ନ୍ୟୁଜ୍ 365(ବ୍ୟୁରୋ): ବହୁ ଚର୍ଚ୍ଚିତ ନବଦାସ ହାତ୍ୟା ମାମଲାକୁ ପୁରିସାରିଲାଣି ଛଅ ମାସ। ହତ୍ୟା କାଣ୍ଡକୁ ନେଇ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ କଥା ସାମ୍ନାକୁ ଆସୁଛି। ଏହାରି ମଧ୍ୟରେ ସାମ୍ନା କୁ ଆସିଛି ଆଉ ଏକ ବଡ଼ ଖବର। ଝାରସୁଗୁଡା ମେଡିକାଲର ଓପିଡି ଟିକେଟ୍ ଖୋଲିଦେଲା ନବ ଦାସ ହତ୍ୟାରେ ସରକାରୀ ଉଦାସୀନତାର ଗୁମର। ଚିକିତ୍ସା ସମ୍ପର୍କିତ ଏହି ଓପିଡି ଟିକେଟ ଆସିବା ପରେ ନବଦାସଙ୍କୁ ଗୁଳିମାଡ ପରେ ଝାରସୁଗୁଡାରେ ଚିକିତ୍ସା କରାଯାଇଥିଲା ନା ନାହିଁ ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । କାରଣ କ୍ରାଇମବ୍ରାଞ୍ଚକୁ ଦିଆଯାଇଥିବା ଓପିଡି ଟିକେଟ ଭିନ୍ନ କଥା କହୁଛି । ଗତ ଜାନୁୟାରୀ ୨୯ରେ ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ପରେ ଝାରସୁଗୁଡା ଡାକ୍ତରଖାନରେ ଘଣ୍ଟାଏ ଚିକିତ୍ସା କରାଯାଇ ଏୟାର ଲିଫ୍ଟ କରି ଭୁବନେଶ୍ୱର ଅଣାଯାଇଥିବା କୁହାଯାଇଥିଲା । କିନ୍ତୁ ଓପିଡି ଟିକେଟରେ ନବ ଦାସ ଗୁଳି ମାଡରେ ଆହତ, କେବଳ ଉଚ୍ଚତର ଚିକିତ୍ସାଳୟକୁ ସ୍ଥାନାନ୍ତର ପରାମର୍ଶ ଉଲ୍ଲେଖ ରହିଛି । ଏହା ତଳକୁ ରହିଛି ଡାକ୍ତରଙ୍କ ଦସ୍ତଖତ । ଘଟଣା ସମୟରେ ନବ ଦାସଙ୍କ ରକ୍ତଚାପ କେତେ ରହିଥିଲା, ହୃଦସ୍ପନ୍ଦନ କେତେ ରହିଥିଲା । ଡାକ୍ତର ଆଉ କ’ଣ ଦେଖିଲେ, କ’ଣ ଚିକିତ୍ସା କଲେ ସେ ବାବଦରେ କିଛି ଉଲ୍ଲେଖ ନାହିଁ । ମେଡିକାଲ ଏଥିକ୍ସ ଅନୁସାରେ ରୋଗୀଙ୍କୁ ଦେଖୁଥିବା ଡାକ୍ତର ଟିକେଟରେ ସମସ୍ତ ନୀରିକ୍ଷଣ, ଚିକିତ୍ସା ଓ ପରାମର୍ଶ ଲେଖିଥାନ୍ତି । ଫଳରେ ରୋଗୀଙ୍କ ଅନ୍ୟ ମେଡିକାଲକୁ ସ୍ଥାନାନ୍ତର କରାଗଲେ ସେହି ଟିକେଟ ଆଧାରରେ ଚିକିତ୍ସା କରାଯାଇଥାଏ । ହେଲେ ନବଦାସଙ୍କ ଓପିଡି ଟିକେଟରେ କେବଳ ସ୍ଥାନାନ୍ତର ପରାମର୍ଶ ଛଡା କିଛି ନାହିଁ ।
ସବୁଠୁ ବଡ଼ କଥା ହେଉଛି ମନ୍ତ୍ରୀଙ୍କୁ ଗୁଳିମାଡର ୧୮ ଦିନ ପରେ କ୍ରାଇମବ୍ରାଞ୍ଚ ଚିଠି ଲେଖି ସିଡିଏମଓଙ୍କୁ ରିପୋର୍ଟ ମାଗିଥିଲେ । ଆଉ ସିଡିଏମଓ ଦେଇଥିବା ରିପୋର୍ଟରେ ଥିବା ଓପିଡି ଟିକେଟ ପ୍ରଶ୍ନ ସୃଷ୍ଟି କରିଛି । ପ୍ରକୃତରେ ଜାନୁୟାରୀ ୨୯ରେ ନବ ଦାସଙ୍କୁ ଝାରସୁଗୁଡାରେ ଚିକିତ୍ସା କରାଯାଇଥିଲା ନା ନାହିଁ ତାହାକୁ ନେଇ ଚର୍ଚ୍ଚା ବଢିଛି । ତେବେ ନବଦାସଙ୍କ ହତ୍ୟାର ବିଚାର କୋର୍ଟରେ ଚାଲିଥିବା ବେଳେ ଏ ମାମଲାରେ କୋର୍ଟ କଣ ରାୟ ଶୁଣାଉଛନ୍ତି ତାକୁ ହିଁ ଅପେକ୍ଷା।