ନ୍ୟୁଜ 365 (ବ୍ୟୁରୋ):ଶ୍ରୀମନ୍ଦିର ଗୁମୁଟ ଦାନବାକ୍ସରୁ ଚୋରି । ଦାନବାକ୍ସକୁ ନୃସିଂହ ମନ୍ଦିର ପଛପଟୁ ଉଦ୍ଧାର କରି ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିଛି ଜେଟିପି। ତେବେ ଦୁର୍ବୃତ୍ତ ଦାନବାକ୍ସରୁ ଚୋରି କରିବା ପରେ ଏହାକୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଶ୍ରୀମନ୍ଦିରର ଚାରି ଦ୍ବାରରେ ପୁଲିସ ପ୍ରହରା ମାରୁଥିବା ବେଳେ କେଉଁଭଳି ଭାବରେ ଚୋରି ହେଲା ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ପୂର୍ବରୁ ଶ୍ରୀମନ୍ଦିର ଭିତର ରୋଷଘରେ ଜଣେ ବ୍ୟକ୍ତି ଦୁଇ ଦୁଇ ଥର ଚୁଲି ଭାଙ୍ଗିବା ଘଟଣା ସାମ୍ନାକୁ ଆସିଥିଲା । ଯାହାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ଉପରେ ଉଠିଥିଲା ପ୍ରଶ୍ନ। ତେବେ ଏଭଳି ଭୁଲ୍ ଆଗକୁ ନହେବ ବୋଲି ପ୍ରଶାସନ କହିଥିବା ବେଳେ ଶ୍ରୀମନ୍ଦିର ଭିତରୁ ଚୋରି ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ବାରମ୍ବାର ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।
ତେବେ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ପହୁଡ଼ ନୀତି ପରେ ସମସ୍ତ ଦ୍ୱାର ବନ୍ଦ କରାଯାଇଥାଏ । ଉଭୟ ଜେଟିପି ଓ ଓଡ଼ିଶା ପୋଲିସ ସୁରକ୍ଷା ଦାୟିତ୍ଵରେ ରହିଥାନ୍ତି । ଏତେ ସୁରକ୍ଷା ଭିତରେ କିଭଳି ଲୁଟ୍ ହେଲା ଦାନବାକ୍ସ, କେମିତି ପୁଲିସ୍ ଜାଣିପାରିଲା ନାହିଁ ସେ ନେଇ ଏବେ ଉଠିଛି ପ୍ରଶ୍ନ । ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କେତେ ଢିଲା ରହିଛି ଏହି ଘଟଣା ସ୍ପଷ୍ଟ କରୁଛି ।