ନ୍ୟୁଜ 365 (ବ୍ୟୁରୋ):ସତେଯେମିତି ଶନିଦଷା ପଡିଛି ରେଳ ବିଭାଗ ଉପରେ । ବାହାନାଗା ରେଳ ଦୁର୍ଘଟଣା ପରଠାରୁ ପ୍ରତିଦିନ କିଛି ନା କିଛି ରେଳଜନିତ ତ୍ରୁଟି ସାମ୍ନାକୁ ଆସୁଛି । କେତେବେଳେ ଧାରଣାରେ ଡବା ଛାଡ଼ି ଇଞ୍ଜିନ୍ ପଳାଉଛି ତ ଆଉ କେତେବେଳେ ବଗିରେ ଲାଗୁଛି ନିଆଁ । ଯାହା ସାଧାରଣ ଜନତାଙ୍କୁ ମଧ୍ୟ ଅତିଷ୍ଠ କରିପକାଇଲାଣି। ଏହାରି ମଧ୍ୟରେ ରେଲୱେର ଆଉ ଏକ ତ୍ରୁଟି ସାମ୍ନାକୁ ଆସିଛି। ଯେତବେଳେ ସବୁସମୟରେ ଟ୍ରେନ ବିଳମ୍ବରେ ପହଁଞ୍ଚେ ଯାତ୍ରୀ ସହୁ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ତେବେ ଟ୍ରେନ କେବେ ଆଗୁଆ ଆସିବାର କଥା ସାମ୍ନାକୁ ଆସିନଥିଲେ ।
ମନମାଡ ଜଙ୍କସନରେ ଟ୍ରେନ ପହଞ୍ଚିବା ପାଇଁ ନିର୍ଦ୍ଧାରିତ ସମୟ ଥିଲା ସକାଳ ୧୦.୩୫ ଘଣ୍ଟା। ମାତ୍ର ଗୁରୁବାର ଟ୍ରେନ୍ ସକାଳ ୯.୦୫ ଘଣ୍ଟାରେ ଷ୍ଟେସନରେ ପହଞ୍ଚିଥିଲା । ମାତ୍ର ୫ ମିନିଟ୍ ରହିବା ପରେ ତୁରନ୍ତ ୯.୧୦ ଘଣ୍ଟାରେ ଟ୍ରେନ୍ ଛାଡ଼ିଦେଇଥିଲା । ଟ୍ରେନ୍ ପାଇଁ ଟିକେଟ୍ କରିଥିବା ଯାତ୍ରୀମାନେ ସକାଳ ୯.୪୫ ସୁଦ୍ଧା ଷ୍ଟେସନରେ ପହଞ୍ଚି ଜାଣିବାକୁ ପାଇଥିଲେ ଯେ, ଟ୍ରେନ୍ ଷ୍ଟେସନ୍ ଛାଡ଼ି ସାରିଲାଣି।
ଦିଲ୍ଲୀ ଅଭିମୁଖେ ଆସୁଥିବା ଭାସ୍କୋ ଡା ଗାମା ନିଜାମୁଦ୍ଦିନ-ଗୋଆ ଏକ୍ସପ୍ରେସ୍ ପାଖାପାଖି ଦେଢ଼ ଘଣ୍ଟା ଆଗୁଆ ଆସି ଷ୍ଟେସନରେ ମାତ୍ର ୫ ମିନିଟ୍ ରହିବା ପରେ ଛାଡ଼ି ଦେଇଛି । ଯାହା ଯାତ୍ରୀଙ୍କୁ ହନ୍ତସନ୍ତ କରିଛି । ଫଳରେ ପୂର୍ବରୁ ଟିକେଟ୍ କରିଥିବା ପ୍ରାୟ ୪୫ ଜଣ ଯାତ୍ରୀ ମନମାଡ ଜଙ୍କସନରେ ଅଟକି ରହିଥିଲେ। ରୁଟ୍ ଡାଇଭର୍ସନ କାରଣରୁ ଏକ୍ସପ୍ରେସ୍ ଆଗୁଆ ଆସିଥିବା କୁହାଯାଉଛି। ତେବେ ଏନେଇ ଯାତ୍ରୀଙ୍କୁ କୌଣସି ଅବଗତ ନକରାଇ ମାତ୍ର ୫ ମିନିଟରେ ଟ୍ରେନ୍ କିପରି ଷ୍ଟେସନ୍ ଛାଡ଼ିଦେଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।