଲେ ତାହା ସୁରକ୍ଷିତ ଅଛି ବୋଲି । ମନ୍ଦିର ପ୍ରଶାସନର ସତ୍ୟପାଠ ସନ୍ଦେହ ବଢ଼ାଉଛି । ଏଭଳି ସତ୍ୟପାଠ ଦାଖଲ କରି ସରକାର କିଛି ତଥ୍ୟ ଲୁଚାଉଛନ୍ତି। ରତ୍ନ ଭଣ୍ଡାରର ମରାମତି ଆବଶ୍ୟକ ବୋଲି ଗଜପତି ମହାରାଜା କହୁଥିବା ବେଳେ ତାହା ସୁରକ୍ଷିତ ଅଛି ବୋଲି ସରକାର କେମିତି ଜାଣିଲେ । ରତ୍ନଭଣ୍ଡାରରେ ସମସ୍ତ ସୁନା, ରୂପା କାଠ ସିନ୍ଦୁକରେ ରଖାଯାଇଛି। ନିୟମିତ ସମୟ ବ୍ୟବଧାନରେ ତାହାକୁ ଖୋଲିବା କଥା । ୧୯୭୮ ମସିହାରେ ଶେଷ ଥର ଖୋଲା ହୋଇଥିଲା । ଏହାପରେ ଚାବି ହଜି ଯାଇଥିବା କୁହାଗଲା। ତେଣୁ ରାଜ୍ୟବାସୀଙ୍କର ତଥା ଜଗନ୍ନାଥପ୍ରେମୀଙ୍କ ମନରେ ସନ୍ଦେହ ବଢିଛି । ଏହା ବାଦେ ସବିଠୁ ବଡ଼ କଥା ହେଉଛି ସରକାର ଯଦି ଜାଣିଥିଲେ ରତ୍ନଭଣ୍ଡାରରେ କେତେ ରତ୍ନାଳଙ୍କାର ଅଛି ତାହେଲେ ଏବେ ଦିନ ଯାଏ କାହିଁକି ଚୁପ୍ ଥିଲେ। ଅତୀତରେ ରତ୍ନଭଣ୍ଡାରରେ ବହୁ ତୁମ୍ବି ତୋଫାନ ହୋଇଛି। ଏକଥାକୁ ନେଇ ସରକାର ମଧ୍ୟ ହରଡ଼ ଅନେକ ଥର ଘଣାରେ ପଡ଼ିଛନ୍ତି। ହେଲେ ସେତେବେଳେ ମୌନ ସମ୍ମତି ଲକ୍ଷଣ ଦେଖାଇ ପ୍ରତ୍ୟେକ ଥର ଏ ମୁଦ୍ଦାରୁ ଦୂରେଇ ରହିଆସିଥନ୍ତି। ଏବେ ସରକାର ଯେଉଁ ତଥ୍ୟ ଦେଲେ ତାହା ଯେ ସମ୍ପୂର୍ଣ୍ଣ ଠିକ୍ ତାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଜଗନ୍ନାଥ ପ୍ରେମୀ। ଏହାର ଆଧାର କଣ ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜିବୀ।