ନ୍ୟୁଜ ୩୬୫ (ବ୍ୟୁରୋ):ଭିଜିଲାନ୍ସ ଜାଲରେ ପଡିଛନ୍ତି ଜଣେ ମହିଳା ପୋଲିସ ଏଏସ୍ଆଇ । ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଥିଲା ଭିଜିଲାନ୍ସ । କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଏଏସ୍ଆଇ ଦୀପିକା ହୀରା ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଏକ ମାମଲା ରଫା ଦଫା କରିବାକୁ ଲାଞ୍ଚ ନେଉଥିବା ସମୟରେ ମାଡି ବସିଲା ଭିଜିଲାନ୍ସ ଟିମ୍ । ତେବେ ଏହି ଲାଞ୍ଚ କାରବାରରେ ଥାନାର ଆଉ କେହି କର୍ମଚାରୀ ସଂପୃକ୍ତ ଅଛନ୍ତି କି ନାହିଁ, ସେ ନେଇ ଯାଞ୍ଚ କରୁଛନ୍ତି ଭିଜିଲାନ୍ସ ।
ଦୁଇ ଦିନ ତଳେ ଅନୁଗୋଳ ଜିଲ୍ଲା କିଆକଟା ଥାନାର ଏଏସ୍ଆଇ ନବୀନ ଶତପଥୀ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ସେହିପରି ଗତ ୨୧ ତାରିଖରେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟ। ଏକ ଜବତ ବାଲି ଗାଡ଼ିକୁ ଛାଡ଼ି ଦେବାକୁ ସେ ଏହି ଅର୍ଥ ନେଉଥିବା ବେଳେ ଧରାପଡ଼ିଥିଲେ।
ଜୁଲାଇ ୧୯ ତାରିଖରେ ଜଣେ ମଦ ବ୍ୟବସାୟୀଙ୍କ ଠାରୁ ମାସିକିଆ ଚାନ୍ଦା ବାବଦକୁ ୫୦ ହଜାର ଟଙ୍କା ନେଉଥିବା ବେଳେ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଆଇଆଇସି ଗଣେଶ୍ୱର ପ୍ରଧାନ ଓ ଏଏସ୍ଆଇ ବଳି ମହାନ୍ତି ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଜୁଲାଇ ୧୩ ତାରିଖରେ ୧୫ ହଜାର ଲାଞ୍ଚ ନେଲା ବେଳେ ଭୁବନେଶ୍ୱରର ସହିଦନଗର ଥାନା ଏଏସ୍ଆଇ ମମତା ବସ୍ତିଆଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ । ଜୁଲାଇ ୬ ତାରିଖରେ ଜଣେ ବ୍ୟକ୍ତିଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଏଏସ୍ଆଇ ନିର୍ମଳ କୁମାର ସେନାପତି ।