ନ୍ୟୁଜ 365 (ବ୍ୟୁରୋ): ଲିକ୍ ପରେ ଲିକ୍ ହୋଇଚାଲିଛି ପ୍ରଶ୍ନପତ୍ର, ହେଲେ ଲାଗିପାରୁନି ରୋକ୍ । ଗୋଟିଏ ସ୍ଥାନରେ ଜଗିବା ବେଳକୁ ଅନ୍ୟସ୍ଥାନରେ ପଡୁଛି ଘଳିଆ। ବାଲେଶ୍ୱରରେ ଓଏସଏସସି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ମାତ୍ର ଗୋଟିଏ ସପ୍ତାହ ନବିତୁଣୁ ଭଦ୍ରକରେ ହୋଇଛି ପ୍ରଶ୍ନପତ୍ର ଲିକ୍ । ଓଏସଏସସି ସୁରକ୍ଷା କବଚରେ ରହିଛି ଗଳାବାଟ । ଲଗାତାର ପ୍ରଶ୍ନପତ୍ର ଲିକ୍ ହେଉଥିବା ବେଳେ ବିଭାଗର ପାରିବାପଣିଆ କେତେ ତାହା ସହଜରେ ଅନୁମେୟ ହେଉଛି। ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ଉଠୁଛି । ତେବେ ଢୋଲ ଭିତରେ ମୂଷା ଅଛି ବୋଲି କିଛି ଶିକ୍ଷାବିତ କହୁଛନ୍ତି । ଏପରିକି ଢୋଲ ଭିତରର ମୂଷା ଯନ୍ତାରେ ନପଡ଼ିବା ଯାଏ ଏ ଘଳିଆକୁ ରୋକିବା କଷ୍ଟକର ବୋଲି ଲୋକମାନେ ଆଲୋଚନା କରୁଛନ୍ତି । ଆଉ କିଛି ଲୋକ କହୁଛନ୍ତି ବାଡ଼ ଏଠି ଫସଲ ଖାଉଛି। କାରଣ ବାହାର ଲୋକ ପ୍ରଶ୍ନପତ୍ର ଲିକ୍ କରିବା ଏତେ ସହଜ ନୁହେଁ । ବିଭାଗୀୟ ଅଧିକାରୀଙ୍କ ବିନା ସହଯୋଗରେ ଏତେବଡ଼ ସ୍କାମ ହୋଇପାରିବ ନାହିଁ। ଏହାପଛରେ ରାକେଟ୍ କାମ କରୁଥିବା ବେଳେ ବିଭାଗର କେହିଜଣେ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରୁଥିବା ବାରିହୋଇ ପଡୁଛି ।
ରାଜ୍ୟର ପ୍ରାୟ ୭୦ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ କ୍ୟାରିଅର ସହ ଖେଳ ଖେଳୁଛି ବିଭାଗ । ସରକାରୀ ଚାକିରିଟିଏ ପାଇଁ କିଏ କେତେ କଷ୍ଟ କରି ପାଠ ପଢୁଛି, ତାହା କେବଳ ସେ ହିଁ ଜାଣିଛି । କିଏ ଋଣ କରି ପାଠ ପଢୁଥିବା ବେଳେ ଆଉ କିଏ ନିଜ ପାଠପଢ଼ା ପାଇଁ ଭିଟାମାଟି ମଧ୍ୟ ବିକିଛି । ଆଉ କିଏ ଜୀବନର ସବୁକିଛି ଭୁଲି ପରୀକ୍ଷା ପାଇଁ ଦିନରାତିକୁ ଏକ କରିଦେଇଛି । ହେଲେ ପ୍ରଶ୍ନପତ୍ର ଲିକ୍ ହେବା, ଟଙ୍କା ଦେଲେ ଚାକିରି ମିଳିବା ସେମାନଙ୍କୁ ଏବେ ବ୍ୟଥିତ କରିଛି ।
ପୂର୍ବରୁ ମାଟ୍ରିକ୍, ଯୁକ୍ତ ୨ ପ୍ରଶ୍ନପତ୍ର ଲିକ୍ ଘଟଣା ସାମ୍ନାକୁ ଆସୁଥିଲା । ମାତ୍ର ଏବେ ସରକାରୀ ନିଯୁକ୍ତି ପ୍ରବେଶିକା ପରୀକ୍ଷାରେ ଏଭଳି ଘୋଟାଲା ପରୀକ୍ଷାର୍ଥୀଙ୍କ ସମେତ ଅଭିଭାବକଙ୍କର ଚିନ୍ତା ବଢ଼ାଇଛି । ସରକାରୀ ନିଯୁକ୍ତି ପାଇଁ ଓପିଏସସି, ଓଏସଏସସି, ଏସଏସବି ବୋର୍ଡ ଭଳି ସରକାରୀ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି । ମାତ୍ର ପରୀକ୍ଷା ଦାୟିତ୍ୱ ମୁଣ୍ଡାଇଥିବା ସଂସ୍ଥାର ପରିଚାଳନା ବ୍ୟବସ୍ଥା ପୁରା ଢିଲା । ସେମାନଙ୍କ ସୁରକ୍ଷା ବ୍ୟବସ୍ଥାରେ ପଡ଼ିଛି ବିରାଟ ଘଳିଆ ।
ପ୍ରଶ୍ନପତ୍ର ଲିକ୍ ହେଉଛି ଅର୍ଥ ଏହା ପଛରେ କାହାର ନ କାହାର ହାତ ଅଛି । ମାତ୍ର ସଠିକ୍ ଭାବେ ଘଟଣାର ତଦନ୍ତ କରାଯାଉନାହିଁ । ପ୍ରଶ୍ନପତ୍ର ଲିକ୍, ପରୀକ୍ଷା ବାତିଲ, ଟଙ୍କା ବଦଳରେ ଚାକିରି ପରୀକ୍ଷାର୍ଥୀଙ୍କ ଉପରେ ବହୁମାତ୍ରାରେ ପ୍ରଭାବ ପକାଉଛି। ସାଧାରଣ ପରୀକ୍ଷାର୍ଥୀଟିଏ ମାନସିକସ୍ତରରେ ନିର୍ଯାତିତ ହେଉଛି । ଧୀରେ ଧୀରେ ସରକାରୀ ବ୍ୟବସ୍ଥା ଉପରୁ ସେମାନଙ୍କର ବିଶ୍ୱାସ ତୁଟିଯାଉଛି । ତେବେ ଏତେସବୁ ପରେ ବି ଓଏସଏସସି କର୍ତ୍ତୃପକ୍ଷ ମୁହଁ ନଖୋଲିବା ଚକିତ କରିଛି । ଘଟଣାକୁ ଚପାଇବା ବଦଳରେ ତଦନ୍ତ କରାଗଲେ ପ୍ରକୃତ ଦୋଷୀ ଧରାପଡ଼ନ୍ତା । କାରଣ ମାତ୍ର କେଇଜଣଙ୍କ ଲାଗି ବିଭାଗ ବଦନାମ ହେଉଥିବା ବେଳେ ମେଧାବୀ ଛାତ୍ରଛାତ୍ରୀଙ୍କ ଭାଗ୍ୟ ଅନ୍ଧକାରକୁ ଠେଲି ହୋଇଯାଉଛି ।