ନ୍ୟୁଜ ୩୬୫ (ବ୍ୟୁରୋ): ସାରା ବିଶ୍ୱରେ ବାଘଙ୍କ ସଂଖ୍ୟା କମୁଥିବା ବେଳେ ଭାରତରେ ଏହା ବଢ଼ିବାରେ ଲାଗିଛି । ବିଶ୍ୱର ସମୁଦାୟ ବାଘ ସଂଖ୍ୟା ମଧ୍ୟରୁ ଭାରତରେ ରହିଛନ୍ତି ୭୦ ପ୍ରତିଶତ ବାଘ । ବର୍ତ୍ତମାନ ସାରା ବିଶ୍ୱରେ ୪ହଜାର ସଂଖ୍ୟକ ବାଘ ଥିବାବେଳେ ସେଥିରୁ ଭାରତରେ ରହିଛନ୍ତି ୩ହଜାରରୁ ଅଧିକ ବାଘ । ଯାହା କେବଳ ସଫଳ ହୋଇଛି ମୋଦୀ ସରକାରଙ୍କ ନେତୃତ୍ୱରେ । ଏହି ହିଂସ୍ର ବନ୍ୟଜନ୍ତୁଟିର ସଂରକ୍ଷଣ ଦିଗରେ ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପାଳନ ହେଉଛି ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ । ଯାହା ପ୍ରତିବର୍ଷ ଜୁଲାଇ ୨୯ ତାରିଖରେ ପାଳନ କରାଯାଏ । ୨୦୧୦ ମସିହା ଜୁଲାଇ ୨୯ ତାରିଖରେ ରୁଷିଆର ସେଣ୍ଟପିଟର୍ସବର୍ଗ ଶିଖର ସମ୍ମିଳନୀରେ ପ୍ରସ୍ତାବ ଗୃହୀତ ହେବା ପରେ ବିଶ୍ୱବାସୀ ‘ବାଘ ଦିବସ’ ପାଳନ କରିଆସୁଛନ୍ତି । ଭାରତର ଜାତୀୟ ପ୍ରାଣୀ ବାଘର ରାଜକୀୟ ଠାଣି ସବୁବେଳେ ସମସ୍ତଙ୍କୁ ଆକର୍ଷିତ କରିଛି। ଶକ୍ତିମାନର ପ୍ରତୀକ ହେଉଛି ବାଘ। ଭାରତୀୟ ପୁରାଣ, କିମ୍ବଦନ୍ତୀ, ଲୋକକଥାରେ ବାଘକୁ ନେଇ ଅନେକ କାହାଣୀ ରହିଛି। ପୌରାଣିକ ମାନ୍ୟତା ଅନୁସାରେ ବାଘ ଦେବୀ ଦୁର୍ଗାଙ୍କ ବାହନ । ଆମ ଓଡ଼ିଆ ଲୋକକଥାରେ ‘ବାଘ’କୁ ମାମୁଁ ଭାବେ ସମ୍ବୋଧନ କରାଯାଏ। ତେବେ ସାରା ବିଶ୍ୱରେ ଧୀରେ ଧୀରେ ବାଘଙ୍କ ସଂଖ୍ୟା କମୁଥିବା ବେଳେ ଆଶ୍ୱସ୍ତିକର ଖବର ହେଉଛି, ଭାରତରେ ବାଘଙ୍କ ସଂଖ୍ୟା ବଢିବାରେ ଲାଗିଛି ।
ସାରା ବିଶ୍ୱ ଯେତେବେଳେ ୨୦୨୨ରେ ବାଘ ସଂଖ୍ୟା ଦ୍ୱିଗୁଣିତ କରିବା ପାଇଁ ଯୋଜନା କରୁଥିଲା, ତାର ୪ ବର୍ଷ ପୂର୍ବରୁ ଭାରତ ସେହି ଲକ୍ଷ୍ୟ ହାସଲ କରିସାରିଥିଲା । ଆଉ ଏହା କେବଳ ସମ୍ଭବ ହୋଇଥିଲା ମୋଦୀ ସରକାରଙ୍କ ପାଇଁ । ବାଘକୁ ନେଇ ରାଜନୀତି ମଧ୍ୟ କମ୍ ନାହିଁ । ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ଚିତାବାଘଙ୍କ ମୃତ୍ୟୁକୁ ନେଇ ବିରୋଧୀ ସରକାରଙ୍କୁ ଲଗାତର ଟାର୍ଗେଟ କରୁଥିବା ବେଳେ ଏବେ ଭାରତରେ ବାଘ ସଂଖ୍ୟା ବୃଦ୍ଧି ବିରୋଧୀଙ୍କୁ ବଡ଼ ଝଟକା ଦେଇଛି ।
ଭାରତରେ ବାଘଙ୍କ ବଂଶବୃଦ୍ଧିର ଗ୍ରାଫକୁ ଯଦି ଦେଖିବା, ତେବେ ୨୦୦୬ରେ ବାଘଙ୍କ ସଂଖ୍ୟା ୧୪୦୦ରେ ଥିବା ବେଳେ ୨୦୨୨ରେ ବୃଦ୍ଧି ପାଇ ୩୦୦୦ରେ ପହଞ୍ଚିଥିଲା । ଆଉ ବର୍ତ୍ତମାନ ଭାରତରେ ବାଘ ସଂଖ୍ୟା ରହିଛି ୩୧୬୭ । ସେପଟେ ମଧ୍ୟପ୍ରଦେଶରେ ବାଘ ସଂଖ୍ୟା ସର୍ବାଧିକ ୫୨୬ ରହିଛି । ସେହିପରି ଓଡ଼ିଶାରେ ୨୮ଟି ବାଘ ରହିଛନ୍ତି । ରାଜ୍ୟରେ ବାଘ ଛାଲ ଶିକାରୀ ସକ୍ରିୟ ହେଉଥିବା ବେଳେ ଏହା ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି । ଅନ୍ୟପଟେ ଆଶ୍ୱସ୍ତିକର ଖବର ହେଉଛି ଗତ ୪ ବର୍ଷରେ ଭାରତରେ ବାଘ ସଂଖ୍ୟା ବୃଦ୍ଧି ପାଇଛି । ଯାହା ଭାରତ ପାଇଁ ଏକ ବଡ଼ ସଫଳତା ।