ନ୍ୟୁଜ 365 (ବ୍ୟୁରୋ): ସ୍ୱରାଜ ମୋର ଜନ୍ମଗତ ଅଧିକାର,ମୁଁ ତାକୁ ନିଶ୍ଚିୟ ହାସଲ କରିବି। ଆମ ରାଷ୍ଟ୍ର ଏକ ଗଛ ପରି, ଯାହାର ମୂଳ ହେଉଛି ସ୍ବରାଜ, ଉତ୍ସ ଓ କ୍ଷମତାର ଅଭାବ କେବେ ସମସ୍ୟା ନୁହେଁ, ଇଚ୍ଛା ଶକ୍ତିର ଅଭାବ ହିଁ ପ୍ରଥମ ସମସ୍ୟା ବୋଲି କୁହନ୍ତି, ଜଣେ ମହାନ ଦେଶ ଭକ୍ତ , ସ୍ୱାଧୀନତା ଲାଗି ଆନ୍ଦୋଳନକାରୀମାନଙ୍କୁ ଉତ୍ସାହ ଯୋଗାଉଥିବା ସଂଗ୍ରାମୀ ସେ। ଇଂରେଜ ବିରୋଧରେ ସ୍ବର ଉର୍ତ୍ତୋଳନ କରି ଜନଆନ୍ଦୋଳନ ଜାଗ୍ରତ କରୁଥିବା ମହାନ ପୁରଧା ।
ଏକାଧାରାରେ ସେ ଥିଲେ ସ୍ୱାଧୀନତା ସଂଗ୍ରାମୀ,ଦାର୍ଶନିକ, ସାମ୍ବାଦିକ, ଶିକ୍ଷକ, ସମାଜ ସଂସ୍କାରକ, ଓକିଲ। ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ପ୍ରଥମ ନେତା । ବ୍ରିଟିସ ଉପନିବେଶ ଅଧିକାରୀଗଣ ତାଙ୍କୁ “ଭାରତୀୟ ଆନ୍ଦୋଳନର ପିତା” ନାମରେ ଅଭିହିତ କରିଥିଲେ । ସେ “ଲୋକମାନ୍ୟ” ଉପାଧୀରେ ମଧ୍ୟ ଭୂଷିତ ହୋଇଥିଲେ ଯାହାର ଅର୍ଥ ଥିଲା ଲୋକଙ୍କଦ୍ୱାରା ନେତା ସ୍ବୀକୃତି ପାଇବା ।ସେ ଥିଲେ ଲୋକମାନ୍ୟ ବାଲ ଗଙ୍ଗାଧର ତିଳକ । ତାଙ୍କର ପୁରା ନାଁ ଥିଲା କେଶବ ଗଙ୍ଗାଧର ତିଲକ। ୧୮୫୬ ମସିହା ଜୁଲାଇ ୨୩, ମହାରାଷ୍ଟ୍ରର ରତ୍ନଗିରିରେ ଜନ୍ମଲାଭ କରିଥିଲେ।
ସ୍ୱରାଜ ଆନ୍ଦୋଳନର ପ୍ରଥମ ଏବଂ ବଳିଷ୍ଠତମ ସମର୍ଥକ ଥିଲେ ବାଲ ଗଙ୍ଗାଧର ତିଲକ। ଭାରତୀୟ ଚେତନାର ଜଣେ ଶକ୍ତ ପ୍ରବର୍ତ୍ତକ ମଧ୍ୟ ଥିଲେ । “ସ୍ୱରାଜ ମୋର ଜନ୍ମଗତ ଅଧିକାର, ଏବଂ ମୁଁ ତାହାକୁ ନିଶ୍ଚେ ହାସଲ କରିବି” ତାଙ୍କର ଏହି ଉକ୍ତି ତାଙ୍କୁ ଜନମାନସରେ ଆଦୃତ କରିଥିଲା।“ଭାରତୀୟ ସ୍ଵତନ୍ତ୍ରତା ସଂଗ୍ରାମରେ ଅବିସ୍ମରଣୀୟ ଅବଦାନ ରଖିଥିବା ମହାନ ଦେଶଭକ୍ତ ଥିଲେ ବାଲ ଗଙ୍ଗାଧର ତିଲକ,ସବୁବେଳେ ସେ ଜନତାଙ୍କ ଅଧିକାର ପାଇଁ ଲଢେଇ କରୁଥିଲେ ,କିନ୍ତୁ ଜନତାଙ୍କ ସମସ୍ୟାର ସମାଧାନ ନହେବା ଯାଏ ପଛଘୁଞ୍ଚା ଦେଉନଥିଲେ ସେ। ତାଙ୍କ ବାରତ୍ବ ହିଁ ଥିଲା ତାଙ୍କ ପରିଚୟ। ତାଙ୍କ ସାହାସ ଓ ଅଦମ୍ୟ ଇଛା ଶକ୍ତି ହଜାଇ ଥିଲା ଇଂରେଜ ସରକାରଙ୍କ ନିଦ, ଭାରତୀୟ ସ୍ୱାଧୀନତା ସଂଗ୍ରାମ ପ୍ରମୁଖ ଭୂମିକା ନିଭାଇ ଥିଲେ,ଯାହାକୁ ଆଜିବି ମନେ ରଖିଛି ଇତିହାସ।ଏହି ସଂଗ୍ରାମୀଙ୍କ ବୀରତ୍ବର ଗାଥା ଯୁବପିଢିଙ୍କୁ ଦେଶ ମାତୃକାର ସେବା କରିବାକୁ ପ୍ରେରଣା ଯୋଗାଉଛି।
ଅଳସୁଆଙ୍କ ପାଇଁ ଈଶ୍ବର ନ ଥାନ୍ତି, ଈଶ୍ବର କର୍ମଠ ଲୋକଙ୍କ ପାଖରେ ସବୁବେଳେ ଥାନ୍ତି ବୋଲି ତିଲକ କହୁଥିଲେ। ମହାମାନ୍ୟ ବାଲ ଗଙ୍ଗାଧର ତିଲକ ସ୍ଵାଧୀନତା ସଂଗ୍ରାମରେ ଝାସ ଦେବା ଲାଗି ଦେଶବାସୀଙ୍କୁ ପ୍ରେରଣା ଯୋଗାଉଥିଲେ । ଲୋକଙ୍କ ମଧ୍ୟରେ ଗର୍ବ ଓ ଆତ୍ମବିଶ୍ୱାସର ଭାବନା ଭରିଥିଲେ,ଯାହା ଇଂରେଜ ମାନଙ୍କ ବିରୋଧରେ ଲଢେଇ କରିବାକୁ ଭାରତୀୟଙ୍କୁ ଶକ୍ତି ଦେଉଥିଲା। ସେହି ମହାନ ଦେଶ ପ୍ରେମୀ,ସ୍ବାଧିନତା ସଂଗ୍ରାମୀ ଭାରତ ମାଆର ସୁଯୋଗ୍ୟ ସନ୍ତାନ,୧ଅଗଷ୍ଟ ୧୯୨୦ମସିହାରେ ୬୪ ବର୍ଷ ବୟସରେ ମୁମ୍ବାଇରେ ପ୍ରାଣ ହରାଇ ଥିଲେ । ସେ ମରି ବି ଆଜି ଅମର,ତାଙ୍କର ସ୍ବରାଜ୍ୟର ବାର୍ତ୍ତା ଆଜିବି ସଭିଙ୍କୁ ଜୀବନ ସହ ଲଢିବାକୁ ଶକ୍ତି ଯୋଗାଉଛି। ଲୋକମାନ୍ୟ ବାଲ ଗଙ୍ଗାଧରଙ୍କୁ ଶ୍ରାଦ୍ଧବାର୍ଷିକରେ ରିତମ ଓଡିଆ ପରିବାର ପକ୍ଷରୁ ଶ୍ରଦ୍ଧା ସୁମନ।