ନ୍ୟୁଜ 365 (ବ୍ୟୁରୋ): ବଢ଼ୁଛି ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ଅଡୁଆ । ‘ଜମି ପାଇଁ ଚାକିରି’ ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କ ସମ୍ପତ୍ତି ଯବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ପରିବାରର ୬ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି । ଏହି ମାମଲାରେ ସିବିଆଇ ଟିମ୍ ଲାଲୁଙ୍କ ପରିବାରର ଅନେକ ସଦସ୍ୟଙ୍କୁ ପଚରାଉଚରା କରିଛି ।
ଗତ ମେ ମାସରେ ‘ଲ୍ୟାଣ୍ଡ ଫର୍ ଜବ୍’ ମାମଲାରେ ସିବିଆଇ ଟିମ୍ ଦେଶର ୯ଟି ସ୍ଥାନରେ ଚଢ଼ାଉ କରିଥିଲା। ପାଟନା, ଆରା, ଭୋଜପୁର, ଦିଲ୍ଲୀ ଓ ଗୁରୁଗ୍ରାମରେ ସିବିଆଇ ଚଢ଼ାଉ କରିଥିଲା। ବିହାରର ପୂର୍ବତନ ମନ୍ତ୍ରୀ ପ୍ରେମଚାନ୍ଦ ଗୁପ୍ତାଙ୍କ ଘରେ ମଧ୍ୟ ସିବିଆଇ ଚଢ଼ାଉ କରିଥିଲା । ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଘନିଷ୍ଠ ସହଯୋଗୀ କିରଣ ଦେବୀଙ୍କ ପାଟନା ଓ ଆରାସ୍ଥିତ ବାସଭବନରେ ମଧ୍ୟ ସିବିଆଇ ଚଢ଼ାଉ କରିଥିଲା ।