ନ୍ୟୁଜ 365 (ବ୍ୟୁରୋ): ବାଲି ଗାଡ଼ି ଛାଡ଼ିବା ପାଇଁ ଲାଞ୍ଚ ନେଉଥିଲେ ଅତିରିକ୍ତ ତହସିଲଦାର, ଉଠାଇ ନେଲା ଭିଜିଲାନ୍ସ । ପୂର୍ବରୁ ୧୦ ହଜାର ନେଇଥିବା ବେଳେ ଅବଶିଷ୍ଟ ୩ ହଜାର ଟଙ୍କା ନେଉଥିବା ବେଳେ ଘର ଆଗରୁ ଅତିରିକ୍ତ ତହସିଲଦାରଙ୍କୁ ଉଠାଇ ନେଇଛି ଭିଜିଲାନ୍ସ। ଏପରି ଏକ ଘଟଣା ଆଜି ନୟାଗଡ ଜିଲ୍ଲା ଗଣିଆ ତହସିଲ କାର୍ଯ୍ୟାଳୟରେ ଘଟିଛି। ଅତିରିକ୍ତ ତହସିଳଦାରଜଣକ ହେଉଛନ୍ତି ଗଣିଆ ତହସିଲ ଅତିରିକ୍ତ ତହସିଲଦାର ବନମାଳୀ ପରିଡ଼ା । ନୟାଗଡ ଜିଲ୍ଲା ଗଣିଆ ତହସିଲି କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ତହସିଲଦାର ବନମାଳୀ ପରିଡ଼ାଙ୍କୁ ଦିନ ଆଜି ସକାଳ ୯ଟାରେ ଗଣିଆ ତହସିଲ କଲୋନୀରୁ ଉଠାଇ ନେଇଛି ଭିଜିଲାନ୍ସ ।
ଗତକାଲି ଗଣିଆ ଥାନା ରାଉତପଡ଼ା ମହାନଦୀ ଘାଟରୁ ଏକ ବାଲି ବୋଝେଇ ଗାଡ଼ି ଧରିଥିଲେ ତହସିଲ କର୍ମଚାରୀ। ଗାଡ଼ି ଛାଡ଼ିବା ନିମନ୍ତେ ୧୩ ହଜାରରେ କଥା ଛିଣ୍ଡିଥିଲା। ଗତକାଲି ଘଟଣାସ୍ଥଳରେ ଗାଡ଼ି ମାଲିକ ୧୦ ହଜାର ଦେଇଥିବା ବେଳେ ଆଜି ୩ ହଜାର ଦେବେ ବୋଲି କହିଥିଲେ। ଆଜି ସକାଳେ ଟ୍ରାକ୍ଟର ମାଲିକ ଗଣିଆ ତହସିଲ କଲୋନୀରେ ଅତିରିକ୍ତ ତହସିଲଦାର ବନମାଳୀ ପରିଡ଼ାଙ୍କୁ ଅବଶିଷ୍ଟ ୩ ହଜାର ଟଙ୍କା ଦେବାକୁ ଯାଇଥିଲେ। ଉକ୍ତ ସମୟରେ ସେଠାରେ ପୂର୍ବରୁ ଛକି ରହିଥିବା ନୟାଗଡ ଓ ଭୁବନେଶ୍ୱର ଭିଜିଲାନ୍ସର ଟିମ୍ ତାଙ୍କୁ ଉଠାଇ ନେଇଛନ୍ତି।