ନ୍ୟୁଜ 365 (ବ୍ୟୁରୋ): ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବା ପାଇଁ ଅଜିତ ପାୱାରଙ୍କୁ ସୁଯୋଗ ମିଳିବା ଉଚିତ୍ । ନାଗପୁରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏଭଳି କହିଛନ୍ତି ରାଜ୍ୟ ସଭା ସାଂସଦ ପ୍ରଫୁଲ୍ଲ ପଟେଲ । ସେ କହିଛନ୍ତି, “ଅଜିତ ପାୱାର ଜଣେ ଲୋକପ୍ରିୟ ତଥା ହେଭିୱେଟ୍ ନେତା। ସେ ଅନେକ ବର୍ଷ ଧରି ଦଳର ନେତୃତ୍ୱ ନେଉଛନ୍ତି। ଯେଉଁମାନେ କାମ କରନ୍ତି ସେମାନେ ଆଜି, ଆସନ୍ତାକାଲି ନହେଲେ ତା’ ପର ଦିନ ସୁଯୋଗ ପାଆନ୍ତି। ଅନେକେ ଏହି ସୁଯୋଗ ପାଇଛନ୍ତି। ଆସନ୍ତାକାଲି ନହେଲେ ଭବିଷ୍ୟତରେ ଅଜିତ ମଧ୍ୟ ମୁଖ୍ୟମନ୍ତ୍ରୀ ହେବେବୋଲି କହିଛନ୍ତି ପ୍ରଫୁଲ୍ଲ ପଟେଲ । ଏହି ବୟାନକୁ ନେଇ ବର୍ତ୍ତମାନ ଚର୍ଚ୍ଚା ବଢିବାରେ ଲାଗିଛି । ସେପଟେ କଂଗ୍ରେସ ନେତା ପ୍ରୀତିରାଜ ଚାବନ ନିକଟରେ ଦାବି କରି କହିଥିଲେ ଯେ, ଅଗଷ୍ଟ ୧୦ରେ ଏକନାଥ ସିନ୍ଦେଙ୍କ ସ୍ଥାନରେ ଏନସିପି ନେତା ଅଜିତ ପାୱାରଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ କରାଯିବ। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ଫଡନାଭିସ୍ ସୋମବାର ଚାବନଙ୍କ ଦାବିକୁ ଖଣ୍ଡନ କରି କହିଥିଲେ, ସିନ୍ଦେ ମୁଖ୍ୟମନ୍ତ୍ରୀ ରହିବେ ଏବଂ ରାଜ୍ୟରେ କୌଣସି ପରିବର୍ତ୍ତନ ହେବାର ନାହିଁ।