ନ୍ୟୁଜ 365 (ବ୍ୟୁରୋ): ଭିନ୍ନ ଏକ ମନ୍ଦିର ଗନ୍ଧରାଡ଼ି, ଯେଉଁଠି ଗୋଟିଏ ପିଣ୍ଡିରେ ପୁଜା ପାଉଛନ୍ତି ହରି ଏବଂ ହର । ହରିହରଙ୍କ ଯୁଗ୍ମ ମନ୍ଦିରର କାରୁକାର୍ଯ୍ୟ ଅତ୍ୟନ୍ତ ଆକର୍ଷଣୀୟ । ଶିବଙ୍କ ମନ୍ଦିର ଚୂଳରେ ରହିଛି ଶିବଲିଙ୍ଗ ଏବଂ ବିଷ୍ଣୁଙ୍କ ମନ୍ଦିର ଚୂଳରେ ବିରାଜମାନ ସ୍ୱୟଂ ନାରାୟଣ, ଯାହାକି ବିରଳ। ଏହି ମନ୍ଦିରରେ ବହୁ ମାନସିକଧାରୀଙ୍କ ମନୋସ୍କାମନା ପୂରଣ ହୋଇଥିବାର ନଜିର ରହିଛି। ଅଷ୍ଟମ ଶତାଦ୍ଦୀରେ ଏହି ବିରଳ ମନ୍ଦିର ନିର୍ମାଣ ହୋଇଥିବା ଜଣାପଡ଼େ। ଅଷ୍ଟମ ଶତାଦ୍ଦୀରେ ବୌଦ୍ଧ ରାଜା ଗନ୍ଧମାର୍ଦ୍ଦନ ଦେବଙ୍କ ଦ୍ୱାରା ନିର୍ମାଣ ହୋଇଥିବା ଏହି ମନ୍ଦିରର କାରୁକାର୍ୟ୍ୟ ତଥା ନିର୍ମାଣଶୈଳୀ ସଂପର୍ଣ୍ଣ ସ୍ୱତନ୍ତ୍ର ।
ଗୋଟିଏ ପୀଠରେ ପୂଜାପାଉଛନ୍ତି ବାବା ସିଦ୍ଧେଶ୍ୱର ଏବଂ ପ୍ରଭୁ ନୀଳମାଧବ । ସିଦ୍ଧେଶ୍ୱର ମନ୍ଦିରର ଚୂଳରେ ଶିବଲିଙ୍ଗ ପ୍ରତିଷ୍ଠିତ ହୋଇଥିବା ବେଳେ ନୀଳମାଧବ ଙ୍କ ମନ୍ଦିର ଚୂଳରେ ଥିବା ସୁଦର୍ଶନ ଚକ୍ରରେ ବିରାଜମାନ ସ୍ୱୟଂ ନାରାୟଣ, ଯାହାକି ପୃଥିବୀରେ ବିରଳ । ଅଷ୍ଟମ ଶତାବ୍ଦୀରେ ଭଞ୍ଜବଂଶ ଓ ଭୋମକର ରାଜବଂଶ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା । ଫଳରେ ଦୁଇ ରାଜବଂଶର ଇଷ୍ଟଙ୍କୁ ଗୋଟିଏ ମଣ୍ଡପରେ ପୂଜା କରାଯାଇ ଆସୁଥିବା ନେଇ ମଧ୍ୟ ଗବେଷକମାନେ କହିଛନ୍ତି ।
ରାଜା ଗନ୍ଧମାର୍ଦ୍ଦନ ବିଷ୍ଣୁ ଭକ୍ତ ଥିବାବେଳେ ରାଣୀ ଥିଲେ ଶିବ ଭକ୍ତ ତେଣୂ ରାଜା ଗୋଟିଏ ପୀଠରେ ହରି ଏବଂ ହରଙ୍କ ଯୁଗ୍ମ ମନ୍ଦିର ନିର୍ମାଣ କରିଥିବା ମତ ଦିଅନ୍ତି ଲୋକେ । କିମ୍ବଦନ୍ତୀ କୁହେ ମହାଭାରତ ଯୁଦ୍ଧ ପୂର୍ବରୁ ଅଜ୍ଞାତ ବନବାସ ସମୟରେ ପଞ୍ଚୁପାଣ୍ଡବ ଏହି ଅଞ୍ଚଳରେ ଅବସ୍ଥାନ କରିବା ସହିତ ବାବା ସିଦ୍ଧେଶ୍ୱରଙ୍କ କୃପା ଲାଭ କରିଥିଲେ । ଏହି ମାଟିରେ ରାଜୁତି କରୁଥିବା ଗୋସିଙ୍ଗା ଦତ୍ତ୍ୟ ଅସୁରକୁ ବାବା ସିଦ୍ଧେଶ୍ୱରଙ୍କ ଆଶୀର୍ବାଦ ଲାଭ କରି ଅର୍ଜୁନ ଏହି ଅସୁରକୁ ବଦ୍ଧ ମଧ୍ୟ କରିଥିଲେ । ଏଠାରେ ଚାରୋଟି ଶିବଲିଙ୍ଗ ପୂଜା ପାଉଥିବାରୁ ଏହାକୁ ଚାରିଶମ୍ଭୁ ବୋଲି ମଧ୍ୟ କୁହାଯାଏ ।
ଅନ୍ୟପଟେ ଏଠାରେ ବିଷ୍ଣୁ ମନ୍ଦିରରେ ବ୍ରାହ୍ମଣ ସେବାୟତମାନେ ପୂଜା କରୁଥିବା ବେଳେ ସିଦ୍ଧେଶ୍ୱର ବାବାଙ୍କୁ ମାଳି ସେବାୟତମାନେ ପୂଜା କରୁଛନ୍ତି । ଏଠାରେ ବର୍ଷକରେ ବିଭିନ୍ନ ସମୟରେ ଭକ୍ତଙ୍କ ସମାଗମ ହେଉଥିବାବେଳେ ବିଷେଶ କରି କାର୍ତ୍ତିକ ଓ ଚୈତ୍ର ମାସରେ ଭକ୍ତ ଅଧିକ ସମାଗମ ହୋଇଥାଏ । ମନ୍ଦିରଟିକୁ ଏସଆଇ ହାତକୁ ନେଇଥିବା ବେଳେ ମନ୍ଦିରର ସେଭଳି ଆଖିଦୃଷିଆ ଉନ୍ନତି ହୋଇପାରିନାହିଁ । ତେବେ ଏହି ବିରଳ ମନ୍ଦିର ପ୍ରତି ସରକାର ଦୃଷ୍ଟି ଦେଇ ଏହାର ଅଧିକରୁ ଅଧିକ ଉନ୍ନତି କଲେ ଦେଶ ବିଦେଶରୁ ଆହୁରି ଅଧିକ ଲୋକ ଆସନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।