ନ୍ୟୁଜ ୩୬୫ (ବ୍ୟୁରୋ): ଉତ୍ତର ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳ ଉପରେ ଥିବା ଲଘୁଚାପ କ୍ଷେତ୍ର ଏବେ ଦୁର୍ବଳ ହୋଇଛି, ମାତ୍ର ଏହାସହ ଜଡ଼ିତ ଘୂର୍ଣ୍ଣିବଳୟ ଉତ୍ତର ଓଡ଼ିଶା ଓ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଅଞ୍ଚଳରେ ରହିଛି। ଅନ୍ୟପଟେ ମୌସୁମୀଜନିତ ନିମ୍ନ ଚାପରେଖା ଗଙ୍ଗାନଗର, ଗ୍ବାଲିଅର୍, ସିଧି, ଅମ୍ବିକାପୁର, ଝାରସୁଗୁଡ଼ା, ଚାନ୍ଦବାଲି ଓ ଦକ୍ଷିଣ-ପୂର୍ବ ଦିଗରୁ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତି କରୁଛି। ବିଶେଷ କରି ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ବର ଜିଲ୍ଲା ସହ ଉପକୂଳ ଓଡ଼ିଶାରେ ବର୍ଷା ଚାଲିଛି। ଆସନ୍ତା ୨ ଦିନ ମଧ୍ୟ ରାଜ୍ୟରେ ବର୍ଷା ଜାରି ରହିବ। ୩୧ରୁ ୨ ତାରିଖ ଯାଏ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
୨୯ ତାରିଖ ଆଡ଼କୁ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଫଳରେ ରାଜ୍ୟରେ ଆସନ୍ତା ୨ତାରିଖ ଯାଏ ଅଧିକ ମାତ୍ରାରେ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି। ଆସନ୍ତା ୩୧ ତାରିଖରେ ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗୀର ଓ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏଣୁ ଏହିସବୁ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।
ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଖୋର୍ଧା, ପୁରୀ, ଗଞ୍ଜାମ, ନୟାଗଡ଼ ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏହିସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୧ ତାରିଖରେ ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ଦେବଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷିବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।