ନ୍ୟୁଜ 365 (ବ୍ୟୁରୋ): ପାକିସ୍ତାନରେ ଏକ ରାଜନୈତିକ ସଭାରେ ବୋମା ବିିସ୍ଫୋରଣ ଘଟି ୪୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଶହରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ବିିସ୍ଫୋରଣର ଶବ୍ଦ ଏତେ ତିବ୍ର ଓ ଭୟାନକ ଥିଲା ଯେ ସମଗ୍ର ଅଞ୍ଚଳ ଥରି ଉଠିଥିଲା ଏବଂ ଧୂଆଁମୟ ହୋଇଯାଇଥିଲା। ବିସ୍ଫୋରଣ ପରେ ସେଠାରେ ଦଳାଚକଟା ସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ଗୁରୁତରଙ୍କ ମଧ୍ୟରେ ଅଧିକାଂଶ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ଏହା ଏକ ଆତ୍ମଘାତୀ ବିସ୍ଫୋରଣ । କିନ୍ତୁ ବିସ୍ଫୋରଣ ପାଇଁ କୌଣସି ସଂଗଠନ ଏପର୍ଯ୍ୟନ୍ତ ଏହି ନିଜକୁ ଦାୟୀ କରି ନାହାନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଖୈବର ପଖ୍ତୁନଖ୍ବା ପ୍ରଦେଶର ବଜୌର ଜିଲ୍ଲା ଖାର୍ଠାରେ ରବିବାର ଅପରାହ୍ନରେ ଜମିୟତ ଉଲେମା ଇସ୍ଲାମ-ଫଜଲ (ଜେୟୁଆଇ-ଏଫ୍)ର ଏକ ସମାବେଶ ଚାଲିଥିବା ବେଳେ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା। ସଂଗଠନର ମୁଖ୍ୟ ମୌଲାନା ଫଜଲୁର ରହେମାନ ହେଉଛନ୍ତି ତାଲିବାନର ଦୃଢ଼ ସମର୍ଥକ। ସମାବେଶରେ ସେ ଉପସ୍ଥିତ ନଥିଲେ। ତେବେ ସଂଗଠନର ଆଞ୍ଚଳିକ ମୁଖ୍ୟ ଏହି ବିସ୍ଫୋରଣରେ ନିହତ ହୋଇଥିବା କୁହାଯାଉଛି । ଆହତଙ୍କମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସୁରକ୍ଷା ବାହିନୀ ଘଟଣାସ୍ଥଳ ସମେତ ଆଖପାଖ ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛନ୍ତି। ପାକିସ୍ତାନ ସେନା ପକ୍ଷରୁ ଆହତଙ୍କୁ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି। ଅତି ଗୁରୁତର ଆହତଙ୍କୁ ହେଲିକପ୍ଟର ଦ୍ବାରା ପେଶାୱର ସ୍ଥାନାନ୍ତର କରାଯାଇଛି। ବିସ୍ଫୋରଣରେ ଅନେକ ସ୍ଥାନୀୟ ସାମ୍ବାଦିକ ମଧ୍ୟ ଆହତ ହୋଇଛନ୍ତି। ଏହି ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ଗୋଷ୍ଠୀ ନିଜକୁ ଦାୟୀ କରିନାହାନ୍ତି।