ନ୍ୟୁଜ୍ 365(ବ୍ୟୁରୋ): ରାଜ୍ୟରେ ବିପଦରେ ବାଘ ବଂଶ । ୨୦୦୪ରେ ଥିଲେ ୧୯୨, ଏବେ ଅଛନ୍ତି ମାତ୍ର ୨୦ । ଫେଲ ମାରିଲା ଅନ୍ତଃରାଜ୍ୟ ବ୍ୟାଘ୍ର ସମ୍ପ୍ରସାରଣ ପ୍ରକଳ୍ପ । ବନବିଭାଗର ଅବହେଳାରୁ ପ୍ରତ୍ୟେକ ବର୍ଷ ଜବତ ହେଉଛି ବାଘ ଛାଲ, ନଖ ଓ ଦାନ୍ତ । ଏବେ ଶିମିଳିପାଳରେ ୧୬ବାଘ । ଆଜି କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ ଶିମିଳିପାଳରେ ବାଘ ସଂଖ୍ୟା ୮ରୁ ୧୬କୁ ବୃଦ୍ଧି ପାଇଛି। ୨୦୧୮ରେ ଶିମିଳିପାଳରେ ୮ଟି ବାଘ ଥିବା ବେଳେ ବର୍ତ୍ତମାନ ତାହା ୧୬କୁ ବୃଦ୍ଧି ପାଇଛି। କିନ୍ତୁ ମୋଟ ଉପରେ ଦେଖିବାକୁ ଗଲେ ଓଡ଼ିଶା ସୀମା ଭିତରେ ଆସୁଥିବା ଜଙ୍ଗଲରେ କମିଛି ବାଘ ସଂଖ୍ୟା। ୨୦୧୮ରେ ରାଜ୍ୟରେ ୨୮ଟି ବାଘ ଥିବା ବେଳେ ଏ ବର୍ଷ ତାହା ୨୦କୁ ଖସି ଆସିଛି। ଏହି ବାଘ ଗଣନା ୨୦୨୧-୨୨ରେ କରାଯାଇଥିଲା। ପ୍ରତି ୪ ବର୍ଷରେ ଥରେ ଦେଶରେ ବାଘ ଗଣନା କରାଯାଇଥାଏ। ଆଜି ବିଶ୍ୱ ବ୍ୟାଘ୍ର ଦିବସରେ ଏସଂପର୍କିତ ରିପୋର୍ଟ ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର।
ପୂର୍ବ ସଂଖ୍ୟା ହ୍ରାସକୁ ଦେଖିଲେ ବାଘଙ୍କ ଲାଗି ସୁରକ୍ଷିତ ନୁହେଁ କି ଓଡ଼ିଶା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ରାଜ୍ୟରେ କମି କମି ଚାଲିଛି ବାଘ ସଂଖ୍ୟା । ରାଷ୍ଟ୍ରୀୟ ବ୍ୟାଘ୍ର ସରକ୍ଷଣ ପ୍ରାଧିକରଣ(NTCA) ରିପୋର୍ଟରୁ ମିଳିଛି ଏଭଳି ଚିନ୍ତାଜନକ ତଥ୍ୟ । NTCA ରିପୋର୍ଟ ଅନୁସାରେ, ୨୦୦୬ରେ ରାଜ୍ୟରେ ୪୫ଟି ବାଘ ଥିଲା ବେଳେ ୨୦୧୦ରେ ଏହି ସଂଖ୍ୟା ୩୨କୁ ଖସିଥିଲା। ୨୦୧୪ ଓ ୨୦୧୮ରେ ବାଘ ସଂଖ୍ୟା ୨୮କୁ ହ୍ରାସ ପାଇଥିଲା। ସେହିପରି ରାଜ୍ୟ ସରକାରଙ୍କ ନିଜସ୍ଵ ବାଘ ଗଣନା ଅନୁଯାୟୀ, ୨୦୦୪ରେ ରାଜ୍ୟରେ ୧୯୨ଟି ବାଘ ଥିଲା ବେଳେ ୨୦୧୬ରେ ଏହି ସଂଖ୍ୟା ୪୦କୁ ଖସି ଅସିଥିଲା। ମୟୂରଭଞ୍ଜ ଜିଲ୍ଲାରେ ଥିବା ଶିମିଳିପାଳ ହେଉଛି ମହାବଳ ବାଘଙ୍କ ଉତ୍ତମ ପ୍ରଜୋଜନ ସ୍ଥାନ। ହେଲେ ଶିମିଳିପାଳ ଅଭୟାରଣ୍ୟରେ କମୁଛି ବାଘଙ୍କ ସଂଖ୍ୟା। ଗତ ୧୨ ବର୍ଷ ଭିତରେ ପୂର୍ବ ସଂଖ୍ୟା ତୁଳନାରେ ୭୫ଟି ବାଘ କମିଥିବା ଜଣାପଡ଼ିଛି। ରାଜ୍ୟ ବନ ବିଭାଗ ରିପୋର୍ଟ ମୁତାବକ, ୨୦୦୬ ମସିହାରେ କରାଯାଇଥିବା ବାଘ ଗଣନାରେ ଶିମିଳିପାଳରେ ବାଘ ସଂଖ୍ୟା ୧୦୧ ଥିବା ବେଳେ ୨୦୧୯ ମସିହା ଗଣନାରେ ବାଘଙ୍କ ସଂଖ୍ୟା ୨୮କୁ ଖସି ଆସିଥିଲା। ଶିମିଳିପାଳ ଅଭୟାରଣ୍ୟରେ ପ୍ରତି ବର୍ଷ ବାଘ ସଂଖ୍ୟା ବଢ଼ାଇବା ଓ ସଂରକ୍ଷଣ ପାଇଁ ଏନଟିସିଏ ୧୨ ରୁ ୧୩ କୋଟି ଟଙ୍କା କେବଳ ବାଘଙ୍କ ସଂରକ୍ଷଣ ପାଇଁ ଖର୍ଚ୍ଚ କରୁଥିବା ବେଳେ ଗତ ୧୨ ବର୍ଷ ଭିତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏ ବାବଦରେ ୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରି ସାରିଲେଣି। ଅଭୟାରଣ୍ୟରେ ବେଆଇନ ବାଘ ଶିକାର ବାଘ ସଂଖ୍ୟା ହ୍ରାସର କାରଣ ହୋଇଛି। କିଛିଦିନ ତଳେ ପାଟ୍ରୋଲିଂ ବେଳେ ଶିକାରୀ ଗୁଳିରେ ଦୁଇ ବନପାଳଙ୍କ ମୃତ୍ୟୁ ହେବା ପରେ ଏହି ଅଭୟାରଣ୍ୟ ସୁରକ୍ଷା ନେଇ ଚିନ୍ତା ପ୍ରକାଶ ପାଇଛି।