ନ୍ୟୁଜ 365 (ବ୍ୟୁରୋ): ରାଜ୍ୟ ରାଜନୀତିରେ ହଇଚଇ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବୟାନକୁ ନେଇ ସବୁଠି ଚର୍ଚ୍ଚା। ଲୋକସଭା ନିର୍ବାଚନ ଠିକ୍ ସମୟରେ ହେବାକୁ ଥିବା ବେଳେ ଓଡ଼ିଶା ବିଧାନସଭା ନିର୍ବାଚନ ଆଗୁଆ ହେବ ବୋଲି କହିଛନ୍ତି ମନମୋହନ। ଆସନ୍ତା ଅକ୍ଟୋବର-ନଭେମ୍ବରରେ ଓଡ଼ିଶାରେ ନିର୍ବାଚନ ହେବ ବୋଲି ଗଣମାଧ୍ୟମକୁ ସେ କହିଛନ୍ତି । ତେବେ ଏହା ପୂର୍ବରୁ ଅଗଷ୍ଟ ୨୦୨୨ରେ ଆଗୁଆ ନିର୍ବାଚନ ନେଇ ମନମୋହନ ସାମଲ ଗଣମାଧ୍ୟମ ଆଗରେ ବୟାନ ରଖିଥିଲେ । ପୁନର୍ବାର ନିଜ ବୟାନକୁ ଗଣମାଧ୍ୟମ ଆଗରେ ରଖି ଆଗୁଆ ନିର୍ବାଚନ ନେଇ ସେ ସଙ୍କେତ ଦେଇଛନ୍ତି। ଅଢ଼େଇ ମାସ ପରେ ହେବାକୁ ଥିବା ନିର୍ବାଚନ ପାଇଁ ବିଜେପି ପୁରା ପ୍ରସ୍ତୁତ ଆଉ ଏଥର ଆମେ ସଂଖ୍ୟା ଗରିଷ୍ଠତା ଆଣି ସରକାର ବଢିବୁ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
କିଛି ମାସ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗୁଆ ନିର୍ବାଚନ ସମ୍ଭାବନା ଥିବା ନେଇ ବୟାନ ରଖିଥିଲେ । ସେବେଠାରୁ ରାଜ୍ୟରେ ଆଗୁଆ ନିର୍ବାଚନ ହେବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜାରି ରହିଛି । ତେବେ ଏଭଳି ସମ୍ଭାବନାକୁ ମନଗଢ଼ା କହି ଉଡ଼ାଉ ଦେଇଛନ୍ତି ବିଜେଡି ନେତା । ବିଜେଡି କହିଛି ନିର୍ବାଚନ ଯେବେ ହେଲେ ବି ବିଜେଡି ହିଁ ଜିତିବ । କାରଣ ବିଜେଡି ପ୍ରତି ଲୋକଙ୍କ ଭରସା ରହିଛି । ତେବେ ରାଜ୍ୟରେ ଶୋଇରହିଥିବା କଂଗ୍ରେସ ବି ପଛରେ ପଡିନାହିଁ । ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଓଡ଼ିଶାରେ କଂଗ୍ରେସ ସରକାର ଗଢ଼ିବାକୁ ଯାଉଛି । ଲୋକମାନେ ଏବେ କଂଗ୍ରେସକୁ ଭଲ ପାଉଛନ୍ତି ।
ତେବେ ଆଗୁଆ ନିର୍ବାଚନ ନେଇ ସ୍ପଷ୍ଟ ଭାବରେ ଜଣାପଡୁନଥିଲେ ବି ବିଭିନ୍ନ ଦଳର ହାବଭାବ ହିଁ ଅନେକ କିଛି ସଙ୍କେତ ଦେଉଛି । ରାଜ୍ୟରେ ସରକାରଙ୍କ ତତ୍ପରତା ଆଗୁଆ ନିର୍ବାଚନର ସଙ୍କେତ ଦେଉଛି ବୋଲି କହିଛନ୍ତି ରାଜନୈତିକ ବିଶ୍ଳେଷକ । କିଛିଦିନ ହେବ ସରକାର ଗୋଟିଏ ପରେ ଗୋଟିଏ ବଡ଼ ଘୋଷଣା କରିବାରେ ଲାଗିଛନ୍ତି । ଗୋଟିଏ ପରେ ଗୋଟିଏ ଜିଲ୍ଲା ପାଇଁ ପ୍ରକଳ୍ପ ଓ ପ୍ୟାକେଜ ଘୋଷଣା କରିଚାଲିଛନ୍ତି । କେବଳ ସେତିକି ନୁହେଁ ବିଭିନ୍ନ ବର୍ଗର ଦାବିକୁ ପୂରଣ କରିବାକୁ ପ୍ରତିଶ୍ରୁତି ବି ଦିଆଯାଉଛି । କିଛିଦିନ ତଳେ ମନ୍ତ୍ରିମଣ୍ଡଳରେ ମଧ୍ୟ ପରିବର୍ତ୍ତନ କରାଯାଇଛି ।
ତେବେ ବିଜେଡି କହୁଛି ଏଥର ୨୧ରୁ ୨୧ ସାଂସଦ ଆସନ ପୋଛିନେବୁ । ବିଜେପି ବି ଏଥିରେ ପଛରେ ପଡିନାହିଁ । ରାଜ୍ୟ ବିଜେପି ନେତାମାନେ କହୁଛନ୍ତି ଆମେ ଅବିଶ୍ୱସନୀୟ ଫଳାଫଳ ଦେଖାଇବୁ । ଓଡ଼ିଶାରୁ ଦିଲ୍ଲୀକୁ ବିଜେପିର ରେକର୍ଡ ସଂଖ୍ୟକ ସାଂସଦ ପଠାଇବୁ । ଓଡ଼ିଶା ରାନୈତିକ ଦୃଶ୍ୟପଟରୁ ଲିଭିଯାଉଥିବା କଂଗ୍ରେସ ବି ଏ ବୟାନବାଜିରେ ପଛରେ ପଡ଼ିନାହିଁ । ଓଡ଼ିଶାରୁ ଦଳର ୧୨ ସାଂସଦ ଜିତିବେ ବୋଲି ଦାବି କରିଛନ୍ତି କଂଗ୍ରେସ ନେତା। ତେବେ କିଏ କେତେ ଆସନରେ ଜିତୁଛି ତାହା ସଠିକ ସମୟରେ ଜଣାପଡିବ।