ନ୍ୟୁଜ 365 (ବ୍ୟୁରୋ): ମନ୍ତ୍ରୀ ନବ ଦାସ ହତ୍ୟା ମାମଲାକୁ ଛଅ ମାସ ବିତିଗଲାଣି। କେଉଁ କାରଣରୁ ନବଙ୍କ ପରି ଜଣେ ପାଓ୍ୱାରଫୁଲ ମନ୍ତ୍ରୀଙ୍କୁ ହତ୍ୟା କରାଗଲା ତାହାର ସଠିକ୍ କାରଣ ଆଜିପର୍ଯ୍ୟନ୍ତ ଜଣାପଡ଼ିଲା ନାହିଁ। ଏହାରି ଭିତରେ ଉପନିର୍ବାଚନ ସରି ନବଙ୍କ ଝିଅ ବିଧାୟିକା ହୋଇସାରିଲେଣି । ତେବେ ହତ୍ୟା ଘଟଣାରେ ଘଣ୍ଟ ଘୋଡ଼ାଇବାକୁ ଅହରହ ପ୍ରୟାସ ଜାରି ରହିଛି । ଅନ୍ୟପଟେ ଅଭିଯୁକ୍ତ ଗୋପାଳ ଦାସକୁ ନେଇ ଦିନକୁ ଦିନ ରୋଚକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟ୍ ଗୋପାଳ ସଂପର୍କରେ ଅନେକ ଅନାଲୋଚିତ ତଥ୍ୟକୁ ସାମ୍ନାକୁ ଆଣୁଛି। ରିପୋର୍ଟ ହିଁ ସୂଚାଇ ଦେଉଛି ଯେ, କ୍ରାଇମବ୍ରାଞ୍ଚ ପ୍ରସ୍ତୁତ କରିଥିବା ଚାର୍ଜସିଟ୍ରେ ବହୁତ ଗୋଳମାଳିଆ ତଥ୍ୟ ରହିଛି। ଏହା କାହାପାଇଁ କେତେ ଲାଭଦାୟକ ହେବ ଆଉ କାହାକୁ କ୍ଷତି ପହଞ୍ଚାଇବ ସେ ତ ଭିନ୍ନ କଥା, ମାତ୍ର ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇଲେ ରାଜ୍ୟରେ ପୁଲିସ ବିଭାଗ ଠିକଠାକ୍ ଚାଲିନାହିଁ ତାହା ଜଣାପଡିଯାଉଛି ।
କ୍ରାଇମବ୍ରାଞ୍ଚ ଚାର୍ଜସିଟ୍କୁ ଟିକେ ନିରେଖି ଦେଖିଲେ ଜଣାପଡ଼ୁଛି ଯେ ଜବତ ତାଲିକାରେ ୨୦୧୩ରୁ ୨୦୧୫ ଯାଏ ଗୋପାଳର ଚାକିରି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ରଖିଛି। ଗୋପାଳର ମାନସିକ ସ୍ଥିତି ସଂପର୍କରେ ଗୋଟିଏ ଚିତ୍ର ସାମ୍ନାକୁ ଆସୁଛି। ରିପୋର୍ଟରେ ଥିବା ତଥ୍ୟ କହୁଛି, ୨୦୧୪ ଫେବ୍ରୁଆରି ୭ ତାରିଖରେ ତତ୍କାଳୀନ ଏସ୍ପି ସୀମା ଯାଞ୍ଚ ପାଇଁ କୋଲାବିରା ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହି ନିର୍ଦ୍ଦେଶନାମା ମିଳିବାର ତିନିଦିନ ପରେ ତତ୍କାଳୀନ ଆର୍ଏସ୍ଆଇ କୋଲାବିରା ଥାନାଧିକାରୀଙ୍କୁ ଜଣାଇଥିଲେ ଯେ ଗୋପାଳ ଅନୁପସ୍ଥିତ ରହିଛି। ଏନେଇ ସେ କାହାକୁ ସୂଚନା ମଧ୍ୟ ଦେଇନାହିଁ। ଅନ୍ୟପକ୍ଷରେ ଗୋପାଳ ଯେଉଁ ମେଡ଼ିକାଲ ରିପୋର୍ଟ ଦେଇଛି, ସେଥିରେ କୁହାଯାଇଛି ଯେ, ସେ ବ୍ରହ୍ମପୁର ମେଡ଼ିକାଲରେ ସେହିବର୍ଷ ଅର୍ଥାତ୍ ୨୦୧୪ ଫେବ୍ରୁଆରି ୪ରୁ ଏପ୍ରିଲ ୩ ଯାଏ ଚିକିତ୍ସିତ ହେଉଥିଲା। ଯଦି ଗୋପାଳ ମେଡ଼ିକାଲରେ ଚିକିତ୍ସିତ ହେଉଥିଲା, ସେନେଇ ସଂପୃକ୍ତ କୋଲାବିରା ଥାନାଧିକାରୀ କଣ ଜାଣିନଥିଲେ? ଯଦି ଜାଣିଥିଲେ ତେବେ ତାଙ୍କୁ ପୁଣି କେମିତି ସୀମା ଯାଞ୍ଚ ଦାୟିତ୍ବ ଦେଲେ । ସେ ସମ୍ପର୍କରେ କେହି କିଭଳି ଭଆବରେ ଜାଣିପାରିଲେ ନାହିଁ ?
ସେହିଭଳି ତତ୍କାଳୀନ ଝାରସୁଗୁଡ଼ା ଏସ୍ଡିପିଓ ରାଜକିଶୋର ପାଇକରାୟ ସେହିବର୍ଷ ଏପ୍ରିଲ ୨୬ ତାରିଖରେ ଗୋପାଳକୁ ଚିକିତ୍ସିତ କରିଥିବା ଡାକ୍ତରଙ୍କ ସମ୍ପର୍କରେ ସୂଚନା ମାଗିଥିଲେ। ଏଥିରେ କୁହାଗଲା ଯେ ମାର୍ଚ୍ଚ ୧୩ ତାରିଖରେ ଏମ୍କେସିଜି ହସ୍ପିଟାଲର ଡା. ଚନ୍ଦ୍ରଶେଖର ତ୍ରିପାଠୀଙ୍କ ନିକଟରେ ଗୋପାଳ ଚିକିତ୍ସିତ ହେଉଥିଲା। ସେହିବର୍ଷ ଫେବ୍ରୁଆରି ୨୮ ତାରିଖରେ ପୁଣି ଗୋପାଳ ଏମ୍କେସିଜି ହସ୍ପିଟାଲର ଓପିଡିରେ ଚିକିତ୍ସିତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଗୋଟିଏ ପଟେ ଏମ୍କେସିଜି ହସ୍ପିଟାଲର ଡାକ୍ତର ଫେବ୍ରୁଆରି ୪ରୁ ଏପ୍ରିଲ ୩ ତାରିଖ ଯାଏ ଚିକିତ୍ସିତ ହୋଇଥିବା ରିପୋର୍ଟ ଦେଇଥିବା ବେଳେ ଆଉ ଗୋଟିଏ ପଟେ ଏହାରି ଭିତରେ ସେ ଘରୋଇ ହସ୍ପିଟାଲରେ ଓ ଆଉ ଥରେ ସେହି ହସ୍ପିଟାଲର ଓପିଡିରେ ଚିକିତ୍ସିତ ହୋଇଥିବା ରିପୋର୍ଟ ଦିଆଯାଇଛି। ତେବେ ଗୋଟିଏ ସମୟରେ ଦୁଇ ଦୁଇଟି ସ୍ଥାନରେ ଗୋପାଳ କେମିତି ଯାଇ ଚିକିତ୍ସିତ ହେଲା । ଏଥିରୁ କେଉଁଟି ସତ ? ଗୋପାଳ ବାସ୍ତବରେ କେଉଁଠି ଚିକିତ୍ସିତ ହେଉଥିଲା । ଏଭଳି ରିପୋର୍ଟ ସଂପର୍କରେ ତତ୍କାଳୀନ ପୁଲିସ ଅଧିକାରୀମାନେ ଜାଣିଶୁଣି ଅନୁଧ୍ୟାନ କରିନାହାନ୍ତି ନା ଏହା ପଛରେ ଆଉ କିଛି କଥା ରହିଛି ତାହା ବି ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଉଭୟ ଘଟଣା ଦୁଇଟି ବଡ଼ ପ୍ରଶ୍ନ ଛି଼ଡ଼ା କଲାଣି। ପ୍ରଥମତଃ ୨୦୧୬ରୁ ୨୦୨୨ ଯାଏ ଗୋପାଳର ଚାକିରି ଜୀବନର ସମସ୍ତ ତଥ୍ୟ ଦିଆଯାଇନାହିଁ। ଏହି ସମୟରେ ଗୋପାଳ ଚିକିତ୍ସିତ ହେଉଥିଲା ଏବଂ ସେ ସମ୍ପୂର୍ଣ୍ଣ ରୋଗମୁକ୍ତ ହୋଇସାରିଥିଲା, ତାହା ବି ସଠିକ ଭାବରେ ଜଣାପଡ଼ୁନାହିଁ। ଷ୍ଟେଟ୍ ଡିଫେନ୍ସ କାଉନ୍ସିଲ ନରେଶ ନାୟକ କହିଛନ୍ତି, ପୁଲିସ ବିଭାଗ ଓ ରାଜ୍ୟ ସରକାର ଉଭୟେ ଗୋପାଳର ମାନସିକ ରୋଗ ସମ୍ପର୍କରେ ଅବଗତ ଥିଲେ। ମାତ୍ର ଗୋପାଳ ଯେଉଁସବୁ ଡାକ୍ତରଙ୍କ ନିକଟରେ ଚିକିତ୍ସିତ ହୋଇଥିବା ଦର୍ଶାଇଛି ସେମାନଙ୍କର ସିଆର୍ପିସି ଧାରା ୧୬୧ ଅନୁସାରେ ବୟାନ୍ ରେକର୍ଡ କରାଯାଇନାହିଁ। ଯଦି ସମସ୍ତେ ସବୁ ଜାଣିଥିଲେ, ତାଙ୍କ ରୋଗ ସମ୍ପର୍କରେ ଅବଗତ ଥିଲେ, ତେବେ ଗୋପାଳଙ୍କୁ କେମିତି ବନ୍ଧୁକ ଦିଆଗଲା ? ପୁଲିସ ଉଚ୍ଚ କର୍ତ୍ତୃପକ୍ଷ ତା’ ସଂପର୍କରେ ପରବର୍ତ୍ତୀ ସମୟରେ କିଭଳି ସାର୍ଟିଫିକେଟ୍ ପାଇଲେ, ଯାହା ଫଳରେ ମାନସିକ ଅସୁସ୍ଥତା ଥିବା କଥାକୁ ପାସୋରି ଦେଲେ ?
ଏହାରି ଭିତରେ ଆହୁରି ଏକ ଚାଞ୍ଚଲ୍ୟକର ତଥ୍ୟ ମଧ୍ୟ ସାମ୍ନାକୁ ଆସୁଛି। ଗୋପାଳ ୨୦୧୩ ସେପ୍ଟେମ୍ବର ୧୨ ତାରିଖ ସକାଳ ସାଢ଼େ ୭ଟାରୁ ନିଖୋଜ ଥିଲା। ଆଇଆଇସି କୋଲାବିରା ଏସ୍ପିଙ୍କୁ ମେସେଜ୍ ଯୋଗେ ଏକଥା ଅବଗତ କରିଥିଲେ। ପରେ ଗୋପାଳ ସେହିଦିନ ଚାକିରିରେ ପୁଣି ଯୋଗ ଦେଇଛି ଓ ଝାରସୁଗୁଡ଼ା ହସ୍ପିଟାଲର ଆଉଟ୍ଡୋର ଟିକେଟ୍ ବି ଏଥିରେ ସଂଲଗ୍ନ ରହିଛି। ଯେଉଁଥିରେ ସେ ଚିକିତ୍ସିତ ହୋଇଥିବା କଥା କୁହାଯାଇଛି। କେବଳ ଥରୁଟିଏ ନୁହେଁ, ସେହିବର୍ଷ ଅର୍ଥାତ ୨୦୧୩ ଅକ୍ଟୋବର ୧୦ ତାରିଖରେ ଗୋପାଳ ପୁଣି ଥରେ ବିନା ସୂଚନାରେ ଅନୁପସ୍ଥିତ ରହିଥିଲା। ଏହି କାରଣରୁ ତାର ଦିନକର ଦରମା ବନ୍ଦ ହୋଇଥିବା ସମ୍ପର୍କିତ କାଗଜ ବି ଜବତ କରାଯାଇଛି। ତେବେ ଏ ସମସ୍ତ ତଥ୍ୟ ଉପରେ ନଜର ପକାଇଲେ ଗୋଟିଏ କଥା ସ୍ପଷ୍ଟ ଭାବରେ ଜଣାପଡୁଛି ଯେ, ଗୋପାଳକୁ ଖସାଇବା ପାଇଁ ପ୍ରୟାସ କରାଯାଉଛି ।