ନ୍ୟୁଜ୍ 365(ବ୍ୟୁରୋ): ଚିନ୍ତାରେ ସହର ବାସୀ, ଚଳିତ ମୌସୁମୀର ଏହା ପ୍ରଥମ ଅବପାତ । ବଙ୍ଗୋପସାଗରରେ ଅବପାତର ରୂପନେଲା ଲଘୁଚାପ । ଗତକାଲି ହୋଇଥିବା ପ୍ରବଳ ବର୍ଷାରେ ବେହାଲ ହୋଇଛନ୍ତି ଭୁବନେଶ୍ବର ଓ କଟକ ବାସୀ । ତେବେ ଆସନ୍ତା ୨୪ ଘଣ୍ଟା ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଯଦିଓ ଏହି ବର୍ଷା ଚାଷିଙ୍କ ପାଇଁ ନିଅଣ୍ଟିଆ ବର୍ଷାର ସମାଧାନ କରିବ ତେବେ ଏହା ଟୁଇନ୍ ସିଟି ବାସୀଙ୍କୁ ବି ନାକେଦମ୍ କରିବ । ଗତକାଲି ସମୁଦାୟ ୨୫୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବର୍ଷା ପାଣିରେ ରାଜଧାନୀ ଉବୁଟୁବୁ ହେଉଥିବା ବେଳେ ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ଗତକାଲି ଦେଖିବାକୁ ମିଳିଥିଲା ଆଣ୍ଠୁଏ ପାଣି । ଲିଙ୍ଗରାଜ ମନ୍ଦିରକୁ ଯିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଥିଲା । ସେହିପରି ୫୨ ନମ୍ବର ୱାର୍ଡ ଭିମପୁର ମୌଜାରେ ମଧ୍ୟ ଗାଁ ଭିତରେ ଦେଖିବାକୁ ମିଳିଥିଲା ଆଣ୍ଠୁଏ ଆଣ୍ଠୁଏ ଉଚ୍ଚର ପାଣି । ଖାଲି ସେତିକି ନୁହେଁ ସହକରର ବିଭିନ୍ନ ସ୍ଥାନରେ ଏବେବି ଜମିରହିଛି ବର୍ଷା ଜଳ । ଯଦି ଆଜିବି ବର୍ଷାର ପରିମାଣ ସମାନ ରୁହେ ତେବେ ବୋଝଉପରେ ନଳିତାବିଡା ପରି ପରିସ୍ଥିତି ହେବ ସହରବାସୀଙ୍କର ।
ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ । ପରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ବାଂଲାଦେଶ ଉପକୂଳ ଅତିକ୍ରମ କରିବ । ବର୍ତ୍ତମାନ ଏହା ବାଂଲାଦେଶର ଖେପୁପରାଠାରୁ ୨୦୦ କିଲୋମିଟର ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ହୋଇଛି। ଦୀଘାଟାରୁ ପୂର୍ବ-ଦକ୍ଷିଣ ପୂର୍ବ ଦିଗରେ ୪୩୦ କିଲୋମିଟରରେ ରହିଛି । ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଗାଙ୍ଗେୟ ଉପତ୍ୟକା ଅତିକ୍ରମ କରିବ । ସମ୍ଭାବ୍ୟ ଅବପାତ ପ୍ରଭାବରେ ଆଗାମୀ ୩ଘଣ୍ଟା ପାଇଁ ୫ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ମୟୂରଭଞ୍ଜ, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ାରେ ପ୍ରବଳ ବର୍ଷା ସମ୍ଭାବନା ।
ଓଡ଼ିଶାରେ ଉତ୍ତର ଉପକୂଳ, ଉତ୍ତର, ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲା ଯଥା ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୋଳ, କେଉଁଝର, ଦେଓଗଡ, ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସୋନପୁର,ସମ୍ବଲପୁର, ବଲାଙ୍ଗୀର, ବୌଦ ଆଦି ଜିଲ୍ଲାରେ ପ୍ରବଳ ବର୍ଷିବ । ସେପଟେ ରେକର୍ଡ ଭାଙ୍ଗିଲା ରାଜଧାନୀର ବର୍ଷା । ୧୯୬୯ ଜୁଲାଇ ୩୦ ରେ ହୋଇଥିଲା ସର୍ବକାଳୀନ ରେକର୍ଡ । ସର୍ବାଧିକ ୨୮୨.୮ ମିଲିମିଟର ବର୍ଷା ହୋଇଥିଲା । ୨୦୧୮ ଜୁଲାଇ ୩୧ ରେ ୧୯୪.୮ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା । ୨୦୧୨ ରୁ ୨୦୨୩ ମଧ୍ୟରେ ଗତକାଲି ସବୁଠୁ ଅଧିକ ବର୍ଷା ହୋଇଥିବା ସୂଚନା ରହିଛି ।