ନ୍ୟୁଜ 365 (ବ୍ୟୁରୋ):ରାଜ୍ୟପାଳଙ୍କୁ ଛାଡି ଚାଲିଗଲା ବିମାନ | ଆଉ ଏହାପରେ ପାଖାପାଖି ଦେଢ଼ ଘଣ୍ଟା ଅପେକ୍ଷା କରିବା ପରେ ଗନ୍ତବ୍ୟସ୍ଥଳକୁ ଗଲେ ରାଜ୍ୟପାଳ |ଗୁରୁବାର ଦିନ କର୍ଣ୍ଣାଟକର କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରେ ଘଟିଥିବା ଏଭଳି ଏକ ଘଟଣା ଚାରିଆଡେ ଚର୍ଚ୍ଚା ସୃଷ୍ଟି କରିଛି । ମିଳିଥିବା ସୂଚନା ଅନୁସାରେ, କର୍ଣ୍ଣାଟକ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟଙ୍କୁ ନ ନେଇ ଏୟାର ଏସିଆ ବିମାନ ଟି ଚାଲିଯାଇଥିଲା । ରାଜ୍ୟପାଳ ବିମାନବନ୍ଦର ଅପେକ୍ଷା କରିଥିଲେ ମଧ୍ୟ ପ୍ରୋଟୋକଲ୍ ଉଲ୍ଲଂଘନ କରି ବିମାନଟି ରାଜ୍ୟପାଳଙ୍କୁ ନ ନେଇ ଚାଲିଯାଇଥିଲା । ଘଟଣା ପରେ ରାଜ୍ୟପାଳଙ୍କ ପ୍ରୋଟୋକଲ ଅଧିକାରୀମାନେ ବିମାନବନ୍ଦର ପୁଲିସ ଷ୍ଟେସନରେ ଏୟାର ଏସିଆ ବିମାନ କମ୍ପାନୀ ବିରୋଧରେ ଅଭିଯୋଗ କରିଛନ୍ତି।
ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସେ ଏୟାର ଏସିଆ ବିମାନ ଯୋଗେ ହାଇଦ୍ରାବାଦ ଯିବାର ଥିଲା । ହାଇଦ୍ରାବାଦରୁ ସେ ରାଇଚୁର ଯାଇଥାନ୍ତେ । ତେବେ ଗୁରୁବାର ଦିନ ଟର୍ମିନାଲ-୨ରୁ ସେ ହାଇଦ୍ରାବାଦ ଯିବାକୁ ଅପେକ୍ଷା କରିଥିଲେ ବି ଏୟାର ଏସିଆ ବିମାନ ରାଜ୍ୟପାଳଙ୍କୁ ନ ନେଇ ଅନ୍ୟ ଯାତ୍ରୀମାନଙ୍କୁ ନେଇ ଚାଲିଯାଇଥିଲା । ମିଳିଥିବା ସୂଚନା ମୁତାବକ ବିମାନଟି ପହଞ୍ଚିବା ମାତ୍ରେ ଗେହଲଟଙ୍କ ଲଗେଜ୍ ଲୋଡ୍ ହୋଇଥିଲା। ସୂତ୍ରରୁ ପ୍ରକାଶ ଯେ ଗେହଲଟ ଟର୍ମିନାଲରେ ପହଞ୍ଚିବାକୁ ବିଳମ୍ବ କରିଥିଲେ । ସେ ଭିଆଇପି ଲାଉଞ୍ଜରେ ପହଞ୍ଚିବା ବେଳକୁ ହାଇଦ୍ରାବାଦ ଅଭିମୁଖେ ବିମାନ ଯାତ୍ରା ଆରମ୍ଭ କରିସାରିଥିଲା । ଏହା ପରେ ହାଇଦ୍ରାବାଦରେ ପହଞ୍ଚିବା ପାଇଁ ରାଜ୍ୟପାଳଙ୍କୁ ୯୦ ମିନିଟ ପରେ ଆଉ ଏକ ବିମାନରେ ଯିବାକୁ ପଡିଥିଲା ।