ନ୍ୟୁଜ 365 (ବ୍ୟୁରୋ):ଭୁବନେଶ୍ୱରରେ ବେକାବୁ ଡେଙ୍ଗୁ ସ୍ଥିତି । ଦିନକୁ ଦିନ ବଢ଼ିବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । କେବଳ ରୋଗୀଙ୍କ ସଂଖ୍ୟା ଯେ ବଢ଼ୁଛି ତାହା ନୁହେଁ, ଡେଙ୍ଗୁରେ ଆକ୍ରାନ୍ତ ଲୋକଙ୍କ ଜୀବନ ବି ଯାଉଛି । ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସମସ୍ତ ପ୍ରକାର ଉଦ୍ୟମ କରୁଥିବା କହିଛି ବିଏମସି । ଏପରିକି କମିସନରଙ୍କ ମାନସପୁତ୍ର କୁହାଯାଉଥିବା ‘ଘର ଘର ଅଭିଯାନ’କୁ ଗୁରୁତ୍ବର ସହ ମନିଟର କରାଯାଉଥିବା ବି କୁହାଯାଉଛି।‘ଆଗ୍ରେସିଭ୍ ଆୱାରନେସ୍’ ଅର୍ଥାତ୍ ପ୍ରତ୍ୟେକ ଲୋକଙ୍କ ପାଖରେ ଯେଭଳି ସଚେତନତାର ବାର୍ତ୍ତା ପହଞ୍ଚିବ, ସେନେଇ ଏହି କାର୍ଯ୍ୟକ୍ରମକୁ ତୃଣମୂଳସ୍ତରରେ କରାଯାଉଛି। ମଶାଧୂଆଁ ଦେବା ପାଇଁ ପେଟ୍ରୋଲ ଏବଂ ଡିଜେଲ କିଣା ବାବଦ ଦିନକୁ ବିଏମସି ଖର୍ଚ୍ଚ କରୁଛି ୭୯ ହଜାର ଟଙ୍କା । ଏହି ହିସାବରେ ବିଏମସି ମାସକୁ ୨୩ ଲକ୍ଷ ୭୦ ହଜାର ଟଙ୍କା ଖର୍ଚ୍ଚ କରୁଛି । ମଶା ନିୟନ୍ତ୍ରଣ ପାଇଁ ଅନ୍ୟାନ୍ୟ ଖର୍ଚ୍ଚ ମିଶାଇଲେ ବିଏମସି ମାସକୁ ପ୍ରାୟ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛି । ହେଲେ ଏ ସବୁ ଧୂଆଁବାଣରେ ପରିଣତ ହୋଇଛି। ଯଦି ବାସ୍ତବରେ ଟଙ୍କା ଖର୍ଚ୍ଚ ହେଉଛି ତେବେ ଏଭଳି ସ୍ଥିତି କାହିଁକି । ବିଏମସିର ଏ ସମସ୍ତ କାର୍ଯ୍ୟକ୍ରମ କେଉଁଠାରେ କରାଯାଉଛି ଆଉ ଏହାର ପ୍ରଭାବ କେଉଁ ସ୍ଥାନରେ ପଡୁଛି ତାହା କେବଳ ସେମାନଙ୍କୁ ହିଁ ଜଣା । କାରଣ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା କମିବା ପରିବର୍ତ୍ତେ ଦିନକୁ ଦିନ ବଢ଼ିବାରେ ଲାଗିଛି ।
ଏବେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୬ଶହ ଛୁଇଁବାକୁ ବସିଥିବା ବେଳେ ରାଜଧାନୀରେ ଡେଙ୍ଗୁରେ ତିନି ଜଣଙ୍କର ମୃତ୍ୟୁ ହୋଇସାରିଲାଣି। କ୍ୟାପିଟାଲ୍ ହସ୍ପିଟାଲ୍ରେ ଡେଙ୍ଗୁରେ ଜଣେ ପ୍ରସୂତିଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଜଣଙ୍କ ହେଉଛନ୍ତି ଭିଏସ୍ଏସ୍ ନଗରରେ ରହୁଥିବା ଭଦ୍ରକର ଶର୍ମିଷ୍ଠା ସେନାପତି। ପୂର୍ବରୁ ଖଣ୍ଡଗିରିରେ ଜଣେ ୬ବର୍ଷୀୟ ଶିଶୁ ଓ କ୍ୟାପିଟାଲ ହସ୍ପିଟାଲରେ ଅନ୍ୟଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ତେବେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ଏହାକୁ ଡେଙ୍ଗୁ ଜନିତ ମୃତ୍ୟୁ ବୋଲି ସ୍ୱୀକାର କରିନାହାନ୍ତି। ବର୍ତ୍ତମାନ କ୍ୟାପିଟାଲ୍ ହସ୍ପିଟାଲ୍ରେ ୪୧ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।
ପୂର୍ବରୁ ବିଏମ୍ସି ନୂଆପଲ୍ଲୀ, ଜୟଦେବବିହାର, ପୁରୁଣା ଭୁବନେଶ୍ବର, ଜାଗମରା ପ୍ରଭୃତି ଅଞ୍ଚଳକୁ ହଟ୍ସ୍ପଟ୍ ଭାବରେ ଚିହ୍ନଟ କରି ଡେଙ୍ଗୁ ନିବାରଣ କାର୍ଯ୍ୟକ୍ରମ ଚଳାଇଥିଲା, କିନ୍ତୁ ଭିଏସ୍ଏସ୍ ନଗରର ବାସିନ୍ଦାଙ୍କ ଡେଙ୍ଗୁରେ ମୃତ୍ୟୁ ହେବା ପରେ ବିଏମ୍ସିର ନିଦ ହଜିଯାଇଛି। ଏହି ଅଞ୍ଚଳରେ ଏବେ ସଚେତନତା ସହ ମଶାଧୂଆଁ, ମଶା ଲାର୍ଭା ନଷ୍ଟ କରୁଥିବା ତେଲ ସିଞ୍ଚନ କରିବା ଆରମ୍ଭ କରିଛି। ‘ଘର ଘର ଅଭିଯାନ’ରେ ଡାକ୍ତରମାନେ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ତେବେ ବିଏମସି ପକ୍ଷରୁ ସଠିକ ଭାବରେ ସଚେତନତା କରାଯାଉନଥିବା ସ୍ପଷ୍ଟ ବାରି ହୋଇପଡୁଛି । କାରଣ ନୂଆପଲ୍ଲୀ, ଭିଏସଏସନଗର, ଆଚାର୍ଯ୍ୟବିହାର, ବରମୁଣ୍ଡାରେ ସ୍ଥିତି ସମ୍ପୂର୍ଣ୍ଣ ବେକାବୁ ରହିଛି । ଦୈନିକ ସଂକ୍ରମଣ ୫୦ ଛୁଇଁଲାଣି । ତୁରନ୍ତ ବିଏମସି ପକ୍ଷରୁ ପଦକ୍ଷେପ ନିଆନଗଲେ ମାତ୍ର କେଇଟା ଦିନରେ ରୋଗୀଙ୍କ ସଂଖ୍ୟା ଏକ ହଜାର ପାର୍ କରିଯିବ ।
ପ୍ରତିବର୍ଷ ବର୍ଷାର ଦୁଇମାସ ପୂର୍ବରୁ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରିବାର ପ୍ରୋଟୋକଲ ଅଛି । ମାତ୍ର ବିଏମସି ଏହି ପ୍ରୋଟୋକଲକୁ ପାଳନ କରୁନଥିବା ଅଭିଯୋଗ କରିଛି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି । ଏପରିକି ମେୟର ଓ କମିସନରଙ୍କ ପାଇଁ ରାଜଧାନୀବାସୀଙ୍କ ଜୀବନ ଯାଉଛି ବୋଲି ସେମାନେ କହିଛନ୍ତି । ତେବେ କେତେ ମୁଣ୍ଡ ଯିବା ପରେ ବିଏମସି ଅଧିକାରୀଙ୍କ ନିଦ ଭାଙ୍ଗୁଛି ତାହା ଦେଖିବାର ଅଛି ।