ନ୍ୟୁଜ 365 (ବ୍ୟୁରୋ): ଶିଶୁଟିଏଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ରହିଛି ଅନେକ ଯୋଜନା। ଏପରିକି ମରିବା ପରେ ବି ଶ୍ମଶାନକୁ ଯିବା ପାଇଁ ମଧ୍ୟ ଯୋଜନା ରହିଛି। ହେଲେ ଏହି ଯୋଜନା ଅନେକ ସମୟରେ ଯୋଜନ ଯୋଜନ ଦୂରରେ ରହିଯାଉଛି ।ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ଯାତାୟାତର ସୁବିଧା ପାଇଁ କେନ୍ଦ୍ର ସରକାର ମନରେଗା, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଭଳି ଅନେକ ଯୋଜନାରେ ରାଜ୍ୟ ସରକାରଙ୍କ ରାଜକୋଷକୁ କୋଟି କୋଟି ଟଙ୍କା ଅନୁଦାନ ଯୋଗାଇ ଦେଉଛନ୍ତି | ହେଲେ ସ୍ଥାନୀୟ ପ୍ରଶାସନ ଏବଂ ଜନପ୍ରତିନିଧିଙ୍କ ଆନ୍ତରିକତା ଅଭାବରୁ ଆଜି ବି ଅନେକ ଗାଁ କୁ ନାହିଁ ସ୍ଥାୟୀ ପାଦ ଚଲା ରାସ୍ତାଟିଏ । ଦେଶ ସ୍ୱାଧିନ ହେବାର ଦୀର୍ଘ ବର୍ଷ ବିତିଯାଇଥିଲେ ବି ବୈାଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଶୁଣ୍ଢିପଦର ପଂଚାୟତର ସେକାମାଳ ଗାଁ ଲୋକଙ୍କ ପାଇଁ ପକ୍କା ରାସ୍ତା ଉପରେ ଚାଲିବା ତ ଦୂରର କଥା ସ୍ଥାୟୀ ରାସ୍ତାଟିଏ ଗ୍ରାମବାସୀଙ୍କ ସାତ ସପନ ହୋଇରହିଛି ।ଏହି ଗାଁରେ ବସବାସ କରନ୍ତି ୧୦୦ଟି ପରିବାର । ହେଲେ ସ୍ୱାଧିନତାର ଦୀର୍ଘ ବର୍ଷପରେ ବି ଗାଁକୁ ଭଲରାସ୍ତାଟିଏ ନାହିଁ । ଭଲରାସ୍ତା ନଥିବାରୁ ଲୋକମାନେ ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ଆଦି ମୈାଳିକ ସୁବିଧାସୁଯୋଗରୁ ବଂଚିତ ହେଉଛନ୍ତି ।
ଭଲ ରାସ୍ତା ନଥିବାରୁ ଲୋକମାନଙ୍କୁ ନାଳ ପାର ହୋଇ ଯିବାକୁ ପଡିଥାଏ । ଏହା ଏମାନଙ୍କ ପାଇଁ ଏକମାତ୍ର ଯାତାୟାତ ପଥ ହୋଇଥିବାରୁ ବର୍ଷାଦିନରେ ପୁରାପୁରି ଠପ୍ ହୋଇଯାଏ ଗମନାଗମନ। ଭଲ ରାସ୍ତାନଥିବାରୁ ଏଠାକୁ ୧୦୮ଆମ୍ବୁଲାନ୍ସ ଆସିପାରେ ନାହିଁ । ରୋଗୀ ହୁଅନ୍ତୁ ଅବା ଗର୍ଭବତୀ ପ୍ରସବ ପାଇଁ ଡାକ୍ତରଖାନକୁ ନେବା ପାଇଁ ବିପଦସଂକୁଳ ଭାବରେ ଖଟିଆରେ ୨କିମି ଦୁର ନେବାକୁ ପଡିଥାଏ । ସେଠାରୁ ମନୁମୁଣ୍ଡା କିମ୍ବା ସୋନପୁର ଡାକ୍ତରଖାନକୁ ନେବାକୁ ପଡିଥାଏ ।
ବଣପାହାଡ ଘେରା ଏଇ ଉପାନ୍ତ ଅଂଚଳମାନଙ୍କୁ ସରକାରଙ୍କ ଯୋଜନା ସବୁ ଯୋଜନାରେ ଅଟକି ଯାଉଛି । ଏହି ଗାଁମାନଙ୍କୁ ପକ୍କା ରାସ୍ତା ତ ଦୁରର କଥା କଚା ରାସ୍ତାଟିଏ ବି ନାହିଁ । ସରକାରଙ୍କ ଯୋଜନା ଏଠାରେ ଅପହଂଚ । ଉପଯୁକ୍ତ ସ୍ୱାସ୍ଥ୍ୟସେବା ମିଳୁନଥିବାରୁ ଗାଁରେ ଥିବା କ୍ୱାକମାନଙ୍କ ଉପରେ ନିର୍ଭର କରିବାକୁ ଲୋକମାନେ ବାଧ୍ୟ ହେଉଛନ୍ତି । ଗମନା ଗମନ ସୁବିଧା ନଥିବାରୁ ବିଭିନ୍ନ ସମୟରେ ମାଲେରିଆ,ଡେଙ୍ଗୁ ଝାଡାବାନ୍ତି ଆଦି ରୋଗରେ ଅକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ବି ପଡୁଛନ୍ତି । ଛାତ୍ର ଛାତ୍ରୀଙ୍କ କଥା ନକହିବା ଭଲ । ବର୍ଷାଦିନ ହୋଇଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ । ନାଳରେ ପାଣି ବଢିଲେ ପାଠପଢା ପରାପୁରି ଠପ୍।
ଏହି ନାଳ ଉପରେ ସେତୁ ନିର୍ମାଣ ହେଳେ ଶୁଣ୍ଢିପଦର ପଂଚାୟତର ୧୦ଖଣ୍ଡ ଗ୍ରାମର ଲୋକେ ଉପକୃତ ହୋଇପାରନ୍ତେ। ଅଂଚଳବାସୀ ସରପଂଚଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପ୍ରଶାସନ ପର୍ଯ୍ୟନ୍ତ ଗୁହାରି କଲେ ବି କେହି କର୍ଣ୍ଣପାତ କରୁନଥିବା କହିଛନ୍ତି ଅଂଚଳବାସୀ । ତେବେ କେବେ ସରକାର ଏହି ନାଳପ୍ରତି ଦୃଷ୍ଟିଦେଇ ସେତୁ ନିର୍ମାଣ କରୁଛନ୍ତି ଓ କେବେ ଅଂଚଳବାସୀ ଗମନାଗମନ ସୁବିଧା ପାଉଛନ୍ତି ତାହା ଦେଖିବାର ଅଛି ।