ନ୍ୟୁଜ 365 (ବ୍ୟୁରୋ): ରାଜ୍ୟର ବିଭିନ୍ନ ସ୍ଥାନରେ ରହିଛି ଅନେକ ଶକ୍ତି ପୀଠ। କେଉଁଠି ଶାରଳା ତ କେଉଁଠି ମଙ୍ଗଳା ନାମରେ ଶକ୍ତିପୀଠରେ ପୂଜା ପାଇଥାନ୍ତି ଦେବୀ। ଏହିସବୁ ପୀଠ ଗୁଡ଼ିକର ରହିଛି ଅନେକ ମାହାତ୍ମ୍ୟ । ସେଥିମଧ୍ୟରୁ ଅନ୍ୟତମ ହେଉଛି ବୌଦ୍ଧ ଜିଲ୍ଲା ପୁରୁଣାକଟକରେ ବାଉଁଶ ବଣରେ ବିରାଜିତ ମା’ ଭୈରବୀଙ୍କ ଶକ୍ତି ପୀଠ। ମା’ ଭୈରବୀ ହେଉଛନ୍ତି ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ। ଏହି ପୀଠରେ ଭୈରବ ଓ ଭୈରବୀ ଗୋଟିଏ ସ୍ଥାନରେ ପୂଜା ପାଇଥାନ୍ତି ।ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ବେଶରେ ପୂଜା ପାଇଥାନ୍ତି ମା’। ସେଥିମଧ୍ୟରୁ ମା’ଙ୍କ ଗୁପ୍ତ ପୂଜା ନିଆରା। ଅଶ୍ବିନ ମାସ ମୂଳାଷ୍ଟମୀ ଠାରୁ ନବମୀ ପର୍ଯ୍ୟନ୍ତ ପ୍ରତିବର୍ଷ ହୋଇଥାଏ ମା’ଙ୍କ ଗୁପ୍ତ ପୂଜା ।
ଏହି ସମୟରେ ଦେହୁରୀ ଘରୁ ମା’ଙ୍କ ପାଟଖଣ୍ଡାକୁ ସହର ପରିକ୍ରମା କରି ମନ୍ଦିରକୁ ଅଣାଯାଇଥାଏ। ସେହିଦିନଠାରୁ ୧୬ଦିନ ଧରି ମା’ଙ୍କ ଗୁପ୍ତ ପୂଜା ଚାଲିଥାଏ। ଏହି ସମୟରେ ସେବାୟତଙ୍କୁ ଛାଡ଼ିଦେଲେ ଭକ୍ତଙ୍କ ଦର୍ଶନ ମନା ହୋଇଥାଏ। ୧୬ଦିନ ଧରି ମା’ଙ୍କ ଗୁପ୍ତ ପୂଜା ହେଉଥିବାରୁ ଏହାକୁ ଷୋଳପୂଜା ବୋଲି ମଧ୍ୟ କୁହାଯାଏ । ଗୁପ୍ତ ପୂଜା ସମୟରେ ମନ୍ଦିର ସମ୍ମୁଖରେ ଥିବା ଶାହାଡ଼ା ଗଛକୁ ଦର୍ଶନ କଲେ ସମାନ ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।ମା’ ଭୈରବୀ ପ୍ରତ୍ୟକ୍ଷ, ସେଥିପାଇଁ ବହୁ ଦୂରଦୁରାନ୍ତରୁ ଛୁଟି ଆସନ୍ତି ଭକ୍ତ । ଭକ୍ତିର ସହିତ ଗୁହାରି କଲେ ଭକ୍ତର ମନବାଞ୍ଛା ପୂରଣ କରିଥାନ୍ତି ମା’ ଭୈରବୀ। ଅଶ୍ବିନୀ ମାସ ବ୍ୟତୀତ ମା’ଙ୍କ ପୀଠରେ ଚୈତ୍ର ଏବଂ ବୈଶାଖ ମାସରେ ମଧ୍ୟ ସ୍ୱତନ୍ତ୍ର ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହୋଇଥାଏ । ଭାଦ୍ରବ ମାସର ପଞ୍ଚମୀ ତିଥିରେ ମା’ ସମଲେଇଙ୍କ ନିକଟରେ ନବାନ୍ନ ଲାଗି ହେଉଥିବା ବେଳେ ମା’ ଭୈରବୀଙ୍କ ନିକଟରେ ଅଶ୍ବିନ ମାସରେ ନବାନ୍ନ ଲାଗି ହୋଇଥାଏ । ମାଆଙ୍କ ନିକଟରେ ନବାନ୍ନ ଲାଗି ହେବାପରେ ୧୬ ଖଣ୍ଡ ମୌଜାର ଲୋକେ ନୂଆ ଖାଇଥାନ୍ତି ।
କାହିଁ କେଉଁ କାଳରୁ ମା’ ଭୈରବୀ ପୁରୁଣାକଟକ ଜାତୀୟ ରାଜପଥ କଡ଼ ବାଉଁଶ ବଣରେ ପୂଜା ପାଇ ଆସୁଥିଲେ ମଧ୍ୟ ଏହି ଶକ୍ତିପୀଠର ବିକାଶ କରିବା ଦିଗରେ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଇନାହାନ୍ତି । ଏପରିକି ସରକାର ମଧ୍ୟ ଏହି ପୀଠର ବିକାଶ ପାଇଁ ଆନ୍ତରିକତା ଦେଖାଇନାହାନ୍ତି । ସରକାର ପାଣ୍ଠି ଯୋଗାଇଦେଲେ ମନ୍ଦିରର ବିକାଶ ହୋଇପାରନ୍ତା ଏବଂ ଆଗାମୀଦିନରେ ଅଧିକ ମାତ୍ରାରେ ଲୋକମାନେ ଏଠାକୁ ଆସନ୍ତେ ବୋଲି କହିଛି ମନ୍ଦିର ପରିଚାଳନା କମିଟି ।