ନ୍ୟୁଜ 365 (ବ୍ୟୁରୋ): ରାଜ୍ୟରେ ଚାଲିଛି କଣ ? କିଏ କରୁଛି ଶାସନ ? କାହା ଇଙ୍ଗିତରେ ନାଚୁଛନ୍ତି ନେତା, ମନ୍ତ୍ରୀ। ପ୍ରଶାସନିକ ଅଧିକାରୀଙ୍କୁ କିଏ ଦେଉଛି ଏତେ ପାଓ୍ୱାର ?। କାହା ଛତ୍ରଛାୟା ତଳେ ସେମାନେ କରୁଛନ୍ତି ଦବଙ୍ଗଗିରି ।କାରଣ ଏବେ ନେତା, ମନ୍ତ୍ରୀଙ୍କୁ ଧମକାଉଛନ୍ତି ପ୍ରଶାସନିକ ଅଧିକାରୀ । ଜାକିଜୁକି ହୋଇ ରହିବାକୁ ବାଧ୍ୟ ହେଉଛନ୍ତି ନିର୍ବାଚିତ ପ୍ରତିନିଧି । କାରଣ ତୁଣ୍ଡ ଖୋଲିଲେ ମୁଣ୍ଡ ଗଡ଼ିବାର ଭୟ ଅଛି । କଳାହାଣ୍ଡିର ଭାବନୀପାଟଣା ବିଡିଓ କହୁଛନ୍ତି ଚେୟାରମ୍ୟାନଙ୍କୁ ଜୋତାରେ ପିଟିବେ। ଏପରିକି ସେ ଖୋଲାଖୋଲି କହୁଛନ୍ତି ଆମକୁ ରାଜନୈତିକ ମ୍ୟାନେଜମେଣ୍ଟ କରିବାକୁ ପଡୁଛି । ତାଙ୍କର ଏହି କଥାର ଅର୍ଥ, ବିଜେଡିକୁ ନିର୍ବାଚନରେ ଜିତାଇବା, ଶାସକ ଦଳର ନେତାମାନଙ୍କୁ ଠିକା କାମ ଦେବା, ନିର୍ବାଚିତ ଜନପ୍ରତିନିଧିଙ୍କୁ ଜୋତାରେ ପିଟିବାକୁ ସରକାର ଏମାନଙ୍କୁ ଦାୟିତ୍ୱ ଦେଇଛନ୍ତି ।
ଯଦି ଜଣେ ବିଡିଓ ଏଭଳି କଥାବାର୍ତ୍ତା କରନ୍ତି, ତେବେ ଜିଲ୍ଲାପାଳ, ସଚିବସ୍ତରର ଅଧିକାରୀ ଓଡ଼ିଶାର ଜନପ୍ରତିନିଧିଙ୍କୁ କିଭଳି ଭାବରେ ହତାଦର କରୁଥିବେ ତାହା ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି । ନିର୍ବାଚିତ ଜନପ୍ରତିନିଧିଙ୍କ ବଦଳରେ ଏବେ ସଚିବସ୍ତରର ଅଧିକାରୀ ଯାଇ ବିଭିନ୍ନ ପ୍ରକଳ୍ପ ଘୋଷଣା କରୁଛନ୍ତି । ତେବେ ବିଡିଓ ଏପରି କଥାବାର୍ତ୍ତା କରିବା ପରେ ମଧ୍ୟ ତାଙ୍କୁ ବଦଳି କରାଯାଇନାହିଁ କିମ୍ବା ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାଏକ ।
ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦୀପ୍ତ କହିଛନ୍ତି, ରାଜ୍ୟରେ ଏବେ ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନାରେ ପ୍ରତି ପଞ୍ଚାୟତରେ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ସରକାର ଘୋଷଣା କରିଛନ୍ତି । ମାତ୍ର ସେଥିରେ ନିର୍ବାଚିତ ପ୍ରତିନିଧିଙ୍କର କୌଣସି ଭୂମିକା ରହିବ ନାହିଁ ବୋଲି ଗାଇଡଲାଇନ କରିଛନ୍ତି । ଜିଲ୍ଲାପାଳଙ୍କ ହାତରେ ରହିବ ସମସ୍ତ କ୍ଷମତା । ସେ ଯାହା ଚାହିଁବେ ତାହା କରିବେ। ବ୍ଲକରେ ଚାଲିଛି ବିଡିଓଙ୍କ ରାଜ୍ । ନିଜକୁ ସେମାନେ ମାଲିକ ବୋଲି ଭାବିଲେଣି । ତେବେ ପ୍ରିୟ ବୋଲାଉଥିବା ମୁଖ୍ୟମନ୍ତ୍ରୀଙ୍କର ଏହା କଣ ନବୀନ ଓଡ଼ିଶା କି ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ୍ତ ନାଏକ । ସେ କହିଛନ୍ତି ରାଜ୍ୟରେ ଏବେ ପ୍ରଶାସନିକ ଅରାଜକତା ବଢ଼ିବାରେ ଲାଗିଛି ।
ନିର୍ବାଚନ ପୂର୍ବରୁ ନବୀନ ଓଡ଼ିଶା ଯୋଜନା ଦ୍ୱାରା ଗୋଟିଏ ବଡ଼ ଲୁଟପାଟର ଷଡ଼ଯନ୍ତ୍ର ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଆଗରୁ ଆମ ଗାଁ ଆମ ବିକାଶ ଯୋଜନାରେ ପାଖାପାଖି ୨୫ଶହରୁ ଅଧିକ କୋଟି ଟଙ୍କା ସିଧାସଳଖ ହରିଲୁଟ ହୋଇଛି। ଆମ ଗାଁ ଆମ ବିକାଶ ଯୋଜନାରେ ଆଜି ବି ୯୦ ପ୍ରତିଶତ କାମ ସରିନାହିଁ । ଓଡ଼ିଶାରେ ୫୦ ପ୍ରତିଶତ ପିସି ଚାଲିଛି । ୫-ଟିର ସବୁ କାମରେ ଦୁର୍ନୀତି ହେଉଛି । ବିଡିଓ ଲାଞ୍ଚ ନେଇ ଠିକାଦାରଙ୍କୁ କାମ ଦେଉଛନ୍ତି । ଯିଏ ଅଧିକ ପିସି ଦେଲା ତାକୁ ମିଳୁଛି କାମ । ଜନପ୍ରତିନିଧିଙ୍କୁ ଏକପ୍ରକାର ବିକାଶମୂଳକ କାମରୁ ଦୁରେଇ ଦିଆଯାଉଛି । ତେବେ ଏମିତି ଚାଲିଲେ ଧିରେ ଧିରେ ଜନପ୍ରତିନିଧିଙ୍କ ଉପରୁ ଜନତାଙ୍କର ଭରଷା ତୁଟିଯିବ ।